ନୂଆଦିଲ୍ଲୀ: ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ବୁଧବାର ଦିନ ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣାର ଗୋଟିଏ ଦିନ ପରେ ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍ ବାକ୍ସ ଉଦ୍ଧାର କରାଯାଇଛି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ କକପିଟ୍ ଭଏସ୍ ରେକର୍ଡର୍ ଏବଂ ଫ୍ଲାଇଟ୍ ଡାଟା ରେକର୍ଡର୍ ଉଦ୍ଧାର କରାଯାଇଛି। ଡିଜିସିଏ ଏବଂ ଫୋରେନସିକ୍ ଅଧିକାରୀମାନେ ଦୁର୍ଘଟଣାସ୍ଥଳର ତଦନ୍ତ କରୁଛନ୍ତି। ଟିମ୍ ସମ୍ପୂର୍ଣ୍ଣ ଘଟଣାସ୍ଥଳର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଥିବା ଜଣାପଡ଼ିଛି।
ପୂର୍ବରୁ ଅଧିକାରୀମାନେ ଏକ ବିବୃତ୍ତିରେ କହିଥିଲେ ଯେ ଯଦି ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍ ବକ୍ସ ଏବଂ ଫ୍ଲାଇଟ୍ ଡାଟା ଉଦ୍ଧାର କରାଯାଏ ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସେଗୁଡ଼ିକର ଯାଞ୍ଚ କରାଯିବ। ଏବେ ଦିଲ୍ଲୀ-ଭିଏସଆର ଆଭିଏସନ୍ ମାଲିକାନାରେ ଥିବା ଲର୍ଣ୍ଣଜେଟ୍ 45 ବିମାନର ବ୍ଲାକ୍ ବାକ୍ସ ଉଦ୍ଧାର କରାଯାଇଛି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, “ବାରାମତି ନିକଟରେ ଦୁର୍ଭାଗ୍ୟଜନକ ବିମାନ ଦୁର୍ଘଟଣା ପରେ, ସମସ୍ତ ଆବଶ୍ୟକୀୟ ଉଦ୍ଧାର ଏବଂ ତଦନ୍ତ ବ୍ୟବସ୍ଥା ତୁରନ୍ତ ସକ୍ରିୟ କରାଯାଇଥିଲା। ଏକ ସମ୍ପୂର୍ଣ୍ଣ, ସ୍ୱଚ୍ଛ ଏବଂ ସମୟୋଚିତ ତଦନ୍ତ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା।” ଜାନୁଆରୀ ୨୮ ତାରିଖରେ ଦିଲ୍ଲୀର ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB)ର ତିନି ଜଣିଆ ଦଳ ଏବଂ ମୁମ୍ବାଇ ଆଞ୍ଚଳିକ କାର୍ଯ୍ୟାଳୟର DGCAର ତିନି ଜଣିଆ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। AAIBର ମହାନିର୍ଦ୍ଦେଶକ ମଧ୍ୟ ସେହି ଦିନ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତ ଦ୍ରୁତ ଗତିରେ ଚାଲିଛି ଏବଂ ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍ ବାକ୍ସ ଉଦ୍ଧାର କରାଯାଇଛି। ଅପରପକ୍ଷରେ AAIB ନିୟମ, ୨୦୨୫ର ନିୟମ ୫ ଏବଂ ୧୧ ଅନୁଯାୟୀ ତଦନ୍ତ ଆରମ୍ଭ କରାଯାଇଛି।