Latest Odisha News

ବାଂଲାଦେଶ ହିଂସାକୁ ନେଇ କେନ୍ଦ୍ରରେ ସର୍ବଦଳୀୟ ବୈଠକ, ସତର୍କ ଅଛନ୍ତି ଭାରତ ସରକାର

ନୂଆଦିଲ୍ଲୀ: ବାଂଲାଦେଶ ହିଂସା ଅଣାୟତ୍ତ ହେବା ପରେ ବାଂଲାଦେଶ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ପଦରୁ ଇସ୍ତଫା ଦେଇ ଦେଶ ଛାଡି ଭାରତରେ ଶରଣ ନେଇଛନ୍ତି । ଏହାକୁ ନେଇ ଭାରତ ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଅନ୍ୟପକ୍ଷରେ ବାଂଲାଦେଶ ସଂକଟ ଉପରେ ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟ କମିଟି ଓ ସିକ୍ୟୁରିଟି ବୈଠକ କରି ଏନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ସେପଟେ ଏହାକୁ ନେଇ ଆଜି ବସିଥିଲା ସର୍ବଦଳୀୟ ବୈଠକ । ଏନଡିଏର ସମସ୍ତ ଦଳ ଉପସ୍ଥିତ ଥିବା ବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜ୍ଜନ ଖଡଗେଙ୍କ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ଯୋଗ ଦେଇଥିଲେ । ଏହାରି ଭିତରେ ସଂସଦରେ ସବୁ ଦଳକୁ ସମ୍ବୋଧିତ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର କହିଛନ୍ତି, ବାଂଲାଦେଶ ହିଂସାରେ ଭାରତ ପ୍ରତି ବିଶେଷ କିଛି ସଙ୍କଟ ନାହିଁ । ଏଥିପାଇଁ ସମସ୍ତ ଦିଗ ପ୍ରତି ଭାରତ ସରକାର ଆଲର୍ଟ ଥିବା ନେଇ ସୂଚନା ଦେଇଛନ୍ତି ଜୟଶଙ୍କର ।

ଜୟ ଶଙ୍କରଙ୍କ କହିବା ଅନୁଯାୟୀ, ଭାରତ ସରକାର ଏନେଇ ସବୁ ଦିଗରେ ନଜର ରଖିଛନ୍ତି । ଯାହା ବି ସ୍ଥିତି ବି ଉପୁଜିବ ସେନେଇ ସମସ୍ତ ସୂଚନା ଦିଆଯିବ । ଏହାସହିତ ବାଂଲାଦେଶରେ ପାଖାପାଖି ୧୨ ରୁ ୧୩ ହଜାର ଭାରତୀୟ ରହୁଛନ୍ତି । ସେଠାରେ ଥିବା ଭାରତୀୟମାନେ ସୁରକ୍ଷିତ ଅଛନ୍ତି ଏବଂ ସ୍ଥିତି ଏତେ ଗମ୍ଭୀର ନଥିବାରୁ ସେମାନଙ୍କୁ ଏୟାରଲିଫ୍ଟ କରି ଅଣାଯିବାର ଏପର୍ଯ୍ୟନ୍ତ କିଛି ଆବଶ୍ୟକତା ପଡିନାହିଁ ବୋଲି କହିଛନ୍ତି ଜୟଶଙ୍କର । ଏହାସହିତ ବାଂଲାଦେଶରେ ପ୍ରାଥମିକ ହିଂସାରେ ହିଁ ପାଖାପାଖି ୮ ହଜାର ଭାରତୀୟ, ସେମାନଙ୍କ ମଧ୍ୟରେ ପ୍ରାୟତଃ ଛାତ୍ରଛାତ୍ରୀ ଭାରତ ଫେରିଆସିଛନ୍ତି ।

ଅନ୍ୟପକ୍ଷରେ ଶେଖ ହସିନା ଏବେ ଭାରତରେ ହିଁ ରହିବେ କି ଅନ୍ୟ କୌଣସି ଦେଶର ରାଜନୈତିକ ଶରଣ ନେବେ ସେନେଇ କିଛି ନିଷ୍ପତ୍ତି ହୋଇନାହିଁ । ଏନେଇ ହସିନାଙ୍କ ସହ କିଛି ସଂକ୍ଷିପ୍ତ ଆଲୋଚନା ହୋଇଥିବା ବେଳେ ତାଙ୍କର ଆଗାମୀ ଯୋଜନା ନେଇ ସରକାର ତାଙ୍କୁ କିଛି ସମୟ ଦେବାକୁ ନିଷ୍ପତ୍ତି ନେଇଛି ।

ତେବେ ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବାଂଲାଦେଶରେ ଭାରତ ବିରୋଧୀ ପ୍ରସଙ୍ଗ ଉପରେ ଏକ ବିସ୍ତୃତ ରଣନୀତି ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଯାହାର ଉତ୍ତରରେ ଜୟଶଙ୍କର କହିଛନ୍ତି, ବାଂଲାଦେଶ ହିଂସାରେ କିଛି କିଛି ସ୍ଥାନରେ ଭାରତ ବିରୋଧୀ ପ୍ରସଙ୍ଗ ଦେଖାଦେଇଥିଲେ ମଧ୍ୟ ଏଥିପ୍ରତି ସରକାର ସଜାଗ ଅଛନ୍ତି । ଯାହା ପୂର୍ବରୁ ବି ଦେ୍ଖିବାକୁ ମିଳିଥିଲା । ଶେଖ ହସିନା କ୍ଷମତାକୁ ଆସିବା ପରେ ଭାରତ ବିରୋଧୀ କ୍ୟାମ୍ପେନ ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେମାନେ ଭାରତ ପଡୋଶୀ ଦେଶର ରାଜନୈତିକ ପ୍ରସଙ୍ଗରେ ମୁଣ୍ଡ ପୂରାଉଛି ବୋଲି ଅଭିଯୋଗ କରିଥିଲେ । ତେଣୁ ଏହା ପ୍ରଥମରୁ ଆକଳନ କରାଯାଇ ସେଥିପ୍ରତି ସରକାର ସତର୍କ ରହିଛନ୍ତି ।

ତେବେ ଏହାକୁ ନେଇ ବୈଠକ ପରେ ଶିବସେନେ(ୟୁବିଟି) ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ବାଂଲାଦେଶରେ ଯାହା ବି ଘଟୁଛି, ଏହା ଦ୍ବାରା ଭାରତ ନିଶ୍ଚୟ ପ୍ରଭାବିତ ହେବ । କାରଣ ଏହା ଆମର ସୀମାଞ୍ଚଳ ଦେଶ । ବାଂଲାଦେଶ ହିଂସା ଭାରତ ପାଇଁ ଶୁଭଙ୍କର ନୁହେଁ । ଏଥିପ୍ରତି ସରକାର ଦୃଷ୍ଟି ରଖିବା ଆବଶ୍ୟକ । ଭାରତୀୟମାନେ କିପରି ଦେଶକୁ ଫେରିବେ ଓ ସୀମାରେ ସୁରକ୍ଷା କିପରି ବଜାୟ ରହିବ ସେ ପ୍ରତି ଦୃଢ ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ ।

Comments are closed.