Latest Odisha News

BREAKING NEWS

ରାଜ୍ୟର ୧୪ଟି ମେଡିକାଲ କଲେଜରେ ଖାଲିପଡିଛି ଏହି ସବୁ ପଦ…

କଟକ: ରାଜ୍ୟର ୧୪ଟି ମେଡିକାଲ କଲେଜରେ ବର୍ତ୍ତମାନ ୧୦୪ ପ୍ରଫେସର୍‌, ୩୪୦ ଆସୋସିଏଟ୍‌ ପ୍ରଫେସର୍‌ ଓ ୫୦୬ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ଖାଲିପଡ଼ିଛି । ଏହା ମଧ୍ୟରେ ରହିଛି କଟକ ବଡ଼ଡାକ୍ତରଖାନା । ଏଠାରେ ଅନେକ ଡାକ୍ତର, ନର୍ସ ଓ ପାରାମେଡିକାଲ ପଦବି ଖାଲି ପଡିଛି ।

ରାଜ୍ୟର ୧୪ଟି ମେଡିକାଲ କଲେଜରେ ୩୪୯ଜଣ ପ୍ରଫେସରଙ୍କ ସ୍ଥାନରେ ୨୪୫ ଜଣ ଥିବାବେଳେ ୧୦୪ ପଦ ଖାଲିପଡ଼ିଛି। ସେହିପରି ୫୧୫ ଆସୋସିଏଟ୍‌ ପ୍ରଫେସରଙ୍କ ସ୍ଥାନରେ ୧୭୫ଜଣ ଥିବାବେଳେ ୩୪୦ ପଦ ଖ‌ାଲିପଡ଼ିଛି। ୯୪୦ ଆସିଷ୍ଟାଷ୍ଟ ପ୍ରଫେସରଙ୍କ ସ୍ଥାନରେ ୪୩୪ ଜଣ ଅଛନ୍ତି ଓ ୫୦୬ ପଦବି ଖାଲିପଡ଼ିଛି ।

ବର୍ତ୍ତମାନ ଏସ୍‌ସିବିର ପାଥୋଲୋଜି, ଟ୍ରାନ୍ସଫ୍ୟୁଜନ୍‌ ମେଡିସିନ୍‌, ଗ୍ୟାଷ୍ଟ୍ରୋ-ସର୍ଜରି, ହେମାଟୋଲୋଜି, ରେଡିଓଲୋଜି, ନେଫ୍ରୋଲୋଜି, ବାୟୋକେମିଷ୍ଟ୍ରି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡ଼ିକରେ ପ୍ରଫେସର ନାହାନ୍ତି । ହେଲେ ଏହି ବିଭାଗଗୁଡିକରେ ପ୍ରଫେସର ଥିବା ଦର୍ଶାଇବା ସହ ଅବସରପାପ୍ତ ପ୍ରଫେସର୍‌ଙ୍କୁ ଚୁକ୍ତିଭିତ୍ତିରେ ରଖାଯାଉଛି । ଏସ୍‌ସିବିରେ ବି ୧୦ଜଣ ପ୍ରଫେସର୍‌ ଅବସର ପରେ ଚୁକ୍ତିରେ ରହିଛନ୍ତି ।

କେବଳ କଟକ ଏସସିବିରେ ୧୮ଟି ପ୍ରଫେସର୍‌, ୬୦ ଆସୋସିଏଟ୍‌ ଓ ୮୦ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ଖାଲିପଡ଼ିଛି। ୨୦ରୁ ଅଧିକ ଆସୋସିଏଟ୍‌ ପ୍ରଫେସର୍‌ ଡେପୁଟେସନ୍‌ରେ ଅଛନ୍ତି ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ସମୟ ଭିତରେ ଡିପାର୍ଟମେଣ୍ଟାଲ ପ୍ରମୋସନାଲ୍‌ କମିସନ୍‌ (ଡିପିସି) ବସୁ ନଥିବାରୁ କଟକ ଏସସିବି ସମେତ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ଖାଲିପଡୁଛି ପ୍ରଫେସର ପଦ । ଯାହାକୁ ନେଇ ଗତମାସରେ ଓମଟା ବୈଠକରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ନିୟମିତ ବ୍ୟବଧାନରେ ଡିପିସି ପାଇଁ ସଂଘ ଦାବି କରିଥିଲା । ସ୍ବାସ୍ଥ୍ୟ ବିଭାଗରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବାକୁ ଓମଟା ଦାବି କରିବା ସହ ନିୟମିତ ବ୍ୟବଧାନରେ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ନିଯୁକ୍ତି କରାଇବାକୁ ଦାବି ଉଠାଇଛି ।

Comments are closed.