Latest Odisha News

କିଏ କୀଡନି ତ କିଏ ଦେଲା ଲିଭର: ରକ୍ଷା ବନ୍ଧନରେ ଭଉଣୀ ଦେଲେ ଭାଇକୁ ‘ଜୀବନ’ ଉପହାର

ନୂଆଦିଲ୍ଲୀ: ଭାଇ ପରି କେହି ନାହିଁ । ରାଗୁଥିବ, ମାରୁଥିବ..ହେଲେ ଛାଇ ପରି ଜଗିଥିବ । ଏମିତି ଭାଇ-ଭଉଣୀଙ୍କ ସମ୍ପର୍କ । ଏ ସମ୍ପର୍କ ଦେବାନେବାର ନୁହେଁ । ଏ ସମ୍ପର୍କ ଭାବର…ଭଲ ପାଇବାର । ଏ ସମ୍ପର୍କ ଆବେଗର..ଆଶ୍ୱାସନାର । ଆଜି ପବିତ୍ର ରକ୍ଷା ବନ୍ଧନ । ଭାଇ ହାତରେ ରାଖି ବାନ୍ଧିବ ଭଉଣୀ । ରାକ୍ଷୀ ଖାଲି ସୂତାଟିଏ ନୁହେଁ । ରାକ୍ଷୀ ପବିତ୍ର ବନ୍ଧନଟିଏ । ଭାଇ-ଭଉଣୀ ମଧ୍ୟରେ । ଭାଇ ପ୍ରତିଶ୍ରୁତି ଦେଇଥାଏ ସବୁ ବିପଦରୁ ଭଉଣୀକୁ ରକ୍ଷା କରିବ ବୋଲି ।

ଭାଇ ହାତରେ ରାକ୍ଷୀ ବାନ୍ଧିବା ପରେ ଭଉଣୀ ମାଗିଥାଏ ତାର ପାଉଣା । ଭାଇ ବି ଖୁସିରେ ଭଉଣୀକୁ ଉପହାର ଦେଇଥାଏ । ଏ ପରମ୍ପରା ରହିଛି ଆମ ସମାଜରେ । ହେଲେ ଏଠି ଆମେ  ଏମିତି ଭଉଣୀମାନଙ୍କ କଥା କହିବାକୁ ଯାଉଛୁ, ଯେଉଁମାନଙ୍କ ଉପହାର ଦେଖିଲେ ଆପଣଙ୍କ ଆଖି ଓଦା ହୋଇଯିବ । ଏ ଭଉଣୀମାନେ ସେମାନଙ୍କ ଭାଇଙ୍କୁ ଜୀବନ ଉପହାର ଦେଇ ଭାଇ-ଭଉଣୀ ସମ୍ପର୍କର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।

ଉତ୍ତର ପ୍ରଦେଶର ୨୩ ବର୍ଷୀୟ ପ୍ରିୟଙ୍କା ସିଂହ । ନିଜ ବଡ ଭାଇଙ୍କ ଜୀବନ ବଞ୍ଚାଇବା ପାଇଁ ନିଜର ଏକ କୀଡନୀ ଦେଇଛନ୍ତି । ଏହି କୀଡନି ଟ୍ରାନ୍ସପ୍ଲାଣ୍ଟ ଅଗଷ୍ଟ ୧୦ ତାରିଖ ଦିନ ୟୁପିର ପ୍ରାଇମସ ସୁପର ସ୍ପେଶାଲିଟି ହସ୍ପିଟାଲରେ ହୋଇଥିଲା । ଟ୍ରାନ୍ସପ୍ଲାଣ୍ଟ ସଫଳ ହେବା ପରେ ଉଭୟଙ୍କୁ ଡାକ୍ତରଖାନାରୁ ଛାଡି ଦିଆଯାଇଛି । ସାନ ଭଉଣୀର ତ୍ୟାଗକୁ ଦେଖି ଭାଇ ହରେନ୍ଦ୍ର  ସିଂହ(୩୫ ବର୍ଷ)ଙ୍କ ଆଖିରେ ଲୁହ ରହୁନି । ବିଭିନ୍ନ କାରଣରୁ ଏହି ଟ୍ରାନ୍ସପ୍ଲାଣ୍ଟ ଖୁବ ଜଟିଳ ଥିଲା । ହେଲେ ଭଗବାନଙ୍କ  ଦୟାରୁ ଟ୍ରାନ୍ସପ୍ଲାଣ୍ଟ ସଫଳ ହେଲା ଏବଂ ଭାଇ-ଭଉଣୀ ଉଭୟେ ସୁସ୍ଥ ଅଛନ୍ତି ।

ହରେନ୍ଦ୍ର ଜଣେ ସେଲ୍ସ ମ୍ୟାନ । ୨୦୨୨ ଡିସେମ୍ବରରେ ତାଙ୍କର କୀଡନି ଖରାପ ହୋଇଥିବା ଜାଣିବାକୁ ପାଇଥିଲେ । ସପ୍ତାହରେ ୩ଥର ଡାଇଲୋସିସ କରିବାକୁ ପଡୁଥିଲା । ସେଥିପାଇଁ ତାଙ୍କୁ ଚାକିରୀ ମଧ୍ୟ ଛାଡିବାକୁ ପଡିଥିଲା । ଗ୍ରାଜୁଏସନ ପଢୁଥିବା ପ୍ରିୟଙ୍କା ଭାଇର ଏପରି ଅବସ୍ଥା ଦେଖି ନିଜ କୀଡନି ଦାନ କରିବାକୁ ନିଷ୍ପତ୍ତି ନେଇଥିଲା ।

ସେହିପରି ଅନ୍ୟ ଏକ ଘଟଣା ଫରିଦାବାଦର । ଫରିଦାବାଦର ମନୋଜ କୁମାରଙ୍କର ଲିଭର ଖରାପ ହୋଇଥିଲା । ତିନିମାସ ତଳେତାଙ୍କର ୩୩ବର୍ଷୀୟ  ସାନ ଭଉଣୀ ମୀରା ତାଙ୍କୁ ୬୫% ଲିଭର ଦାନ କରି ତାଙ୍କ ଜୀବନ ବଞ୍ଚାଇଛି । ପିଏସଆରଆଇ ହସ୍ପିଟାଲରେ ସଫଳ ଟ୍ରାନ୍ସପ୍ଲାଣ୍ଟ ହୋଇଛି । ଡାକ୍ତରଙ୍କ କହିବା ଅନୁଯାୟୀ ଉଭୟେ ସୁସ୍ଥ ଅଛନ୍ତି । ଭଉଣୀ ମୀରା ଏକ ସପ୍ତାହ ତଳେଏବଂ ମନୋଜ ୨ ସପ୍ତାହ ତଳେ ଡାକ୍ତରଖାନାରୁ ଘରକୁ ଯାଇଛନ୍ତି ।

ମନୋଜଙ୍କର ସିରୋସିସ ସହ ଲିଭର ସମସ୍ୟା ଥିଲା । ମନୋଜଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ତାଙ୍କର ତିନି ଭଉଣୀ । ତିନିଜଣ ଯାକ ଭାଇର ଜୀବନ ବଞ୍ଚାଇବା ପାଇଁ ଧାଇଁ ଆସିଥିଲେ । ସେମାନେ ଭାଇର ଜୀବନ ବଞ୍ଚାଇବା ପାଇଁ ନିଜନିଜ ଲିଭର ଦେବାକୁ ରାଜି ଥିଲେ । ପରୀକ୍ଷା କରିବା ପରେ ସଭା ସାନ ଭଉଣୀଙ୍କ ଲିଭର ଡୋନେସନ ସୁରକ୍ଷିତ ହେବ ବୋଲି ଡାକ୍ତର କହିଥିଲେ । ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ଭଉଣୀଙ୍କ ହାତରେ କିଛି ଜଳିବା କ୍ଷତ ଥିଲା । ତାଙ୍କୁ କଷ୍ଟ ହେଉଥିଲା । ତଥାପି ସେ ଭାଇର ଜୀବନ ବଞ୍ଚାଇବା ପାଇଁ ନିଜ ଲିଭର ଦାନ କରିଥିଲେ ।

 

Comments are closed.