କଟକ: ଏଣିକି ସବୁ ଶିକ୍ଷକ, ଅଧ୍ୟାପକଙ୍କୁ ମିଳିବ ଗ୍ରାଣ୍ଟ୍-ଇନ୍-ଏଡ୍। ଆଉ କୌଣସି ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକମାନେ ବ୍ଲକ୍ ଗ୍ରାଣ୍ଟ ପାଇବେ ନାହିଁ। ସମସ୍ତ ଶିକ୍ଷକ, ଅଧ୍ୟାପକଙ୍କୁ ୧୯୯୪ ନିୟମ ଅନୁସାରେ ଗ୍ରାଣ୍ଟ୍-ଇନ୍-ଏଡ୍ ଦରମା ପ୍ରଦାନ କରିବାକୁ ହାଇକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରାୟ ୩ ଶହ ଆବେଦନକାରୀ ଶିକ୍ଷକ, ଅଧ୍ୟାପକଙ୍କ ପକ୍ଷରୁ ଆଗତ ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ଆଦେଶ ଫଳରେ ରାଜ୍ୟର ଲକ୍ଷାଧିକ ଶିକ୍ଷକ, ଅଧ୍ୟାପକ ଉପକୃତ ହେବେ।
ରାଜ୍ୟ ସରକାର ୧୯୯୪ ମସିହାରେ ଏକ ଆଇନ ବଳରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଗ୍ରାଣ୍ଟ୍-ଇନ୍-ଏଡ୍ ଲାଗୁ କରିଥିଲେ। ଏହା ଲାଗୁ ହେବା ଫଳରେ ବ୍ୟବସ୍ଥା ହେଲା ଯେ ଜଣେ ଶିକ୍ଷକ ବା ଅଧ୍ୟାପକ ୫ବର୍ଷ ଚାକିରି କରିବା ପରେ ମୋଟ୍ ଦରମାର ୩ଭାଗରୁ ଗୋଟେ ଭାଗ ପାଇବେ। ୭ବର୍ଷ ଚାକିରି ପୂରଣ କଲେ ତିନି ଭାଗରୁ ଦୁଇ ଭାଗ ଏବଂ ୯ବର୍ଷ ଚାକିରି ପୂରଣ କଲେ ସମ୍ପୂର୍ଣ୍ଣ ଦରମା ପାଇବେ। କିନ୍ତୁ ୨୦୦୪ରେ ରାଜ୍ୟ ସରକାର ୧୯୯୪ ନିୟମକୁ ଉଚ୍ଛେଦ କରି ଗ୍ରାଣ୍ଟ୍-ଇନ୍-ଏଡ୍ ପରିବର୍ତ୍ତେ ବ୍ଲକ୍ ଗ୍ରାଣ୍ଟ୍ ଲାଗୁ କରିଥିଲେ। ଅର୍ଥାତ ଜଣେ ଶିକ୍ଷକ ବା ଅଧ୍ୟାପକଙ୍କୁ ସରକାର ମୋଟ୍ ଦରମାର ୪୦% ପ୍ରଦାନ କରିବେ।