Latest Odisha News

BREAKING NEWS

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ସର୍ବଦଳୀୟ ବୈଠକ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଏହି ବୈଠକ କରାଯାଇଛି। ଏଥିରେ ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଯୋଗ ଦେଇଥିଲେ।

ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ବାଚନ ସଂପର୍କିତ ଅତି ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶାବଳୀ ସଂପର୍କରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଅବଗତ କରାଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କ ସହ ଆଲୋଚନା ପରେ ନିର୍ବାଚନ ଇସ୍ତାହାର ପାଇଁ ନିୟମ ପ୍ରଣୟନ କରିଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ରାଜନୈତିକ ଦଳଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥ‌ିବା ନିର୍ବାଚନ ଇସ୍ତାହାରର (ଓଡ଼ିଆ/ ହିନ୍ଦୀ/ ଇଂରାଜୀ) ଉଭୟ ଭାଷାର ତିନି କପି ଆଣିପାରିବେ । ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ ଯେତେବେଳେ ନିର୍ବାଚନ ଇସ୍ତାହାର ଘୋଷଣା କରୁଛନ୍ତି ସେତେବେଳେ ଆଦର୍ଶ ଆଚରଣବିଧି ସଂହିତାର ଅଧିନିୟମ ୮(୩)କୁ କଡ଼ାକଡ଼ି ଭାବେ ପାଳନ କରିବେ।

ଆସନ୍ତାକାଲି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଚୂଡ଼ାନ୍ତ ଭୋଟର ତାଲିକା ୨୦୨୪ ଅନୁସାରେ ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ । ସେଥି ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ । ରାଜ୍ୟରେ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩୩୮୦ । ରାଜ୍ୟରେ ଯୁବ ଭୋଟର (୧୮-୧୯ ବର୍ଷ)ଙ୍କ ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬, ଯାହାକି ବିଗତ ୫ ବର୍ଷରେ ସର୍ବାଧ‌ିକ (୨.୨୭%) । ମୋଟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪ ଲକ୍ଷ ୫୭ ହଜାର ୮୨୧, ଅର୍ଥାତ୍ (୧.୩୮%) । ସେହିପରି ରାଜ୍ୟରେ ବରିଷ୍ଠ ଭୋଟରଙ୍କ (୮୦ ବର୍ଷରୁ ଅଧ‌ିକ) ସଂଖ୍ୟା ୬ ଲକ୍ଷ ୮୫ ହଜାର ୪୮ ଅର୍ଥାତ (୨.୦୬%) ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ନୂତନ ଭୋଟର ତାଲିକା-୨୦୨୪ରେ ମୋଟ ୧୨ ଲକ୍ଷ ୯୭ ହଜାର ୯୫୪ ଭୋଟର ଯୋଡ଼ି ହୋଇଛନ୍ତି ଓ ସେଥି ମଧ୍ୟରୁ ୧୮-୧୯ ବର୍ଷର ୪ ଲକ୍ଷ ୭୬ ହଜାର ୯୬୯ ଜଣ ଯୁବ ଭୋଟର ନୂତନ ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି ।

 

Leave A Reply

Your email address will not be published.