ନୂଆଦିଲ୍ଲୀ: ଶରୀର ପାଇଁ ପର୍ଯ୍ୟପ୍ତ ପରିମାଣର ନିଦ୍ରା ଆବଶ୍ୟକ । ନହେଲେ ସ୍ବାସ୍ଥ୍ୟବସ୍ଥା ବିଗିଡିପାରେ । ପ୍ରତିଟି ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ଠଶରୁ ଏହି ଉକ୍ତି ନିହାତି ଶୁଣିଥିବେ । ଆଉ ଯେତେବେଳେ ଆମେ ପର୍ଯ୍ୟାପ୍ତ ନିଦ ବି ନ ପାଉ, ସେତେବେଳେ ଆମେ କ୍ଳାନ୍ତ ହିଁ ଅନୁଭବ କରୁ । ପୂରା ଦିନଟି ହିଁ ଆମର ଆଳସ୍ୟରେ କଟିଯାଏ । ଡାକ୍ତରମାନେ ମଧ୍ୟ ପରାମର୍ଶ ଦିଅନ୍ତି ଯେ ସମସ୍ତଙ୍କ ପାଇଁ ୮ ଘଣ୍ଟା ଶୋଇବା ଆବଶ୍ୟକ । ନହେଲେ ଅସୁସ୍ଥ ମଧ୍ୟ ହୋଇପାରନ୍ତି । କିନ୍ତୁ ଜଣେ ଏମିତି ବ୍ୟକ୍ତି ରହିଥିଲେ, ଯିଏ କି ଦାବି କରନ୍ତି, ସେ କେବେ ବି ଶୋଇନଥିଲେ…..
ଆଲବର୍ଟ ହର୍ପିନ୍ ନାମକ ଜଣେ ବ୍ୟକ୍ତି ଦାବି କରିଥିଲେ, ଯେ ସେ ତାଙ୍କ ଜୀବନରେ କେବେ ଶୋଇ ନାହାଁନ୍ତି । ଯାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୁଏ, ଏହା କ’ଣ ସମ୍ଭବ? ତେବେ ଆସନ୍ତୁ ଜାଣିବା କ’ଣ ଥିଲା ଆଲବର୍ଟ ହାର୍ପିନଙ୍କ ଆଶ୍ଚର୍ଯ୍ୟଜନକ କାହାଣୀ….କେମିତି କଟିଥିଲା ତାଙ୍କ ଜୀବନ?
ଆଲବର୍ଟ ହର୍ପିନ ୧୮୬୨ ମସିହାରେ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ସେ ନ୍ୟୁ ଜର୍ସିର ଟ୍ରେଣ୍ଟନରେ ବଡ ହୋଇଥିବା ବେଳେ ଆଲବର୍ଟ ଦାବି କରିଥିଲେ ୧୮୮୨ ମସିହାରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରଠାରୁ ସେ ଶୋଇ ନଥିଲେ । ସେ କହିଥିଲେ, ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଶୋଇବାର ସମସ୍ତ ଇଚ୍ଛା ହରାଇ ଦେଲେ ଏବଂ ଧୀରେ ଧୀରେ କମ୍ ନିଦ ପାଇବାକୁ ଲାଗିଲେ ।
ତାଙ୍କ କହିବାନୁସାରେ, ସେ ବିଶ୍ୱାସ କରନ୍ତି ନାହିଁ ଯେ, ଜଣେ ବ୍ୟକ୍ତିଙ୍କୁ ବଞ୍ଚିବା ପାଇଁ ପ୍ରକୃତରେ ନିଦ ଆବଶ୍ୟକ, ଆଉ ତାହା ସେ ପ୍ରମାଣ କରିପାରିବେ । ଏହାକୁ ନେଇ ଆଲବର୍ଟ ଦାବି କରିଥିଲେ, ସେ ଏକ ରକିଂ ଚେୟାରରେ ବିଶ୍ରାମ ନେଉଥିଲେ, ହେଲେ କେବେ ଶୋଇ ନାହାଁନ୍ତି । ପ୍ରତିଦିନ ସେ ତାଙ୍କ ରକିଂ ଚେୟାରରେ ଦୁଇ ଘଣ୍ଟା ଆରାମ କରୁଥିଲେ ଏବଂ ଖବରକାଗଜ ପଢ଼ୁଥିଲେ ।
ଆଉ ଏହାକୁ ନେଇ ଯେତେବେଳେ ସାମ୍ବାଦିକମାନେ ସତ୍ୟ ଜାଣିବା ପାଇଁ ତାଙ୍କ ଘରକୁ ଗଲେ, ସେମାନେ ଦେଖିଲେ ଯେ ତାଙ୍କ ଘରେ ଗୋଟିଏ ବି ବିଛଣା ନାହିଁ । କେବଳ ଗୋଟିଏ ରକିଂ ଚେୟାର ଥିଲା । ଆଲବର୍ଟଙ୍କ ନିକଟତର ଲୋକମାନେ ବି ଆଲବର୍ଟଙ୍କ କଥାକୁ ସମର୍ଥନ କରିଥିଲେ, କି ସେମାନେ ମଧ୍ୟ କେବେ ତାଙ୍କୁ ଶୋଇବା କିମ୍ବା ଘୁଙ୍ଗୁଡି ମାରିବାର ଦେଖି ନାହାଁନ୍ତି । ଯେତେବେଳେ ବି ଦେଖ, ସେ ସବୁବେଳେ ମାଟିପାତ୍ର ତିଆରି କରିବାରେ କିମ୍ବା ସାଜସଜ୍ଜାରେ ବ୍ୟସ୍ତ ରହୁଥିଲେ ।
ତେବେ ଏଭଳି ମାମଲାକୁ ନେଇ ଡାକ୍ତର କୁହନ୍ତି, ଆଲବର୍ଟଙ୍କ ଅନିଦ୍ରାର ଏକ ବିରଳ ମାମଲା ଥିଲା । ସେ ରାତିରେ ନଶୋଇ ମଧ୍ୟ ବଞ୍ଚି ପାରୁଥିଲେ । ସେ ହୁଏତ ଅଜାଣତରେ ଆଖି ବୁଜି ଦେଇଥିବେ, କିନ୍ତୁ କେବେ ଜାଣିପାରି ନଥିଲେ । ନିଦ ନ ହେଲେ ସେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ଏବଂ ସମ୍ପୂର୍ଣ୍ଣ ମିଛ ମଧ୍ୟ କହିପାରନ୍ତି । କିନ୍ତୁ ଡାକ୍ତରମାନେ କହିଛନ୍ତି, ଯେ ଏହାର ସମ୍ପୂର୍ଣ୍ଣ କାହାଣୀ କେହି ପ୍ରକୃତରେ ଜାଣି ନାହାଁନ୍ତି । ଆଲବର୍ଟ ତାଙ୍କ ସମଗ୍ର ଜୀବନ ବିନା ଶୋଇଥିଲେ ଏବଂ ୯୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ବୈଜ୍ଞାନିକ ଯୁକ୍ତିରେ ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି, ଜଣେ ବ୍ୟକ୍ତି ନ ଶୋଇ କିପରି ବଞ୍ଚିପାରିବ, ସେନେଇ ବିଜ୍ଞାନରେ ମଧ୍ୟ କିଛି ଠୋସ୍ ଯୁକ୍ତି ବଢାଯାଇନାହିଁ ।