ଯାଜପୁର:ଯାଜପୁର ସମେତ କେନ୍ଦୁଝର, ଢେଙ୍କାନାଳ, କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ଡାଇରିଆ ବ୍ୟାପିଛି। ଯାଜପୁର ଜିଲ୍ଲାର କିଛି ସ୍ଥାନରେ ହଇଜା ସଂକ୍ରମଣ ବ୍ୟାପିଲାଣି। ଏହାକୁ ନଜରରେ ରଖି ବରୀରେ ୨ ସପ୍ତାହ ପାଇଁ ବନ୍ଦ ରହିବ ସମସ୍ତ ହୋଟେଲ୍। ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।
ଏପରିକି ତେଜରାତି, ମିଠା ଦୋକାନ ସହ ଫାଷ୍ଟଫୁଡ, ଚାଟ, ଗୁପଚୁପ ଦୋକାନ , ଆଇସକ୍ରିମ ଓ ପାଣି ପାଉଚ କାରଖାନା ସହ ମାଛ, ଚିକେନ ଦୋକାନ ଆଦି ବନ୍ଦ ରଖିବାକୁ ତହସିଲଦାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି।
ବିନା ଅନୁମତିରେ ଦୋକାନ ଖୋଲିଲେ ଆଇନ୍ ଅନୁଯାୟୀ ଦଣ୍ଡିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଶାସନ ପକ୍ଷରୁ ବିବାହ, ବ୍ରତଘର, ଜନ୍ମଦିନ ତଥା ସମୂହ ଭୋଜିକୁ ବର୍ଜନ କରିବାକୁ ଅନୁରୋଧ କରାଯାଇଛି।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ମିଶ୍ର ଜଣାଇଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ସମୁଦାୟ ୧୭୭୧ ଜଣ ସଂକ୍ରମିତଙ୍କ ବ୍ୟକ୍ତିଙ୍କର ବିଭିନ୍ନ ହସ୍ପିଟାଲରେ ଆଡମିଶନ ହୋଇଛି । ସେମାନଙ୍କ ମଧ୍ୟରୁ ୧୫୦୮ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ଏବଂ ୨୫୮ ଜଣ ଚିକିତ୍ସିତ ହେଉଛନ୍ତି । ୫ଟି ଡାଇରିଆ ମୃତ୍ୟୁ ବିଷୟ ପରୀକ୍ଷା ପରେ ପ୍ରମାଣିତ ହୋଇଛି, ଏବଂ ଆଉ ୫ ଟି ଡାଇରିଆ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲୁରହିଛି ।
ଏପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ରୀୟ ଟିମ୍ ମାନେ ଆଜି ଯାଜପୁର ଓ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବ୍ ଡିଭିଜନର ପ୍ରଭାବିତ ଅଂଚଳରେ ଡାଇରିଆ ସ୍ଥିତିର ନିରୀକ୍ଷଣ କରିଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଘରକୁ ଘର ବୁଲି ପ୍ରାଥମିକ ଅବସ୍ଥାରୁ ଡାଇରିଆ ରୋଗୀମାନଙ୍କୁ ଚିହ୍ନଟ କରିବା ସହ ପ୍ରାରମ୍ଭିକ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଔଷଧ, ଓଆରଏସ୍ ପ୍ୟାକେଟ ଆଦି ଦେଇ ହସ୍ପିଟାଲକୁ ଯିବା ନିମନ୍ତେ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ଷେତ୍ରସ୍ତରୀୟ କାର୍ଯ୍ୟକ୍ରମ ଓ ସୋସିଆଲ ମିଡିଆ ମାଧ୍ୟମରେ ବ୍ୟାପକ ଭାବେ ସଚେତନତା କାର୍ଯ୍ୟକ୍ରମ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସହ ଲେ।କଙ୍କୁ ଅନୁରେ।ଧ କରାଯାଇଛି ଫୁଟା ପାଣି, ଗରମ ରନ୍ଧା ଖାଦ୍ୟ ଖାଇବେ ।
Comments are closed.