ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମର ପ୍ରଚଣ୍ଡ ପ୍ରହାର ଲୋକଙ୍କୁ ଅସ୍ତବ୍ୟସ୍ତ କରେ । ଅତ୍ୟଧିକ ଗରମ କାରଣରୁ ଲୋକଙ୍କ ହାଲ ବେହାଲ ହୋଇଯାଏ । ପ୍ରତିବର୍ଷ ଗରମ ରେକଡ ଭାଙ୍ଗେ । ଆକାଶରୁ ଯେମିତି ବର୍ଷା ହୁଏ ନିଆଁ । ଗ୍ରୀଷ୍ମର ପ୍ରଭାବକୁ ସହ୍ୟ ନ କରିପାରି ଅନେକ ଲୋକ ମୃତ୍ୟୁବରଣ ବି କରନ୍ତି । ଗ୍ରୀଷ୍ଣର ପ୍ରଭାବ ଏତେ ଥାଏ ଯେ ରାସ୍ତାଘାଟ ବି ତରଳି ଯାଉଥିବା ନଜର ଅଛି । ସୂର୍ଯ୍ୟଙ୍କର ପ୍ରଚଣ୍ଡ ଉତ୍ତାପରୁ ଲୋକଙ୍କୁ ଟିକେ ଆଶ୍ବସ୍ତି ଦେବାକୁ ଆଗକୁ ଆସିଛନ୍ତି ଦିଲ୍ଲୀର ପଞ୍ଛିଲବାଗର ରହୁଥିବା ଜଣେ ୭୦ ବର୍ଷିୟ ବ୍ୟକ୍ତି । ଅଲଗ ନଟରାଜନ । ଏହି ବ୍ୟକ୍ତିଙ୍କ ରାଜଧାନୀର ଅଲଗା ଅଲଗା ଯାଗାରେ ୬୦ରୁ ଅଧିକ ମାଠିଆ ଲଗାଇଛନ୍ତି । ଆଉ ଲୋକଙ୍କୁ ନିଶୁଳ୍କ ପାଣି ପିଆଉଛନ୍ତି ।
ଅଲଗ ନଟରାଜନ ପ୍ରତିଦିନ ହଜାର ହଜାର ଲୋକଙ୍କ ଶୋଷ ମେଣ୍ଟାଉଛନ୍ତି । ଏହି କାମରେ ସେ ସକାଳ ୪ଟାରୁ ହିଁ ଲାଗିଯାଆନ୍ତି । ରାହାଗିରି ଓ ମଜଦୁରମାନଙ୍କର ଶୋଷ ମେଣ୍ଟାଇବାକୁ ସେ ଖାସ୍ ଭାବେ ଏକ ଭ୍ୟାନ ତିଆରି କରିଛନ୍ତି । ଘରୁ ଗୋଟିଏ ଡ୍ରମରେ ପାଣି ଫୁଲ କରି ନିଅନ୍ତି । ଆଉ ରାସ୍ତା କଡରେ ରଖାଯାଇଥିବା ମାଠିଆକୁ ଭ୍ୟାନରେ ଲାଗିଥିବା ମୋଟର ସାହାଯ୍ୟରେ ଭରନ୍ତି । ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଯେପରି ଏହି ମାଠିଆରୁ ଥଣ୍ଡା ଓ ସ୍ବଚ୍ଛ ପାଣି ପାଇପାରିବେ । ଲୋକଙ୍କୁ ନିଶୁଳ୍କ ପାଣିର ବ୍ୟବସ୍ଥା କରିବା କାରଣରୁ ଲୋକେ ତାଙ୍କୁ ମଟକା ମ୍ୟାନ୍ ନାଁରେ ଡାକନ୍ତି ।
ନଟରାଜନ ଜଣେ ରିଟାୟର୍ଡ ଇଞ୍ଜିିନିଅର । ଲଣ୍ଡନରେ ୩୨ ବର୍ଷ ଇଞ୍ଜିନିଅର ଭାବେ କାମ କରିବା ପରେ ୨୦୦୫ରେ ସେ ଭାରତ ଫେରନ୍ତି । ଗୋଟିଏ ସମୟ ଥିଲା ଯେବେ ସେ କ୍ୟାନ୍ସର ଭଳି ରୋଗର କବଜାରେ ଥିଲେ । କ୍ୟାନ୍ସରକୁ ସଫଳତା ପୂର୍ବକ ମାତ ଦେବା ପରେ ନଟରାଜନଙ୍କ ମନରେ ସମାଜ ସେବାର ଭାବନା ଜାଗ୍ରତ ହୁଏ । ଏହାପରେ ସେ ମାଠିଆ କିଣି ବାହାରି ପଡନ୍ତି ଲୋକଙ୍କ ଶୋଷ ମେଣ୍ଟାଇବାକୁ । ନଟରାଜନ ମାଠିଆ ଷ୍ଟାଣ୍ଡରେ ୪ରୁ ୫ ଥର ଚକ୍କର ଲଗାନ୍ତି । ଯେମିତି କୌଣସି ବି ମାଠିଆ ଖାଲି ନ ରହିଯିବ । ତାଙ୍କର ଏହି ନିଆରା ତରିକା ଦେଖି ଆଜି ଅନେକ ଲୋକ ତାଙ୍କ ଠାରୁ ପ୍ରଭାବିତ ହେଉଛନ୍ତି । ଖାଲି ସେତିକି ନୁହେଁ ନଟରାଜନ କ୍ୟାନ୍ସର ହସ୍ପିଟାଲ ମାନଙ୍କରେ ସେବା ବି ବାଣ୍ଟିଛନ୍ତି । ଗରିବଙ୍କ ଅନ୍ତିମ ସଂସ୍କାର ପାଇଁ ସେ ଯଥା ସମ୍ଭବ ସାହାଯ୍ୟ କରନ୍ତି ।
ପରିଚୟ ମଟକା ମ୍ୟାନର କିନ୍ତୁ ନଟରାଜନ ତାଙ୍କ ଗାଡିରେ ଖିରି, ଲସି, ତରଭୁଜ ବି ରଖିଛନ୍ତି । ରାସ୍ତାରେ କାହାର ବି ଦେହ ଖରାପ ହେଲେ ଯେମିତି ତୁରନ୍ତ ତାଙ୍କୁ ସାହାଯ୍ୟ କରିପାରିବ । ସାଇକେଲରେ ପ୍ରେସର ଦେବା ପାଇଁ ନଟରାଜନ ତାଙ୍କ ଗାଡିରେ ପମ୍ପ ମଧ୍ୟ ରଖିବାକୁ ଭୁଲନ୍ତି ନାହିଁ । ଏହାସହ ଫ୍ରିରେ ଲୋକଙ୍କ ସାଇକେଲରେ ଘଣ୍ଟି ବି ଲଗାନ୍ତି । ନଟରାଜନଙ୍କ କହିବା କଥା ଧନୀମାନଙ୍କ ପାଇଁ ଚିନ୍ତା କରିବାକୁ ଅନେକ ଅଛନ୍ତି, କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଚିନ୍ତା କରିବାକୁ ବହୁତ କମ ଆଗକୁ ଆସନ୍ତି । ନଟରାଜନ ଏ ସମସ୍ତ କାମ ନିଜ ସାମର୍ଥ୍ୟରେ ହିଁ କରନ୍ତି । ଏଥିପାଇଁ ସେ କାହାର ସାହାଯ୍ୟ ନିଅନ୍ତିନି ।
ଦିଲ୍ଲୀରେ ଅଲଗ ନଟରାଜନ ପ୍ରକୃତରେ ଅନ୍ୟ ବ୍ୟକ୍ତିଙ୍କଠାରୁ ବହୁତ ଅଲଗା । ସେ ପ୍ରମାଣିତ କରି ଦେଖାଇଛନ୍ତି କୌଣସି ପରିବର୍ତ୍ତନ ଆଣିବା ପାଇଁ ସଂକଳ୍ପ ଜରୁରୀ । ଦୃଢ ସଂକଳ୍ପ ହିଁ ଜଣଙ୍କୁ ଆଗକୁ ବଢିବାକୁ ତାକତ ଆଉ ସାହାସ ଦେଇଥାଏ ।
Comments are closed.