ଅଜଣା ଗାଆଁରେ ଝିଅଟିଏ

ଗାନ୍ଧୀ ଗାଥା

ଅଜଣା ଗାଆଁରେ ଝିଅଟିଏ

ଦାଶ ବେନହୁର

 

ଝିଅଟି ବିଷୟରେ ଶୁଣି ଗାନ୍ଧିଜୀ ଲୋକଙ୍କ ସହ କଥାବାର୍ତ୍ତା କରିବେ କ’ଣ, କହିଲେ “ଆପଣମାନେ ଆଲୋଚନା କରୁଥାଆନ୍ତୁ ମୁଁ ସେ ଝିଅଟିକୁ ଦେଖିଆସେ ।”

ତାଙ୍କୁ ବା ମନା କରିବ କିଏ? ତାଙ୍କ ସହିତ ଆଉ କେତେଜଣ ଉଠୁଥିଲେ । ହେଲେ ଜଣେମାତ୍ର ଗାଁ ଲୋକ ଓ ମନୁଙ୍କୁ ଧରି ସେ ପଶିଲେ ଗାଁ ଭିତରକୁ । ନିହାତି ମଫସଲୀ ଅପନ୍ତରା ଗାଁ । ବାଟଘାଟ କି ଠିକଣା ନାହିଁ ।

୧୯୪୭ ଆଦ୍ୟ ସମୟର କଥା । ଦେଶ ବିଭାଜନ ଲାଗି ହିନ୍ଦୁ, ମୁସଲମାନ ଦଙ୍ଗାରେ ପଡୁଥାଏ ଉଠୁଥାଏ ଭାରତ । ହଣାକଟାରେ ମାତିଥାଆନ୍ତି ଲୋକେ । ଚାରିଆଡ଼େ ହିଂସା । ସେତିକିବେଳେ ଗାନ୍ଧିଜୀ ଚଳେଇ ରଖିଥାଆନ୍ତି ନୂଆଖାଲିର ଯାତ୍ରା । ଶାନ୍ତି ସଦଭାବ ରକ୍ଷା କରିବା ଲାଗି ଅନୁରୋଧ କରୁଥାଆନ୍ତି ସମସ୍ତଙ୍କୁ । ଆଶ୍ଚର୍ଯ୍ୟର କଥା ଯେଉଁଆଡ଼େ ଯାଉଥାଆନ୍ତି ଆଗେ ଲୋକେ ଥଣ୍ଡା ପଡ଼ି ତାଙ୍କ କଥା ମାନି ନେଉଥାଆନ୍ତି ।

ନୂଆଖାଲିରେ ଅଧିକାଂଶ ଲୋକଙ୍କର ଭାଷା ବଙ୍ଗଳା । ଗାନ୍ଧୀ କିନ୍ତୁ ହିନ୍ଦୀ ଭାଷାରେ କହୁଥାଆନ୍ତି । ଲୋକେ ବୁଝି ଯାଉଥାଆନ୍ତି ସହଜରେ । ମୁହଁରୁ ପଢି ଦେଉଥାଆନ୍ତି ତାଙ୍କ କଥା ।

ସେତେବେଳକୁ ଚଉଦଦିନ ବୁଲିଲେଣି ଗାନ୍ଧିଜୀ । ଏ ଗାଆଁରୁ ସେ ଗାଆଁ । ଏ ଅଞ୍ଚଳରୁ ସେ ଅଞ୍ଚଳ । ଗୋଟିଏ କଥା । “ଭାଇ ଭାଇ ଭଳି ଚଳ । ଶାନ୍ତି ରକ୍ଷା କର । ହିନ୍ଦୁ ମୁସଲମାନ ଏଇ ମାଟିର ଭାଇ ଭାଇ । ଶତ୍ରୁପଣିଆ କାହିଁକି?”

ଏଇଭଳି ବୁଲୁବୁଲୁ ସେ ପହଁଚିଥିଲେ ଅଜଣା ଗାଆଁଟିରେ । ଲୋକଙ୍କ ସହ କଥା ହେଉ ହେଉ କାନରେ ପଡ଼ିଲା – “ଆଭା ସେ ଅମୁକର ଝିଅଟି ଚାରିଦିନ ହେବ ବେମାରରେ ପଡ଼ିଚି । ଜ୍ୱର ଛାଡୁନି । ବାପ ନ’ଥିବା ପିଲା । କିଏ ବୁଝିବାକୁ ଅଛି? ସେ ଆଉ ବଞ୍ଚିବନି ।”

ସେଉଠୁ ବିଚାର ଆଲୋଚନା ଲାଗି ଗଦ ହୋଇଥିବା ଲୋକଙ୍କୁ ଅଟକେଇ ସେ ପଶିଥିଲେ ଗାଆଁ ଭିତରେ । ସାଙ୍ଗରେ ଆସିଥିବା ଗାଆଁର ଲୋକଟି ଘର ଦେଖେଇଦେଲା । ଭଙ୍ଗା ଖପରୁଲି ଘର । ମନୁଙ୍କ କାନ୍ଧରେ ହାତ ରଖିଥାଆନ୍ତି ଗାନ୍ଧିଜୀ ।

ଘର ଭିତରେ ଜଣେ ଅଚିହ୍ନା ପୁରୁଷ ଲୋକକୁ ଦେଖି ରୋଗୀ ପାଖରେ ବସିଥିବା ନାରୀମାନେ ଓଢଣା ଟାଣି ଭିତରକୁ ଚାଲିଗଲେ ।

ବିଚରା ନଅ ଦଶ ବର୍ଷର ଝିଅଟି । କଙ୍କାଳସାର ଦେହ । ଅସନା ଲୁଗାରେ ଗୁଡ଼େଇ ହୋଇ ଗୋଟିଏ ଖଟିଆ ଉପରେ ପଡ଼ିଛି । ଲୁଗାପଟାରୁ ଗନ୍ଧ ବାହାରୁଛି । ଘର ଭିତରଟା ବି ମଇଳା ଅସ୍ୱାସ୍ଥ୍ୟକର ।

ମନୁ ଘର ଭିତରେ ଥିବା ସ୍ତ୍ରୀ ଲୋକମାନଙ୍କ ସହ କଥା ହେବାପାଇଁ ଗଲେ । କହିଲେ, “ତୁମ ଘରକୁ ଗାନ୍ଧିଜୀ ଆସିଛନ୍ତି । ସେ ସମସ୍ତଙ୍କର ଭଲପାଇଁ ଗାଆଁ ଗାଆଁ ବୁଲୁଛନ୍ତି । ବୁଢା ଲୋକ । ତାଙ୍କୁ ଲାଜ କରୁଛ କ’ଣ? ଆସ ତାଙ୍କ ସହ କଥା ହୁଅ ।”

ସେମାନେ ସମସ୍ତେ କିନ୍ତୁ ଚୁପ୍ । କେହି କିଛି କହୁ ନଥାନ୍ତି । ମନୁଙ୍କ କଥାରେ ତାଙ୍କର ଯାଏ ଆସେ ବା କେତେ? ପିଲାଟିକି ଜ୍ୱର । ଏ ବୁଢା କ’ଣ କରିବେ?

ଫେରି ଆସିଲେ ମନୁ । ବୁଝାବୁଝି କିଛି କାମ ଦେଲାନି । ମନୁ ଆସି ଦେଖନ୍ତି ତ ଗାନ୍ଧିଜୀ ରୋଗିଣା ପିଲାଟିକୁ ସଫା ସୁତୁରା କରି ନିଜ ଚଦରଟିକୁ ତା’ଦେହରେ ଘୋଡ଼େଇ ଦେଇଛନ୍ତି । ନିଜେ ଫୁଙ୍ଗୁଳା ହୋଇ ବସିଛନ୍ତି ତା’ ପାଖରେ । ସ୍ନେହରେ ପିଲାଟିର ମୁଣ୍ଡରେ ହାତ ବୁଲାଇବାରେ ଲାଗିଛନ୍ତି, ବାଳ ସଜାଡୁଛନ୍ତି ।

ମନୁଙ୍କୁ ଦେଖି ଗାନ୍ଧିଜୀ ପିଲାଟିର କପାଳ ଓ ପେଟରେ ମାଟିର ପ୍ରଲେପ ଦେବାପାଇଁ ବରାଦ କଲେ । କିଛି ସମୟ ପରେ ତାଙ୍କୁ ଅପେକ୍ଷା କରିଥିବା ଲୋକଙ୍କ ପାଖକୁ ଫେରି ଆଲୋଚନାରେ ଲାଗିଲେ । ହେଲେ ମନୁଙ୍କୁ ପିଲାଟି ପାଖରେ ରହି ପାଣି ଓ ମହୁପାଣି ଢୋକେ ଢୋକେ ପିଆଇବା ନିମନ୍ତେ ବ୍ୟବସ୍ଥା କରିବାରେ ହେଳା କଲେ ନାହିଁ ।

ରୋଗୀ ସେବାରେ ଲାଗି ରହିଥିଲେ ମନୁ । ରାତିବେଳକୁ ଯାଇ ଜ୍ୱର ଛାଡ଼ିଲା । ଖବରପାଇ ଗାନ୍ଧିଜୀ ପୁଣି ଫେରିଲେ ଝିଅଟି ପାଖକୁ । ସେତେବେଳକୁ ଘରର ତଥା ପାଖ ପଡ଼ୋଶୀ ଆଉ କେତେ ମହିଳା ଏକାଠି ହୋଇ ବେଢି ରହିଥାଆନ୍ତି । ଗାନ୍ଧିଜୀଙ୍କୁ ଦେଖି ସମସ୍ତେ ଆଡ଼େଇ ହୋଇଗଲେ । ଝିଅଟି ଆଖି ଖୋଲି ଚାହିଁଲା । ଆଖି କୋଣରେ ଲୁହ । ଏ ବୁଢା କିଏ?

ଗାନ୍ଧିଜୀ ପୁଣି ପାଖରେ ବସି ତା’ ମୁଣ୍ଡ ଉପରେ ହାତ ବୁଲାଇଲେ ।

କ’ଣ ହେଲା କେଜାଣି ସେଠାରେ ଉପସ୍ଥିତ ସମସ୍ତେ ଜଣେ ଜଣେ ହୋଇ ଗାନ୍ଧିଜୀଙ୍କର ପାଦଧୂଳି ନେବା ପାଇଁ ଠେଲା ପେଲା ହେଲେ । ଝିଅଟିର ମାଆ ତ ଗୋଡ଼ ଛାଡ଼ିବାକୁ ନାରାଜ ।

ତାଙ୍କ ଭିତରୁ ଜଣେ ବଙ୍ଗଳାରେ କହିଲେ, “ଆମେ ଝିଅଟିର ଅଶା ଛାଡ଼ି ଦେଇଥିଲୁ । ଆପଣଙ୍କ ହାତ ଲାଗି ସେ ନୂଆ ଜୀବନ ପାଇଲା । ଆପଣ ମହାତ୍ମା, ଆପଣ ଦେବଦୂତ । ଆପଣ ଯାହା କହିବେ ଆମେ ତାହା କରିବୁ । କହନ୍ତୁ, ଆପଣଙ୍କୁ ଆମେ କିଭଳି ସନ୍ତୁଷ୍ଟ କରିବୁ; ସେବା କରିବୁ?”

ଗାନ୍ଧିଜୀ ହସିଲେ । କହିଲେ, “ମୁଁ ମହାତ୍ମା ନୁହେଁ କି ଦେବଦୂତ ନୁହେଁ । ତୁମ ଭଳି ଜଣେ ମଣିଷ । ସାଧାରଣ । ପିଲାଟିର ଜ୍ୱର ଭଲ ହୋଇଯିବାରେ ମୋର କିଛି ବିଶେଷତା ନାହିଁ । ତା’କୁ ସଫାସୁତୁରା କରି ଦରକାରୀ ପଥ୍ୟ ଦେବାକୁ ସେ ଭଲ ହୋଇଗଲା । ”

“ଅବଶ୍ୟ ତୁମେମାନେ ଯଦି ଏହାର ପ୍ରତିବଦଳରେ ମତେ କିଛି ଦେବାକୁ ଚାହୁଁଛ ତେବେ ମୁଁ ଯାହା ମାଗିବି ସେ କଥା ଦେବ ତ?”

ସମସ୍ତେ ମୁଣ୍ଡ ହଲେଇଲେ । କାହା କାହା ପାଟିରୁ “ହଁ, ଆଜ୍ଞା” ବୋଲି ବି ବାହାରି ପଡ଼ିଲା ।

ଗାନ୍ଧିଜୀ କହିଲେ “ମତେ ପ୍ରତିଶ୍ରୁତି ଦିଅ, ଯେ ତୁମେ ସମସ୍ତେ ସଫା ସୁତୁରା ରହିବ, ନିର୍ଭୟ ହେବ । ପିଲାମାନଙ୍କୁ ବି ସଫା ସୁତୁରା ଓ ସାହସୀ ହେବାକୁ ଶିଖେଇବ । କାହାର କିଛି କ୍ଷତି କରିବ ନାହିଁ ।”\n\nଏବେ ସମସ୍ତେ “ହଁ ଆଜ୍ଞା,” “ହଁ ଆଜ୍ଞା” କହି ଗୋଟାଏ ରୋଳ ଉଠେଇ ଦେଲେ । ସେତେବେଳକୁ ଗାଁର ଅନେକ ଲୋକ ଆସି ବାହାରେ ଏକାଠି ହୋଇ ସାରିଥିଲେ । କିଏ ଜଣେ କହିଦେଲା – “ମହାତ୍ମା ଗାନ୍ଧୀ କି ଜୟ !”

ଆଉ କି ସମ୍ଭଳା ପଡ଼େ! ଘର ଭିତରୁ ମହିଳାମାନେ ବି ରଡ଼ି ଛାଡ଼ି କହିଲେ, “ମହାତ୍ମା ଗାନ୍ଧୀ କି ଜୟ !”

ସେଉଠୁ ଗାନ୍ଧିଜୀ ପୁଣି ଚାଲିଲେ ଆଉ ଗୋଟିଏ ଗାଆଁକୁ । ହାତରେ ବାଡ଼ି, ପାଦରେ ଓଦା ଓଦା ଚମଡ଼ା ଚପଲ ।

ଅଜଣା ଗାଆଁର ସେ ଝିଅଟି ପରେ କୁଆଡ଼େ ଗାନ୍ଧୀ ବିଚାରଧାରାର ଜଣେ ନିଷ୍ଠାପର କର୍ମୀ ପାଲଟି ଯାଇଥିଲା ।