ପୁରୀ: ଟଳିଗଲା ବଡ ଅଘଟଣ। ରଥଯାତ୍ରା ଦିନ ପୁରୀ ରେଳ ଷ୍ଟେସନରେ ଏକ ଦଳାଚକଟା ଅଘଟଣ ଟଳି ଯାଇଛି। ନହେଲେ ଚାଲିଯାଇଥାନ୍ତା ଅନେକ ଯାତ୍ରୀଙ୍କ ଜୀବନ। ଜିଆରପି ଓ ଆରପିଏଫ ଟିମର ଉପସ୍ଥିତ ବୁଦ୍ଧି ଯୋଗୁଁ ନିୟନ୍ତ୍ରଣରେ ରହିଲା ଦଳାଚକଟା ସ୍ଥିତି। ଅଘଟଣ ଏଡ଼ାଇ ଦେଇଛନ୍ତି GRP ଓ RPF। ପୁରୀ ରେଳ ଷ୍ଟେସନରେ ଏକ ସମ୍ଭାବ୍ୟ ଦଳାଚକଟା ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ରେଲୱେ କର୍ତ୍ତୃପକ୍ଷ ଏଥିପାଇଁ ଉଭୟ ବାହିନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ରଥଟଣା ବନ୍ଦ ହେବା ପରେ ହଜାର ହଜାର ଭକ୍ତ ଘରକୁ ଫେରିବା ପାଇଁ ଟ୍ରେନରେ ଚଢ଼ିବାକୁ ରେଳ ଷ୍ଟେସନ ଆଡ଼କୁ ଧାଇଁଥିଲେ। ଷ୍ଟେସନ ଓ ତା’ର ଆଖପାଖ ଅଞ୍ଚଳରେ ହଠାତ୍ ବଡ଼ ଧରଣର ଭିଡ଼ ଆରମ୍ଭ ହୋଇ ଯାଇଥିଲା। ପରିସ୍ଥିତିକୁ ଦେଖି GRP ଓ RPFର ବରିଷ୍ଠ ଅଧିକାରୀମାନେ ତୁରନ୍ତ ଏହାକୁ ନିୟନ୍ତ୍ରଣ କରିବାକୁ ରଣନୀତି ଆରମ୍ଭ କରିଥିଲେ। ସମୟୋପଯୋଗୀ ପଦକ୍ଷେପ ଯୋଗୁଁ କୌଣସି ବିପଦଜନକ ସ୍ଥିତି ସୃଷ୍ଟି ହୋଇନଥିଲା ।
ରେଳୱେ ଷ୍ଟେସନର ମୁଖ୍ୟ ଦ୍ୱାର, ଷ୍ଟେସନ ଭବନ ପ୍ରବେଶଦ୍ୱାର, କନକୋର୍ସ ଅଞ୍ଚଳ ଏବଂ ପ୍ଲାଟଫର୍ମ ଆଦି ସମସ୍ତ ପ୍ରମୁଖ ପ୍ରବେଶ ପଥରେ ରଶି ବ୍ୟବହାର କରି ତୁରନ୍ତ ମାନବ ଶୃଙ୍ଖଳ ଗଠନ କରାଯାଇଥିଲା। ଯାହା ଭିଡ଼କୁ ନିୟନ୍ତ୍ରଣ କରିଥିଲା । ବିଶେଷ ଭାବେ ବୃଦ୍ଧ, ମହିଳା ଏବଂ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ପ୍ରୟାସ କରାଯାଇଥିଲା। ଅତ୍ୟଧିକ ଭିଡ଼ ଯୋଗୁଁ କିଛି ବ୍ୟକ୍ତି ଅଚେତ ହୋଇପଡ଼ିଥିଲେ ବୋଲି ସୂଚନା ମିଳିଛି। ଏହି ଯାତ୍ରୀମାନଙ୍କୁ GRP ଏବଂ ODRAF ଦ୍ୱାରା ତୁରନ୍ତ ଉଦ୍ଧାର କରାଯାଇ, ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ପରେ ସେମାନଙ୍କୁ ସେମାନଙ୍କର ନିଜ ନିଜ ଟ୍ରେନରେ ଚଢ଼ିବାରେ ସାହାଯ୍ୟ କରାଯାଇଥିଲା।
ରେଲୱେ ଏଡିଜି ଅରୁଣ ବୋଥ୍ରା ଏବଂ ରେଳବାଇ ଏସପି ବିବେକାନନ୍ଦ ଶର୍ମା ଅଧିକ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ବ୍ୟକ୍ତିଗତ ଭାବେ ତଦାରଖ କରିଥିଲେ। ପବିତ୍ର ରଥଯାତ୍ରାରେ ସାମିଲ ହେବା ପାଇଁ ବଡଦାଣ୍ଡରେ ଭିଡ ଲାଗିଛି। ତେବେ ଗତକାଲି ଶରଧାବାଲିରେ ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଜିଲ୍ଲାପାଳ ଏସ୍ପିଙ୍କୁ ବଦଳି କରାଯାଇଛି। ରଥଯାତ୍ରାରେ ଭିଡ଼ ପରିଚାଳନାର ବିଫଳତା ଯୋଗୁଁ ଶହ ଶହ ଭକ୍ତ ଆହତ ହେଲେ। ଏହାର ଦିନକ ପରେ ଶରଧା ବାଲିରେ ଦଳାଚକଟା ଘଟଣାରେ ମୃତ୍ୟୁକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ସାଧାରଣ ଜନତା। ଏହାରି ଭିତରେ ପୁରୀ ରେଳ ଷ୍ଟେସନରେ ହେବାକୁ ଥିବା ବଡ ଅଘଟଣ ଟଳି ଯିବାରୁ ଖୁସି ଅଛନ୍ତି ଜନ ସାଧାରଣ।
Comments are closed.