ଭୁବନେଶ୍ୱର: ଭଦ୍ରକ ଧାମନଗର ଉପ ନିର୍ବାଚନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ନିର୍ବାଚନ କମିଶନ ଡାକିଥିଲେ ଏହି ସର୍ବଦଳୀୟ ବୈଠକ। ନିର୍ବାଚନରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ବିରୋଧୀ ବିଜେପି ପୂର୍ବରୁ ଅନୁମୋଦିତ ସରକାରୀ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ ନକରିବାକୁ ଏବଂ ଉପ-ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିବାକୁ ଦାବି କରିଛି । କାରଣ ଏହା ମତଦାନ ପ୍ରକ୍ରିୟାରେ ପ୍ରଭାବ ପକାଉଛି।
ଯଦି କାମ ବନ୍ଦ ନହୁଏ ତେବେ ମୁଖ୍ୟ ନିର୍ବାଚନ କମିଶନର୍ (ସିଇଓ) କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଦଳର ନେତା ଲେଖାଶ୍ରୀ ସାମନ୍ତସିଂହର କହିଛନ୍ତି।
ସେହିଭଳି ପୋଲିସ ସୁରକ୍ଷା ଏବଂ ପୋଲିସ ଜିପ୍ରେ ଟଙ୍କା ବାଣ୍ଟିବାକୁ ରୋକିବା ପାଇଁ କଂଗ୍ରେସ ଦାବି କରିଛି। ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ସମସ୍ତ ସମ୍ବେଦନଶୀଳ ବୁଥରେ ପୋଲିସର ସୁରକ୍ଷାକୁ କଡାକଡି କରିବାକୁ ଦଳ ଦାବି କରିଛି।
ଅନ୍ୟପକ୍ଷରେ ଶାସକ ବିଜେଡି କହିଛି ଯେ ନିର୍ବାଚନ କିପରି ସ୍ୱଚ୍ଛ ଏବଂ ନିରପେକ୍ଷ ଭାବରେ ହୋଇପାରିବ ସେନେଇ ଆଲୋଚନା ହୋଇଛି ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ସମାନ ପ୍ରତିଶୃତି ଦେଇଛନ୍ତି।
ମତଦାନ ବୁଥରେ କୈଣସି ପରିବର୍ତ୍ତନ କରାଯାଇ ନାହିଁ ଏବଂ ପ୍ରାୟ ୫୦ ପ୍ରତିଶତ ବୁଥ ୱେବ୍ କାଷ୍ଟ ହେବ ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୯ ରେ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ଧାମନଗର ଆସନ ପାଇଁ ଉପ-ନିର୍ବାଚନ ହେଉଛି। ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନ ଥିଲା ଅକ୍ଟୋବର ୧୪ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର ୧୭ । ଉପ ନିର୍ବାଚନ ପାଇଁ ଭୋଟ୍ ନଭେମ୍ବର ୩ ତାରିଖ ସକାଳ ୭ ଟାରୁ ୬ ଟା ମଧ୍ୟରେ ପଡିବ ଏବଂ ଭୋଟ୍ ଗଣନା ଏବଂ ଫଳାଫଳ ଘୋଷଣା ନଭେମ୍ବର ୬ ରେ ହେବ।
Comments are closed.