Latest Odisha News

BREAKING NEWS

ସ୍ୱାଭାବିକ ହେଲା ସ୍ଥିତି, ବାଲେଶ୍ୱର ସହରରୁ ଉଠିଲା ରାତ୍ରିକାଳୀନ କର୍ଫ୍ୟୁ

ବାଲେଶ୍ଵର: ବାଲେଶ୍ୱର ସହରରୁ ସମ୍ପୂର୍ଣ୍ଣ ଭାବରେ କର୍ଫ୍ୟୁ ପ୍ରତ୍ୟାହୃତ କଲା ପ୍ରଶାସନ । ସ୍ଥିତି ସ୍ୱାଭାବିକ ହେବା ପରେ କର୍ଫ୍ୟୁ ହଟାଇଛି ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ । ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ନେଇ କିଛିଦିନ ତଳେ କର୍ଫ୍ୟୁ ଲାଗିଥିଲା ।

ସୂଚନା ଅନୁସାରେ, ଗତ ଜୁନ ୧୭ ତାରିଖରେ ବାଲେଶ୍ଵରରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ ହୋଇଥିଲେ । ଏପରିକି ପୋଲିସ ଫୋର୍ସ ଉପରକୁ ପଥର ମାଡ଼ ଅଭିଯୋଗ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିଲା ପୁଲିସ । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଲେଶ୍ଵର ଏସପି ସାଗରିକା ନାଥଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ଏହି ହିଂସାକୁ ଶାନ୍ତ କରିବା ପାଇଁ ଉଦ୍ୟମ କରାଯାଇଥିଲା। ସମଗ୍ର ଅଞ୍ଚଳରେ ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବାସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୧୪୪ ଧାରା ଲାଗୁ କରାଯାଇଥିଲା।

ତେବେ ପୋଲିସର ବନ୍ଦୋବସ୍ତ ସତ୍ତ୍ୱେ ସେହିଦିନ ବିଳମ୍ବିତ ରାତିରେ ବାଲେଶ୍ଵରର ଗୋଳାପୋଖରୀ, ମୋତିଗଞ୍ଜ, ସିନେମା ଛକ ଅଞ୍ଚଳକୁ ସଂଘର୍ଷ ବ୍ୟାପିଥିଲା। ଗଣ୍ଡ‌ଗୋଳକାରୀମାନେ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ପଥର ମାଡ଼ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ସହରବ୍ୟାପି କର୍ଫ୍ୟୁ ଜାରି କରାଯିବା ସହ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଥିଲା। ଏହା ସହ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଥିଲା। କର୍ଫ୍ୟୁ ବଳବତ୍ତର ଥିବା ବେଳେ ଅତ୍ୟାବଶକୀୟ ସାମଗ୍ରୀ ପାଇଁ ସାଧାରଣ ଲୋକଙ୍କ ଅସୁବିଧାକୁ ଲକ୍ଷ୍ୟ କରାଯାଇ ୭ଟାରୁ ୧୧ ଟା ଯାଏଁ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ପରେ ଏହାକୁ ଆଉ ଦୁଇଘଣ୍ଚା ବଢା ଯାଇଥିଲା । ତା’ପରେ ସକାଳ ୫ଟାରୁ ଦିନ ୨ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଥିଲା । ଏବେ ସମ୍ପୁର୍ଣ୍ଣ ଭାବରେ କର୍ଫ୍ୟୁ ଉଠାଇଛି ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.