Latest Odisha News

BREAKING NEWS

ଥାଇଲାଣ୍ଡରେ ଫସି ରହିଥିବା ଅନ୍ୟ ୨ ଓଡ଼ିଆ ଯୁବକ ଫେରିଲେ; ସରକାରଙ୍କୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଥାଇଲାଣ୍ଡରେ ଫସି ରହିଥିବା ୬ଜଣ ଓଡ଼ିଆ ଯୁବକଙ୍କ ମଧ୍ୟରୁ ୪ଜଣ ଓଡ଼ିଆ ଯୁବକଙ୍କୁ ଗତ ଫେବୃଆରୀ ୨୧ରେ ଓଡ଼ିଶାକୁ ଫେରାଇ ଅଣାଯାଇଥିଲା। ଆଜି ଅନ୍ୟ ୨ଜଣ ଓଡ଼ିଆ ଯୁବକ ଥାଇଲାଣ୍ଡରୁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ସେମାନେ ହେଲେ – କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଉପୁଳାଇ ଗ୍ରାମର ବାସିନ୍ଦା ପ୍ରଶାନ୍ତ କୁମାର ରାଉତ ଏବଂ କୁଜିପୁର ଗ୍ରାମର ବାସିନ୍ଦା ଯଶୋବନ୍ତ ସାହୁ।

ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ୫ଜଣ ଯୁବକ- ବିଜୟ କୁମାର ସ୍ୱାଇଁ, ହେମନ୍ତ କୁମାର ବେହେରା, ଜୟନ୍ତ କୁମାର ମଲ୍ଲିକ, ଯଶୋବନ୍ତ ସାହୁ, ପ୍ରଶାନ୍ତ କୁମାର ରାଉତ ଏବଂ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବାସିନ୍ଦା ମନରଞ୍ଜନ ସାହୁ ବିଗତ ୨୦୨୫ ମସିହା ଅଗଷ୍ଟ ମାସରେ ଥାଇଲାଣ୍ଡର ଏକ ପ୍ଲାଏଉଡ଼ କମ୍ପାନୀରେ କାର୍ଯ୍ୟ କରିବାକୁ ଯାଇଥିଲେ। ସେଠାରେ ଉକ୍ତ ପ୍ଲାଏଉଡ଼ କମ୍ପାନୀର ମାଲିକ ସେମାନଙ୍କୁ ଦରମା ଦେଉନଥିବାର ଅଭିଯୋଗ କରିବା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଓଡ଼ିଶାକୁ ଫେରି ଆସିବା ପାଇଁ ସେମାନେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଥିଲେ।

ଏହି ସମ୍ବନ୍ଧରେ ଜାଣିବା ପରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଏବଂ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ପ୍ରଶାସନର ମିଳିତ ସହାୟତାରେ ସମସ୍ତ ୬ଜଣ ଓଡ଼ିଆ ଯୁବକଙ୍କୁ ଓଡ଼ିଶାକୁ ଫେରାଇ ଅଣାଯାଇଛି। ଓଡ଼ିଶାକୁ ଫେରିବାପରେ ଯୁବକମାନେ ସମସ୍ତ ସହାୟତା ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.