Latest Odisha News

ଏଣିକି ଓଡିଆରେ ଚାଲିବ ଓଡିଶା ପ୍ରଶାସନ କାର୍ଯ୍ୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ହେବାର ୨୨ ଦିନ ପରେ ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏବେଠୁ ମୁଖ୍ୟମନ୍ତ୍ରୀଙ୍କ ସ୍ଥାୟୀ କାର୍ଯ୍ୟାଳୟ ତୃତୀୟ ମହଲା । ଏଥିପାଇଁ ଲୋକସେବା ଭବନରେ ପହଞ୍ଚିବା ପରେ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାପରେ ବିଧିବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାରି ଭିତରେ କିଛି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଣିକି ଓଡିଶା ପ୍ରଶାସନର କାର୍ଯ୍ୟ ଓଡ଼ିଆ ଭାଷାରେ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ୱ ଦିଆଯିବ । ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ହେବ । ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଏନେଇ ଓଡ଼ିଆ ଭାଷାର ପ୍ରଚାରପ୍ରସାର ପାଇଁ କମିଶନ ଗଠନ ହେବ । ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ହେବ । ଆବଶ୍ୟକ ପଡ଼ିଲେ ସରକାରୀ ଭାଷା ଆଇନରେ ସଂଶୋଧନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ଜିଲ୍ଲାରେ ସଂସ୍କୃତି ଭବନର ନିର୍ମାଣ କରାଯାଇ କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ। ବରୁଣେଇରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ତ୍ୱରାନ୍ୱିତ ହେବ । ବିଭିନ୍ନ ଐତିହ୍ୟ ପୀଠର ବିକାଶକୁ ଗୁରୁତ୍ୱ ଦେବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ଅନୁବାଦ ଏକାଡେମୀ ଓ ଓଡ଼ିଆ ଅସ୍ମିତା ଭବନ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ କାର୍ୟ୍ୟାଳୟରେ କାମ କରୁଥିଲେ ମୋହନ ମାଝୀ । ଦାୟିତ୍ବ ନେବାର ୨୨ ଦିନ ପରେ ଗୁରୁବାର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାୟୀ ପ୍ରକୋଷ୍ଠକୁ ଯାଇ ବିଧିବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave A Reply

Your email address will not be published.