Latest Odisha News

ସର୍ବକାଳୀନ ମହାନ ଅଲିମ୍ପିକ କିମ୍ବଦନ୍ତୀ

ଅଲିମ୍ପିକ୍ସ ଇତିହାସରେ ଅନେକ ମହାନ କ୍ରୀଡାବିତ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି । ଜିତିଛନ୍ତି ଏକାଧିକ ପଦକ । ସୃଷ୍ଟି କରିଛନ୍ତି ନୂଆ ରେକର୍ଡ । ଅଲିମ୍ପିକ୍ସର ସର୍ବକାଳୀନ ମହାନ କ୍ରୀଡାବିତଙ୍କ କୃତିତ୍ୱ ଅବିସ୍ମରଣୀୟ ।

ଆମେରିକୀୟ ସନ୍ତରଣକାରୀ ମାଇକେଲ ଫେଲ୍ପସ୍ ଅଲିମ୍ପିକ୍ସ ସନ୍ତରଣରେ ରେକର୍ଡ ସଂଖ୍ୟକ ୨୩ଟି ସ୍ୱର୍ଣ୍ଣ ସହ ୨୮ଟି ପଦକ ଜିତିଛନ୍ତି । ଗୋଟିଏ ଅଲିମ୍ପିକ୍ସରେ ସର୍ବାଧିକ ସ୍ୱର୍ଣ୍ଣ ଜିତିବାର ରେକର୍ଡ ଫେଲ୍ପସଙ୍କ ନାଁରେ ରହିଛି ।

ଆମେରିକାର କାର୍ଲ ଲୁଇସ ୧୯୮୪ ଲସ ଆଂଜେଲସ ଅଲିମ୍ପିକ୍ସରେ ୧୦୦ ଓ ୨୦୦ ମିଟର ସ୍ପ୍ରିଂଟ୍ ସମେତ ଲଙ୍ଗ୍‌ଜମ୍ପ ଓ ୪ଗୁଣା ୧୦୦ ମିଟର ରିଲେ ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୧୯୮୮, ୧୯୯୨ ଓ ୧୯୯୬ ଅଲିମ୍ପିକ୍ କ୍ରୀଡାରେ ଭାଗ ନେଇ ଆଉ ୫ଟି ସ୍ୱର୍ଣ୍ଣ ହାସଲ କରିଥିଲେ ଲୁଇସ । ଏକ ବ୍ୟକ୍ତିଗତ ଇଭେଂଟରେ ଚାରି ଥର ସ୍ୱର୍ଣ୍ଣ ହାସଲ କରିବାରେ ତିନି ଆଥଲେଟଙ୍କ ମଧ୍ୟରେ ଲୁଇସ ହେଉଛନ୍ତି ଅନ୍ୟତମ ।

ତତ୍କାଳୀନ ସୋଭିଏତ ସଂଘର ମହିଳା ଜିମ୍ନାଷ୍ଟ ଲାରିସା ଲାଟିନିନା ୧୯୫୬, ୧୯୬୦ ଓ ୧୯୬୪ ଅଲିମ୍ପିକ୍ସରେ ଭାଗ ନେଇ ୯ଟି ସ୍ୱର୍ଣ୍ଣ ସହ ମୋଟ ୧୮ଟି ପଦକ ଜିତିଛନ୍ତି । ଲଗାତର ତିନିଟି ଅଲିମ୍ପିକ୍ସର ଫ୍ଲୋର୍ ଏକ୍ସରସାଇଜରେ ସ୍ୱର୍ଣ୍ଣ ହାସଲ କରିଥିଲେ ଲାଟିନିନା ।

ଅଲିମ୍ପିକ୍ସରେ ଜାମାଇକା ଧାବକ ୟୁସେନ ବୋଲ୍ଟଙ୍କ ସ୍ୱର୍ଣ୍ଣିମ ସଫଳତା ସଂପର୍କରେ କିଏ ବା ନଜାଣେ । ତିନିଟି ଅଲିମ୍ପିକ୍ସରେ ୮ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ବୋଲ୍ଟ । ଲଗାତର ତିନିଟି ଅଲିମ୍ପିକ୍ସରେ ଉଭୟ ୧୦୦ ଓ ୨୦୦ ମିଟରରେ ସ୍ୱର୍ଣ୍ଣ ଜିତିବାରେ ବୋଲ୍ଟ ହେଉଛନ୍ତି ଏକମାତ୍ର ଧାବକ ।

ଅଲିମ୍ପିକ୍ସ କିମ୍ବଦନ୍ତୀଙ୍କ ମଧ୍ୟରେ ଆମେରିକାର ଜେସି ଓୱେନସଙ୍କ ପ୍ରଦର୍ଶନ ସର୍ବଶ୍ରେଷ୍ଠ ହୋଇ ରହିଛି । କୃଷ୍ଣକାୟ ହେତୁ ସେ ଭେଦଭାବର ସମ୍ମୁଖୀନ ହୋଇଥିଲେ । ୧୯୩୬ ବର୍ଲିନ ଅଲିମ୍ପିକ୍ସରେ ୧୦୦ ମିଟର, ୨୦୦ ମିଟର, ୪ ଗୁଣା ୧୦୦ ମିଟର ରିଲେ ଦୌଡ ସହ ଲଙ୍ଗଜମ୍ପରେ ହାସଲ କରିଥିଲେ ସ୍ୱର୍ଣ୍ଣ ପଦକ । କେବଳ ଗୋଟିଏ ଅଲିମ୍ପିକ୍ସରେ ହିଁ ଭାଗ ନେଇଥିଲେ ଜେସି ଓୱେନ୍ସ ।

୧୯୭୨ ମ୍ୟୁନିକ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଆମେରିକୀୟ ସନ୍ତରଣକାରୀ ମାର୍କ ସ୍ପିଜ୍ । ସେ ଭାଗ ନେଇଥିବା ସମସ୍ତ ୭ଟି ଇଭେଂଟରେ ସ୍ୱର୍ଣ୍ଣ ପଦକ ଜିଣିଥିଲେ । ୩୬ ବର୍ଷ ପରେ ସ୍ୱଦେଶର ମାଇକେଲ ଫେଲ୍ପସ ସ୍ପିଜଙ୍କ ରେକର୍ଡ ଭଙ୍ଗ କରିଥିଲେ ।

ପରଫେକ୍ଟ ଟେନ୍ ଗାର୍ଲ ରୋମାନିଆର ନାଦିଆ କୋମାନେସି ଜିମ୍ନାଷ୍ଟିକ୍ସରେ ୫ ସ୍ୱର୍ଣ୍ଣ ସହ ମୋଟ ୯ଟି ପଦକ ହାସଲ କରିଛନ୍ତି । ତେବେ, ୧୯୭୬ ମଂଟ୍ରିଲ କ୍ରୀଡାର ଅନଇଭେନ ବାରରେ ୧୪ ବର୍ଷିଆ ନାଦିଆଙ୍କ ପ୍ରଦର୍ଶନ ତାଙ୍କୁ ରେକର୍ଡ ବୁକରେ ସ୍ଥାନ ଦେଇଥିଲ। । ଅନଇଭେନ ବାରରେ ପରଫେକ୍ଟ ଟେନ୍ ସ୍କୋର କରିଥିଲେ ନାଦିଆ । ମଂଟ୍ରିଲରେ ତିନିଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ନାଦିଆ ।
ଫ୍ଲାଇଂ ଫିନ୍ ଭାବେ ଲୋକପ୍ରିୟ ଫିନଲାଣ୍ଡର ମହାନ ଧାବକ ପାଭୋ ନୁର୍ମି ୯ଟି ସ୍ୱର୍ଣ୍ଣ ଜିତିଥିବା ଚାରି ଅଲିମ୍ପିଆନ ମଧ୍ୟରେ ଅନ୍ୟତମ । ମୋଟ ୧୨ଟି ଅଲିମ୍ପିକ ପଦକ ହାସଲ କରିଛନ୍ତି ନୁର୍ମି । ୧୯୨୦ ଅଲିମ୍ପିକ୍ସରେ ନୁର୍ମି ୧୦ ହଜାର ମିଟର, ବ୍ୟକ୍ତିଗତ କ୍ରସ କଂଟ୍ରି ଓ ଟିମ୍ କ୍ରସ କଂଟ୍ରିରେ ସ୍ୱର୍ଣ୍ଣ ଜିତିଥିଲେ । ୧୯୨୪ କ୍ରୀଡାରେ ୫ଟି ସ୍ୱର୍ଣ୍ଣ ହାସଲ କରିଥିଲେ ନୁର୍ମି । ଗୋଟିଏ ଅଲିମ୍ପିକ୍ସରେ ୫ଟି ସ୍ୱର୍ଣ୍ଣ ଜିତିବାରେ ନୁର୍ମି ହୋଇଥିଲେ ପ୍ରଥମ ଆଥଲେଟ୍ ।

Comments are closed.