Latest Odisha News

BREAKING NEWS

ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ୍‌: ପୁରୁଷ ବର୍ଗରେ ପଞ୍ଜାବ ପୋଲିସ ଓ ମହିଳା ବର୍ଗରେ ସିଆରପିଏଫ୍ ଚାମ୍ପିୟନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ୍‌-୨୦୨୫ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ଓଡ଼ିଶାର ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପତି ଯୋଗ ଦେଇ ଚାମ୍ପିୟନ ହୋଇଥିବା ପଞ୍ଜାବ (ପୁରୁଷ) ଓ ସିଆରପିଏଫ (ମହିଳା) ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହା ସହ ରନର୍ସ ଅପ୍ ହୋଇଥିବା ସିଆରପିଏଫ (ପୁରୁଷ) ଓ ଏସଏସବି(ମହିଳା) ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଆଇଟିବିପି (ପୁରୁଷ ) ଓ ଓଡିଶା ପୋଲିସ (ମହିଳା) ଦଳକୁ ମଧ୍ୟ ରାଜ୍ୟପାଳ ଟ୍ରଫି ପ୍ରଦାନ କରିଥିଲେ ।

ତେବେ ମଙ୍ଗଳବାର ସନ୍ଧ୍ୟା ସମୟରେ ପୁରୁଷ ବର୍ଗରେ ପଞ୍ଜାବ ଓ ସିଆରପିଏଫ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପଞ୍ଜାବ, ସିଆରପିଏଫ ପୋଲିସ ଦଳକୁ ୨-୧ ଗୋଲ୍ ବ୍ୟବଧାନରେ ପରାସ୍ତ କରି ବିଜେତା ହୋଇଛି ।

ସେହିପରି ମହିଳା ବର୍ଗରେ ଏସଏସବି ଓ ସିଆରପିଏଫ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସିଆରପିଏଫ, ଏସଏସବି ପୋଲିସ ଦଳକୁ ୧-୦ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜେତା ହୋଇଛି ।

ଏହା ବ୍ୟତୀତ ମହିଳା ବର୍ଗରେ ଓଡ଼ିଶା ପୋଲିସ ତୃତୀୟ ସ୍ଥାନରେ ହାସଲ କରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି । ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଡ଼ିଶା ପୋଲିସ ଦଳ ଆଇଟିବିପିକୁ ପରାସ୍ତ କରିଛି । ସେହିପରି ପୁରୁଷ ବର୍ଗରେ ଆଇଟିବିପି ତୃତୀୟ ସ୍ଥାନରେ ହାସଲ କରିଛି । ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆଇଟିବିପି ଦଳ ବିଏସଏଫକୁ ପରାସ୍ତ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଏହି ପୋଲିସ ହକି ଚାମ୍ପିୟନସିପରେ ବିଭିନ୍ନ ରାଜ୍ୟ ପୋଲିସ ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଏବଂ କେନ୍ଦ୍ରୀୟ ପୋଲିସ ସଂଗଠନର ୨୬ଟି ପୁରୁଷ ଦଳ ଏବଂ ୯ଟି ମହିଳା ଦଳ ଏହି ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିଲେ । ଏହି ଅବସରରେ ରାଜ୍ୟପାଳ ହରି ବାବୁ କମ୍ଭମପତି ବିଜେତା ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ରନର୍ସ-ଅପ୍ ଏବଂ ଅନ୍ୟ ସମସ୍ତ ଅଂଶଗ୍ରହଣକାରୀ ଦଳର ସଦସ୍ୟମାନଙ୍କ ସମର୍ପଣ ଏବଂ ମନୋବଳକୁ ଉଚ୍ଚ ପ୍ରଶଂସା କରିଥିଲେ ।

ଭାରତୀୟ ପୋଲିସ ବିଭିନ୍ନ ବିଭାଗରେ ଅନେକ ଅସାଧାରଣ କ୍ରୀଡାବିତ ସୃଷ୍ଟି କରିଛି, ଯେଉଁମାନେ ଅନେକ ସମୟରେ ଦେଶ ପାଇଁ ଗର୍ବ ଆଣିଛନ୍ତି ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ରାଷ୍ଟ୍ରକୁ ସୁରକ୍ଷା ଦେବା ଏବଂ କ୍ରୀଡାରେ ଉତ୍କର୍ଷତା ହାସଲ କରିବାରେ ସେମାନଙ୍କର ଭୂମିକା ପ୍ରକୃତରେ ପ୍ରଶଂସନୀୟ ବୋଲି ସେ କହିଥିଲେ ।

ଅଖିଳ ଭାରତୀୟ ପୋଲିସ କ୍ରୀଡା ନିୟନ୍ତ୍ରଣ ବୋର୍ଡର ତତ୍ତ୍ୱାବଧାନରେ ଆୟୋଜିତ ଏହି ମେଗା ଇଭେଣ୍ଟକୁ ସଫଳତାର ସହିତ ଆୟୋଜନ କରିଥିବାରୁ ଡିଜିପି ଶ୍ରୀ ଖୁରାନିଆଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ରାଜ୍ୟପାଳ ପ୍ରଶଂସା କରିଥିଲେ ।

ଭାରତୀୟ ହକି ପ୍ରତି ଓଡ଼ିଶା ସରକାରଙ୍କ ସଦା ସର୍ବଦା ଦୃଢ଼ ସମର୍ଥନ ରହିଛି । ପ୍ରାୟୋଜକତା ଏବଂ ଭିତ୍ତିଭୂମି ବିକାଶରେ ରାଜ୍ୟ ସରକାରଙ୍କ ମହତ୍ୱପୂର୍ଣ୍ଣ ଅବଦାନ ରହିଛି । ଏହି ସମର୍ଥନ ଯୋଗୁଁ ଭାରତୀୟ ପୁରୁଷ ହକି ଦଳ କ୍ରମାଗତ ଦୁଇଟି ଅଲିମ୍ପିକ୍ସ-ଟୋକିଓ ୨୦୨୦ ଏବଂ ପ୍ୟାରିସ ୨୦୨୪ ରେ କାଂସ୍ୟ ପଦକ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାର ହକି ଉତ୍କର୍ଷତା ଉଜ୍ଜ୍ୱଳ ଭାବରେ ଝଲସୁଛି ବୋଲି ରାଜ୍ୟପାଳ କହିଥିଲେ । ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚାମ୍ପିଅନସିପ୍ ୨୦୨୪ ଓଡ଼ିଶା ବିଜେତା ହୋଇ ରାଜ୍ୟରେ କ୍ରୀଡ଼ାର ବର୍ଦ୍ଧିତ ଶକ୍ତିକୁ ପ୍ରତିଫଳିତ କରୁଛି ବୋଲି ରାଜ୍ୟପାଳ କହିଥିଲେ ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ଚାମ୍ପିୟନସିପ୍ ପୋଲିସ୍ ଫୋର୍ସଙ୍କ ମଧ୍ୟରେ ଏକତା, ଭାଇଚାରା, ଓ ମିତ୍ରତା ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି ବୋଲି କହିଥିଲେ । ଏହି ଚାମ୍ପିୟନସିପରେ ବହୁ ଅନ୍ତର୍ଜାତୀୟ ହକି ତାରକା ଯଥା, ବୀରେନ୍ଦ୍ର ଲାକ୍ରା, ମନପ୍ରିତ ସିଂ ସମେତ ଅନ୍ୟ ଖେଳାଳି ସାମିଲ ହୋଇ ଏହାର ମର୍ଯ୍ୟାଦାକୁ ଆହୁରି ରୁଦ୍ଧିମନ୍ତ କରିଥିବାରୁ ଡିଜିପି ଖୁସି ବ୍ୟକ୍ତ କରିଥିଲେ।

ଓଡ଼ିଶା ପୋଲିସ୍ ପକ୍ଷରୁ ଏହି ପ୍ରତିଯୋଗିତାକୁ ଆୟୋଜନ କରିବା ଗର୍ବର ବିଷୟ ଓ ଏକ ଦାୟିତ୍ୱ ଥିଲା । ପ୍ରତି ଦିଗରେ ଉଚ୍ଚମାନ ରଖିବା ପାଇଁ ପ୍ରୟାସ ହୋଇଛି ବୋଲି ଡିଜିପି ଯୋଗେଶ ବାହାଦୂର ଖୁରାନିଆ ପ୍ରକାଶ କରିଛନ୍ତି । “ଏହି ଚାମ୍ପିୟନସିପ୍ ଶେଷ ନୁହେଁ, ଏହା ଏକ ନୂଆ ଆରମ୍ଭ । ଆମେ ଏହି ଖେଳ ଆତ୍ମାକୁ ଆମ ଦୈନିକ କାର୍ଯ୍ୟ, ସେବା ଓ ଜୀବନରେ ଜୀବନ୍ତ ରଖିବାକୁ ବ୍ୟାପ୍ତ କରିବା ଉଚିତ୍।” ବୋଲି ଡିଜିପି କହିଛନ୍ତି ।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପସଭାପତି ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ସଶସ୍ତ୍ର) ତଥା ଆୟୋଜନ କମିଟିର ଉପସଭାପତି ରାଜେଶ କୁମାର, ଯୁଗ୍ମ ନିର୍ଦ୍ଦେଶକ, ଆଇବି, ରାଜେଶ ସୁବର୍ଣ୍ଣ, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ ଓ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ବରିଷ୍ଠ ପୁଲିସ ଅଧିକାରୀ, ଅବସରପ୍ରାପ୍ତ ଅଧିକାରୀ, ଟିମ୍ ମ୍ୟାନେଜର, ଅଧିନାୟକ ଏବଂ ଖେଳାଳିମାନେ ଉପସ୍ଥିତ ରହି ଏହାକୁ ସଫଳ କରିବା ସହ ଜାତୀୟ ଏକତା ଓ ଆଥଲେଟିକ୍ ଉତ୍କର୍ଷତାର ଉତ୍ସବ ପାଳନ କରିଥିଲେ।

Comments are closed.