Latest Odisha News

BREAKING NEWS

ବାଦ୍ ପଡ଼ିଥିବା ଚାଷୀ ହେବେ ଚିହ୍ନଟ, ମିଳିବ କ୍ଷତିପୂରଣ

ଭୁବନେଶ୍ବର: ବାଦ୍ ପଡିଥିବା ଚାଷୀଙ୍କୁ ପୁଣି ଥରେ ଚିହ୍ନଟ କରାଯାଇ କ୍ଷତିପୂରଣ ଦିଆଯିବ । ବାତ୍ୟା ଓ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ ଯଦି ଚିହ୍ନଟ ହୋଇ ବାଦ୍ ପଡ଼ିଛନ୍ତି ତେବେ ତାଙ୍କୁ ଏବେ ବି କ୍ଷତି ପୂରଣ ମିଳିବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କେହି ବି କ୍ଷତି ପୂରଣ ପାଇବାରୁ ବଞ୍ଚିତ ହେବେ ନାହିଁ ବୋଲି ମନ୍ତ୍ରୀ ମତ ରଖିଛନ୍ତି ।

ମନ୍ତ୍ରୀ କହିଛନ୍ତି, ଚିହ୍ନଟ ହୋଇ ବାଦ୍ ପଡ଼ିଥିବା ଚାଷୀଙ୍କୁ କ୍ଷତି ପୂରଣ ଦେବୁ । ଏଥିରେ କିଛି ଅସୁବିଧା ନାହିଁ । ସର୍ଭେ ଅନୁଯାୟୀ, ଯାହା ବି ସବୁ ଆବଶ୍ୟକ ଥିଲା ତାହା ବିଭାଗ ପକ୍ଷରୁ ପୂରଣ କରାଯାଇଛି । ଫସଲ ନଷ୍ଟ ହୋଇଥିବା ଚାଷୀ ଏବଂ ଘର କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯାଇଛି । ଏଥିପାଇଁ ରାଜ୍ୟସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ୨୯୨ କୋଟି ଟଙ୍କା ଜିଲ୍ଲାମାନଙ୍କୁ ପ୍ରଦାନ କରାଯାଇଛି । ତଥାପି ଯଦି ଚିହ୍ନ ହୋଇଥିବା ଚାଷୀ ବାଦ୍ ପଡିଛନ୍ତି, ସେମାନଙ୍କୁ କ୍ଷତିପୂରଣ ନିଶ୍ଚିତ ମିଳିବ ।

ତେବେ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ବାତ୍ୟା ଓ ଅଦିନିଆ ବର୍ଷାରେ ୩୩% ରୁ ଅଧିକ ଫସଲ କ୍ଷତି ହୋଇଥିବା ଚାଷୀମାନଙ୍କୁ ଇନପୁଟ୍ ସବସିଡି ଆକାରରେ କ୍ଷତିପୂରଣ ମିଳିବ। କୃଷି ଫସଲ, ଉଦ୍ୟାନ ଫସଲ ଏବଂ ବାର୍ଷିକ ଚାଷ ଫସଲ ପାଇଁ, ଚାଷୀମାନଙ୍କୁ ବର୍ଷା ନିର୍ଭରଶୀଳ ଅଞ୍ଚଳରେ ହେକ୍ଟର ପିଛା ୮.୫୦୦ ଟଙ୍କା ଏବଂ ନିଶ୍ଚିତ ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୧୭,୦୦୦ ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଥିଲା । ହେଲେ ବିଭିନ୍ନ ସ୍ଥାନରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଏବେ ବି ସହାୟତାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି ।

Comments are closed.