ଯାଜପୁର: କମେଣ୍ଟ ମରାକୁ ନେଇ ହତ୍ୟା ଅଭିଯୋଗ । ୪ ଦିନ ତଳେ କମେଣ୍ଟ ମରାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ପ୍ରତିଶୋଧ ପରାୟଣ ହୋଇ ଝିଅକୁ ହତ୍ୟା କରାଯାଇଛି। ଏଭଳି ଅଭିଯୋଗ ଆଣିଛନ୍ତି ମୃତ ଝିଅ ଅମ୍ରିତା ଦାସଙ୍କ ବାପା ଅମୂଲ୍ୟ ଦାସ। ଘଟଣାର ୪ ଦିନ ପରେ ମୃତ ଦେହ ଉଦ୍ଧାର ହୋଇଛି। ଏହାକୁ ନେଇ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବରିକୁଳ ଗାଁରେ ଶୋକର ଛାୟା ଖେଳାଯାଇଛି। ମୃତକଙ୍କ ବାପା ଅମୂଲ୍ୟ ଦାସ କହିଛନ୍ତି, କମେଣ୍ଟ ମରାକୁ ନେଇ ତାଙ୍କ ଝିଅକୁ ହତ୍ୟା କରାଯାଇଛି।
ଚାରି ଦିନ ତଳେ ଝିଅ ଟିଉସନ ଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି। କିନ୍ତୁ ଟିଉସନରୁ ଆଉ ଘରକୁ ଫେରିନଥିଲେ । ପରେ ଘରକୁ ଆସିବା ବିଳମ୍ବ ହେବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ହେଲେ ଝିଅକୁ ପାଇନଥିଲେ । ପରେ ଏକ ପୋଖରୀରେ ବ୍ୟାଗ୍ ଭାସୁଥିବାର ଦେଖିବାକୁ ପାଇଥିଲେ।
ପୋଖରୀ ପାଖକୁ ଯାଇ ଦେଖିବା ପରେ ଜଣାପଡିଥିଲା ଅମ୍ରିତାଙ୍କ ମୃତ ଶରୀର ଭାସୁଛି । ଏହାପରେ ମୃତ ଶରୀରକୁ ପୋଖରୀରୁ ଉଦ୍ଧାର କରି ଘର ଲୋକେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ କେଉଁମାନଙ୍କ ସହ ଯୁକ୍ତିତର୍କ ହୋଇଥିଲା ଅମ୍ରିତାଙ୍କର? ଟିଉସନକୁ ଯାଇ ସେ ସେଦିନ ପାଠ ପଢ଼ିଲେ ତ? ନା ଟିଉସନରୁ ଘରକୁ ଫେରିବା ବାଟରେ ଏହି ଅଘଟଣ ଘଟିଲା? କମେଣ୍ଟ ମାରିଥିବା ଅସାମାଜିକ ବ୍ୟକ୍ତି ଅମ୍ରିତାଙ୍କୁ ପୂର୍ବରୁ ଜାଣିଥିଲେ କି? କାହିଁକି ଜଣେ ହଠାତ୍ ଏଭଳି କାଣ୍ଡ ଭିଆଇବାକୁ ନିଷ୍ପତ୍ତି ନେଲା? ଇତ୍ୟାଦି ଅନେକ ପ୍ରଶ୍ନ ଏବେ ଏହି ଘଟଣା ପରେ ଉଙ୍କି ମାରିଛି।
ତେବେ ଅମ୍ରିତାଙ୍କ ମୃତ ଦେହ ଉଦ୍ଧାର ହେବା ପୂର୍ବରୁ ଝିଅ ନିଖୋଜ ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ ବାପା ଅମୂଲ୍ୟ ଦାସ। ଏବେ ଏହି ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି। ଏଥିସହ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।
Comments are closed.