ଭୁବନେଶ୍ୱର: ସବୁ ସରକାରୀ କାର୍ଯ୍ୟ ହେବ ଓଡ଼ିଆରେ। ସମୟ ଅବଧି ମଧ୍ୟରେ ସରିବ ପ୍ରକଳ୍ପ କାର୍ଯ୍ୟ। ନିୟମିତି ନିଯୁକ୍ତି ସହ ମିଳିବ ପଦୋନ୍ନତି। ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ଅନୁଷ୍ଠିତ ନିର୍ମାଣ ବିଭାଗର ସମୀକ୍ଷା ବୈଠକରେ ଏଭଳି କିଛି ନିଷ୍ପତ୍ତି ନିଆଯାଇଛି। ଏଥିସହ ନାମ ଫଳକ ମଧ୍ୟ ଓଡିଆରେ ଲେଖା ହେବ।
ସରକାରଙ୍କ ବାରମ୍ବାର ତାଗିଦ ପରେ ମଧ୍ୟ ବିଭିନ୍ନ ବିଭାଗ ଇଂରାଜୀରେ ଚିଠି କରୁଥିଲେ। ସରକାରଙ୍କ ନିଷ୍ପତ୍ତିକୁ ମାନୁନଥିଲେ। ଏସବୁ ଭିତରେ ନିର୍ମାଣ ବିଭାଗ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପାଦ ଆଗକୁ ବଢାଇଛି। ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ନିର୍ମାଣ ବିଭାଗର ସମୀକ୍ଷା ବୈଠକରେ ସବୁ ସରକାରୀ କାର୍ଯ୍ୟ ଓଡ଼ିଆରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଚିଠିପତ୍ର, ସରକାରୀ ନିର୍ଦ୍ଦେଶନାମା ଆଦି ଓଡ଼ିଆରେ କରିବା ପାଇଁ ନିର୍ମାଣ ବିଭାଗର ପ୍ରମୁଖ ସଚିବ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣ ବିଭାଗର ଏହି ସମୀକ୍ଷା ବୈଠକରେ ଖାଲିଥିବା ପଦ ପୂରଣ ଏବଂ ପଦୋନ୍ନତି ଅପେକ୍ଷାରେ ଥିବା ଯୋଗ୍ୟ ଅଧିକାରୀଙ୍କୁ ତୁରନ୍ତ ପଦୋନ୍ନତି ପାଇଁ ଗୁରୁତ୍ବ ଦିଆଯାଇଛି। ସମୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ନେଇ ଆଲୋଚନା ହୋଇଥିବା ବେଳେ ଅନ୍ଲାଇନ୍ ମାଧ୍ୟମରେ ସରକାରୀ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି।
Comments are closed.