ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧବିରତି ସାରା ବିଶ୍ବ ପାଇଁ ଆଶ୍ବସ୍ତି ଆଣିଛି । ଯୁଦ୍ଧବିରତି ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଫଳରେ ୧୨ଦିନ ଧରି ମଧ୍ୟପ୍ରାଚ୍ୟରେ ଚାଲିଥିବା ଏହି ଭୟାବହ ଯୁଦ୍ଧ ବନ୍ଦ ହୋଇଛି । ଯୁଦ୍ଧବିରତି ନେଇ ଉଭୟ ଇରାନ ଓ ଇସ୍ରାଏଲ ସହନଶୀଳତା, ସାହାସ ଓ ବୁଦ୍ଧିମତା ଦେଖାଇଥିବାରୁ ଲମ୍ବା ସମୟ ଧରି ଚାଲିବା ଆଶଙ୍କା ଥିବା ଯୁଦ୍ଧ ଶେଷ ହୋଇଛି । କାରଣ ମଧ୍ୟପ୍ରାଚ୍ୟର ଏହି ସଂଘର୍ଷରେ ଆମେରିକାର ଏଣ୍ଟ୍ରି ପରେ ଏହା ସାରା ବିଶ୍ବକୁ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଥିଲା । ତେବେ ପ୍ରଶ୍ନ ଉଠୁଛି, ଯୁଦ୍ଧରେ ଜିତିଲା କିଏ? କୁହାଯାଉଛି ଯୁଦ୍ଧବିରତି ଇରାନ, ଇସ୍ରାଏଲ୍ ଓ ଆମେରିକାର ରଣନୈତିକ ହିତ ସାଧନ କରୁଛି ।
କାହିଁକି ଇସ୍ରାଏଲ୍ ପାଇଁ ବିଜୟ?
ଇରାନର ପରମାଣୁ ଶକ୍ତି ନଷ୍ଟ କରିବା ହିଁ ଇସ୍ରାଏଲର ପ୍ରାଥମିକ ଲକ୍ଷ୍ୟ ଥିଲା । ଆଉ ଯୁଦ୍ଧରେ ଇରାନର ପରମାଣୁ ପ୍ରସ୍ତୁତକାରୀ ଶକ୍ତିକୁ ବ୍ୟାପକ କ୍ଷତି କରିଛି । ଜୁନ୍ ୧୩ତାରିଖରୁ ଆରମ୍ଭ ହୋଇଥିବା ଆକ୍ରମଣରେ ଇରାନର ଫୋର୍ଡୋ, ନତାଞ୍ଜ ଓ ଇସ୍ଫାହାନ ପରି ପ୍ରମୁଖ ପରମାଣୁସ୍ଥଲକୁ ନିଶାନା ବନାଇଥିଲା ଇସ୍ରାଏଲ୍ । ଗତ ରବିବାର ଆମେରିକାର ବି-ଟୁ ବିମାନରୁ ବଙ୍କର ବଷ୍ଟର ଆକ୍ରମଣ ପରମାଣୁ କେନ୍ଦ୍ରର ଭିତ୍ତିଭୂମିରେ ବ୍ୟାପକ କ୍ଷୟକ୍ଷତି କରିଛି । ସେଦୃଷ୍ଟିରୁ ଯୁଦ୍ଧରେ ବଡ଼ ରଣନୈତିକ ବିଜୟ ହାସଲ କରିଛି ଇସ୍ରାଏଲ୍ । ସେହିପରି ପଶ୍ଚିମ ଏସିଆରେ ସେନା ଓ ନେତୃତ୍ବର ଶ୍ରେଷ୍ଠତା ପ୍ରମାଣ କରିଛି । ତେବେ ଯୁଦ୍ଧ ବଢିବା ସହ ଇସ୍ରାଏଲର ସାମରିକ ଓ ରଣନୈତିକ ସମସ୍ୟା ସାମନାକୁ ଆସିଥିଲା । ତେଲ ଅବୀବ, ଜେରୁଜେଲମ, ବେୟର ସେବା ପରି ସହରରେ ଇରାନର ମିସାଇଲ୍ ଆକ୍ରମଣରେ ଅନେକଙ୍କ ମୃତ୍ୟୁ ହୋଇଥିଲା । ତେଣୁ ଯୁଦ୍ଧବିରତିରେ ସହମତ ହୋଇ ଇସ୍ରାଏଲ୍ ଜନଜୀବନ ଓ ଅର୍ଥନୈତିକ କ୍ଷୟକ୍ଷତିରୁ ରକ୍ଷା ପାଇଛି ।
ଇରାନକୁ ଏସବୁ ଫାଇଦା
ଯୁଦ୍ଧରେ ଇରାନର ନେତାଙ୍କ ପ୍ରତି ଜନତାଙ୍କ ସ୍ବୀକୃତି ବଢିଛି । ଦେଶର ସୁପ୍ରିମ ଲିଡର ଅୟାତୁଲ୍ଲାହ ଅଲୀ ଖୋମେନେଇ ଓ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ବା ଆଇଆରଜିସିର ନେତୃତ୍ବକୁ ଇରାନ ନାଗରିକଙ୍କ ସମର୍ଥନ ମିଳିଲା । ଯୁଦ୍ଧବିରତି ଏହି ସମର୍ଥନ ଆଗକୁ ବି ରହିବା ନେଇ ସହଯୋଗ କରିବ । ଯୁଦ୍ଧବିରତି ପାଇଁ ଇରାନ ସହମତ ହୋଇନଥିଲେ ଦେଶକୁ ଅଧିକ କ୍ଷତି ସହିବାକୁ ପଡିଥାନ୍ତା । କାରଣ ଇରାନର ମିସାଇଲ ଡିଫେନ୍ସ ସିଷ୍ଟମ ଆରମ୍ଭରୁ ବିଫଳ ହୋଇଥିଲା । ନା ଇସ୍ରାଏଲର ବିମାନକୁ ରୋକି ପାରିଥିଲା ନା ଆମେରିକାର ବି-ଟୁ ବମ୍ବରକୁ ଚ୍ୟାଲେଞ୍ଜ କରିପାରିଥିଲା । କତରରେ ଆମେରିକାର ଏୟାରବେସ୍ ଉପରେ ଆକ୍ରମଣ କରି ନିଜ ଶକ୍ତି ଦେଖାଇଛି ଇରାନ । ତେବେ ଠିକ୍ ସମୟରେ ଯୁଦ୍ଧବିରତି ହୋଇନଥିଲେ ଆମେରିକା ଆକ୍ରମଣର ସାମନା କରିବାକୁ ପଡିଥାନ୍ତା । ଯୁଦ୍ଧବିରତି ଇରାନକୁ ସାମରିକ ଓ କୁଟନୈତିକ ସ୍ଥିତି ପୁନର୍ଗଠନ କରିବାକୁ ସୁଯୋଗ ଦେଇଛି ।
ଯୁଦ୍ଧବିରତିରେ କାହିଁକି ଖୁସି ଆମେରିକା?
ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧବିରତିକୁ ଟ୍ରମ୍ପଙ୍କ କୁଟନୈତିକ ବିଜୟ କୁହାଯାଇପାରେ । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ନେଇ ନିଜେ ଶ୍ରେୟ ନେଉଥିବା ଟ୍ରମ୍ପ ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ବନ୍ଦକୁ ନିଜ ସଫଳତା ଭାବେ ଦେଖାଇବେ । ଫଳରେ ବିଶ୍ବରେ ଟ୍ରମ୍ପଙ୍କ ଛବି ଆହୁରି ମଜବୁତ ହୋଇପାରେ । ଇରାନର ପରମାଣୁ କେନ୍ଦ୍ରରେ ବ୍ୟାପକ କ୍ଷୟକ୍ଷତି କରିଛି ଆମେରିକା । ଫଳରେ ଦେଶର ପରମାଣୁ କାର୍ଯ୍ୟକ୍ରମରେ ଅଙ୍କୁଶ ଲାଗିବ । ତେବେ ଏହାପରେ ତୁରନ୍ତ ଯୁଦ୍ଧବିରତି କରି ନିଜ ଭୂମିକା ସୀମିତ ରଖିଛି ଆମେରିକା । ଯୁଦ୍ଧ ସମୟରେ ତୈଳ ଦର ବୃଦ୍ଧି ହେବା ସହ ଆମେରିକା ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ତେଣୁ ଯୁଦ୍ଧବିରତି ଆମେରିକା ପାଇଁ ଉଭୟ ଆର୍ଥିକ ଓ ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ । କାରଣ ଯୁଦ୍ଧ ଲମ୍ବା ସମୟ ଧରି ଚାଲିଥିଲେ ଇରାନ ଷ୍ଟ୍ରେଟ୍ ଅଫ୍ ହାର୍ମୁଜ ଉପରେ ରୋକ୍ ଲଗାଇ ଦେଇଥାନ୍ତା । ଯୁଦ୍ଧବିରତି ବଡ଼ ଯୁଦ୍ଧକୁ ରୋକିଛି, ଫଳରେ ଆମେରିକା ସେନା ଠିକଣା ଓ ସ୍ବାର୍ଥର ରକ୍ଷା ହୋଇଛି । ଯୁଦ୍ଧ ଇରାନ, ଇସ୍ରାଏଲ୍ ଓ ଆମେରିକା ପାଇଁ ବିନାଶକାରୀ ସାବ୍ୟସ୍ତ ହୋଇଥାନ୍ତା । ତେବେ ଏହି ବିପଦ ଦୂର କରିଛି ଯୁଦ୍ଧବିରତି ।
Comments are closed.