ନୂଆଦିଲ୍ଲୀ: ଆଗାମୀ ୭ ନଭେମ୍ବରରୁ ସାରା ରାଜ୍ୟରେ ପାଳନ କରାଯିବ ଜଳ ଦୀପାବଳି। ଏହି ଦିନରୁ “ମହିଳାଙ୍କ ପାଇଁ ଜଳ, ଜଳ ପାଇଁ ମହିଳା ଅଭିଯାନ”ର ଶୁଭାରମ୍ଭ ହେବାକୁ ଯାଉଛି। ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏହାର ପ୍ରମୁଖ ଯୋଜନା ଅଟଳ ମିଶନ ଫର ରିଜୁଭେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ (ଅମୃତ) ଅଧୀନରେ ମନ୍ତ୍ରଣାଳୟର ଜାତୀୟ ସହରାଞ୍ଚଳ ଜୀବିକା ମିଶନ (ଏନୟୁଏଲଏମ) ସହ ଭାଗିଦାରୀରେ ଏକ ପ୍ରଗତିଶୀଳ ପଦକ୍ଷେପ ଭାବେ “ମହିଳାଙ୍କ ପାଇଁ ଜଳ, ଜଳ ପାଇଁ ମହିଳା ଅଭିଯାନ”ର ଶୁଭାରମ୍ଭ କରିବାକୁ ଯାଉଛି। ଏଥିରେ ଓଡ଼ିଶା ଅର୍ବାନ ଏକାଡେମୀ ହେଉଛି ବୌଦ୍ଧିକ ସହାୟକ। ଏହି ଅଭିଯାନ ଅଧିନରେ “ଜଳ ଦୀପାବଳି” ପାଳନ କରାଯିବ ଏବଂ ଏହା ୭ ନଭେମ୍ବରରୁ ଆରମ୍ଭ ହୋଇ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।
ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଜଳ ପ୍ରଶାସନ କ୍ଷେତ୍ରରେ ମହିଳା ମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବା। ସେମାନଙ୍କୁ ନିଜ ନିଜ ସହରରେ ଥିବା ଜଳ ବିଶୋଧନ ପ୍ଲାଂଟ (ଡବ୍ଲ୍ୟୁଟିପି) ପରିଦର୍ଶନ ମାଧ୍ୟମରେ ଜଳ ବିଶୋଧନ ପ୍ରକ୍ରିୟା ବିଷୟରେ ପ୍ରାଥମିକ ଜ୍ଞାନ ପ୍ରଦାନ କରାଯିବ। ଏହି ପରିଦର୍ଶନ ଦ୍ୱାରା ଘରେ ଘରେ ବିଶୁଦ୍ଧ ଏବଂ ନିରାପଦ ପାନୀୟ ଜଳ ପହଞ୍ଚାଇବାରେ ସମ୍ପୃକ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ବିଷୟରେ ସଚେତନତା ସୃଷ୍ଟି ହେବ। ଏହା ବ୍ୟତୀତ ମହିଳାମାନେ ଜଳର ଗୁଣବତ୍ତା ପରୀକ୍ଷା ପ୍ରୋଟୋକଲ ବିଷୟରେ ବୁଝି ପାରିବେ ଯାହା ନାଗରିକ ମାନଙ୍କୁ ଆବଶ୍ୟକ ଗୁଣବତ୍ତା ସମ୍ପନ୍ନ ପାଣି ଯୋଗାଇବା ସୁନିଶ୍ଚିତ କରିବ। ଜଳ ଭିତ୍ତିଭୂମି ପ୍ରତି ମହିଳାମାନଙ୍କ ମଧ୍ୟରେ ମାଲିକାନା ଏବଂ ସମ୍ପୃକ୍ତିର ଭାବନା ଜାଗ୍ରତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ।
ଭାରତରେ ୩,୦୦୦ରୁ ଅଧିକ ଜଳ ବିଶୋଧନ ପ୍ଲାଣ୍ଟ ଅଛି, ଯାହାର ଜଳ ବିଶୋଧନ କ୍ଷମତା ୬୫,୦୦୦ ଏମ୍ଏଲ୍ଡି ଏବଂ ପରିଚାଳନା କ୍ଷମତା ୫୫,୦୦୦ ଏମ୍ଏଲ୍ଡିରୁ ଅଧିକ ରହିବ ବୋଲି ପରିକଳ୍ପନା କରାଯାଇଛି। ଏହି ଅଭିଯାନ ସମୟରେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ୫୫୦ ରୁ ଅଧିକ ଜଳ ବିଶୋଧନ ପ୍ଲାଣ୍ଟ ପରିଦର୍ଶନ କରିବେ। ଯାହାର ମିଳିତ କାର୍ଯ୍ୟକ୍ଷମ କ୍ଷମତା ୨୦,୦୦୦ ଏମ୍ଏଲ୍ଡି (ଦେଶର ସମୁଦାୟ ୩୫%ରୁ ଅଧିକ)।
ପାରମ୍ପରିକ ଭାବରେ ପୁରୁଷ ପ୍ରଧାନ କ୍ଷେତ୍ରରେ ଅନ୍ତର୍ଭୁକ୍ତିକରଣ ଏବଂ ବିବିଧତାକୁ ପ୍ରୋତ୍ସାହିତ କରି ଲିଙ୍ଗଗତ ସମାନତା ପ୍ରସଙ୍ଗର ସମାଧାନ କରିବା ଏହି ଅଭିଯାନର ଉଦ୍ଦେଶ୍ୟ । “ମହିଳାଙ୍କ ପାଇଁ ଜଳ, ଜଳ ପାଇଁ ମହିଳା ଅଭିଯାନ”, “ଜଳ ଦୀପାବଳି” ର ପ୍ରଥମ ପର୍ଯ୍ୟାୟରେ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ (ଆଦର୍ଶ ଆଚରଣ ବିଧି ଅଧୀନରେ ୫ଟି ରାଜ୍ୟକୁ ବାଦ୍ ଦେଇ) ଅଂଶଗ୍ରହଣ କରିବେ, ଯେଉଁଥିରେ ଦେଶବ୍ୟାପୀ ୧୫,୦୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଭାଗ ନେବେ।
Comments are closed.