Latest Odisha News

BREAKING NEWS

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ବିସ୍ଫୋରକ ବୟାନ ! ଅକ୍ଷୟ ପରିଜା ଚକ୍ରାନ୍ତକାରୀ, ସମୟ ଆସିଲେ ସବୁ କହିବୁ

ଭୁବନେଶ୍ୱର : ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ବିସ୍ଫୋରକ ବୟାନ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣି ଜଗବନ୍ଧୁ କହିଛନ୍ତି, ଆମ ମୁଣ୍ଡରେ ଅଠା ବୋଳାଯାଇଛି । ସବୁ ସେଇ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ ବୋଲି ବୁଧବାର ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ନେବା ବେଳେ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜଗବନ୍ଧୁ ଚାନ୍ଦ। ଏଥିସହ ଜଗବନ୍ଧୁ କହିଛନ୍ତି, ସେ ଝିଅକୁ ଟଙ୍କା ଲାଳସା ଦେଖାଇ ଆମ ନାଁରେ ଅଠା ବୋଳିଛନ୍ତି, ତାଙ୍କୁ ଶୀଘ୍ର ବାହାର କରାଯାଉ । ସମୟ ଆସିଲେ ସବୁ କହିବୁ ବୋଲି କହିବା ସହ ଏହାପଛରେ ଆହୁରି ଅନେକ ଲୋକ ଥିବା କହିଛନ୍ତି ଜଗବନ୍ଧୁ । ସେମାନଙ୍କୁ ବାହାର କରିବାକୁ ସେ ଦାବି କରିଛନ୍ତି । ଏଥିସହ ଜଗବନ୍ଧୁ କହିଛନ୍ତି, ସେମାନେ କାହାକୁ ଟଙ୍କା ମାଗି ନାହାନ୍ତି ।

ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗଙ୍କ ବିରୋଧରେ ଚାଲିଥିବା ମନି ଲଣ୍ଡରିଂ ମାମଲାରେ ଜବାବ ରଖିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ (ଇଡ଼ି) ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଅର୍ଚ୍ଚନାଙ୍କ ନିୟମିତ ଜାମିନ ଆବେଦନର ପ୍ରାଥମିକ ଶୁଣାଣି ବେଳେ ଜଷ୍ଟିସ ଭି. ନରସିଂହଙ୍କ ଖଣ୍ଡପୀଠ ଇଡିକୁ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଜାମିନ ପାଇଁ ଆବେଦନ କରିଥିବା ବେଳେ ଆସନ୍ତା ୨୬ ତାରିଖରେ ଅର୍ଚ୍ଚନାଙ୍କ ମାମଲା ସହିତ ତାଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ କୋର୍ଟ ନିଷ୍ପତ୍ତି ଦେଇଛନ୍ତି। ଗତ ୧୧ ତାରିଖରେ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା, କିନ୍ତୁ ତାଙ୍କ ବିରୋଧରେ ଅନ୍ୟ ଦୁଇଟି ମାମଲା ବିଚାରାଧୀନ ଥିବାରୁ ସେ ଏବେ ହେପାଜତରେ ଅଛନ୍ତି। ସେଥିମଧ୍ୟରୁ ଗୋଟିଏ ମାମଲା ଇଡି ଦ୍ୱାରା ତାଙ୍କ ବିରୋଧରେ ଲଗାଯାଇଥିବା ମନି ଲଣ୍ଡରିଂ ଅଭିଯୋଗର ହୋଇଥିବାବେଳେ ଅନ୍ୟଟିରେ ତାଙ୍କ ପୂର୍ବତନ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ସମ୍ପୃକ୍ତି ରହିଛି।

୨୦୨୨ ମସିହା ଅକ୍ଟୋବର ୬ ତାରିଖରେ ହନିଟ୍ରାପ ରାକେଟ୍ ସାମ୍ନାକୁ ଆସିବା ପରେ ଅର୍ଚ୍ଚନାଙ୍କ ଆଇନଗତ ସମସ୍ୟା ଆରମ୍ଭ ହୋଇଥିଲା। ସେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଆପତ୍ତିଜନକ ଭିଡିଓ ଦେଖାଇ ବ୍ଲାକମେଲିଂ କରି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ତଳ କୋର୍ଟରେ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଖାରଜ ହେବା ପରେ ଓଲିଉଡ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ୨୦୨୨ ଅକ୍ଟୋବର ୨୯ରେ ନୟାପଲ୍ଲୀ ଥାନାରେ ମାମଲା ରୁଜୁ କରିଥିଲେ। ସୂଚନାଯୋଗ୍ୟ, ଆର୍ଥିକ ହେରଫେର୍‌ ଓ ବ୍ଲାକମେଲିଂ ଅଭିଯୋଗରେ ବନ୍ଧା ହୋଇଥିଲେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ସେବେଠୁ ଉଭୟ ଜେଲ୍‌ରେ ଅଛନ୍ତି।

Leave A Reply

Your email address will not be published.