Latest Odisha News

BREAKING NEWS

ସଡକ ନିର୍ମାଣରେ ଜବରଦସ୍ତ ପ୍ରଦର୍ଶନ; ଗତ ୯ ବର୍ଷରେ ତିଆରି ହୋଇଛି ୫୦ ହଜାର କିମି

ନୂଆଦିଲ୍ଲୀ: କୌଣସି ଦେଶରେ ଅର୍ଥନୀତିର ମୁଳପିଣ୍ଡ ପରିବହନ ଓ ଯୋଗାଯୋଗ ବୋଲି କୁହାଯାଏ। ଏଥିପାଇଁ ଉତ୍ତମ ସଡ଼କପଥର ଆବଶ୍ୟକତା ନିହାତି ଆବଶ୍ୟକ। କେନ୍ଦ୍ର ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ,ସଡ଼କ ପଥରେ ଭାରତକୁ ଉତ୍ତମ ଭାବରେ ଯୋଡ଼ିବା। ଗତ ୯ ବର୍ଷରେ ଏ ଦିଗରେ ଉଲ୍ଲେଖନୀୟ କାମ ହୋଇଛି।

ନ୍ୟାସ୍‌ନାଲ ହାଇୱେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବହୁ ସଂଖ୍ୟାରେ ଜାତୀୟ ରାଜମାର୍ଗ ନିର୍ମାଣ କରାଯାଇଛି। ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ଦେଶରେ ଗତ ୯ ବର୍ଷରେ ୫୦ ହଜାର କିମି ଜାତୀୟ ରାଜପଥ ନିର୍ମାଣ କରାଯାଇଛି। ଆକଳନ ଅନୁସାରେ, ଦେଶରେ ୨୦୧୪-୧୫ ପର୍ଯ୍ୟନ୍ତ ଜାତୀୟ ରାଜପଥର ମୋଟ ଲମ୍ବ ୯୭,୮୩୦ କିମି ରହିଥିଲା। ଯାହା ୨୦୨୩ ମାର୍ଚ୍ଚରେ ବଢ଼ି ୧,୪୫,୧୫୫ କିଲୋମିଟର ହୋଇଛି। ୨୦୧୪-୧୫ରେ ପ୍ରତିଦିନ ୧୨.୧ କିମି ସଡ଼କ ନିର୍ମାଣ ହେଉଥିଲା। ହେଲେ ୨୦୨୧-୨୨ରେ ଦେଶରେ ସଡ଼କ ନିର୍ମାଣ ଗତି ବଢ଼ି ଦୈନିକ ୨୮.୬ କିମି ହୋଇଛି।

ଏକ ରିପୋର୍ଟ ଅନୁସାରେ, ପ୍ରତିବର୍ଷ ପାଖାପାଖି ୮୫ ପ୍ରତିଶତ ଯାତ୍ରୀମାନଙ୍କ ଯାତାୟତ ଓ ୭୦ ପ୍ରତିଶତ ମାଲ ପରିବହନ ସଡ଼କ ପଥରେ ହିଁ କରାଯାଇଥାଏ। ତେଣୁ ଜାତୀୟ ରାଜପଥର ମହତ୍ତ୍ୱ କେତେ ଏଥିରୁ ହିଁ ଜଣାପଡ଼ୁଛି। ଦେଶକୁ ଆଗକୁ ବଢିବାକୁ ହେଲେ ଉତ୍ତମ ସଡ଼କ ସଂଯୋଗ ବ୍ୟବସ୍ଥା ନିହାତି ଆବଶ୍ୟକ।

ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ସଡ଼କ ନେଟ୍‌ୱର୍କ

ବିଶ୍ୱରେ ଭାରତରେ ହିଁ ଦ୍ୱିତୀୟ ସର୍ବାଧିକ ୬୩.୭୩ ଲକ୍ଷ ଲମ୍ବା ସଡ଼କ ନେଟୱର୍କ ରହିଛି। ଦେଶରେ ଜାତୀୟ ରାଜପଥର ଢାଞ୍ଚାରେ ପରିବର୍ତ୍ତନ କରିବା ପାଇଁ ଭାରତ ସରକାର ଗତ ୯ ବର୍ଷରେ ଅନେକ ଯୋଜନା ଲାଗୁ କରିଛନ୍ତି। ଭାରତମାଳ ଯୋଜନା ମାଧ୍ୟମରେ ଦେଶର ସବୁଠାରୁ ବଡ଼ ଏକ୍ସପ୍ରେସ୍‌ ୱେ ୧୩୮୬ କିମିର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ ୱେର ବିକାଶ କରାଯାଉଛି। ଦିଲ୍ଲୀ-ଦୌସା-ଲାଲସୋଟ ପର୍ଯ୍ୟନ୍ତ ତିଆରି ହୋଇଥିବା ରାସ୍ତାକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ଘାଟନ କରିସାରିଛନ୍ତି।

ଖବର ଶୁଣିବାକୁ ମିଳିଥିଲା ଯେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ଦୈନିକ ୪୫ କିମି ବେଗରେ ରାସ୍ତା ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି। ଯଦି ଏପରି ହେଲା ତେବେ ୨୦୨୩ ଏପ୍ରିଲରୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ୧୬ ହଜାର କିମି ଲମ୍ବା ସଡ଼କ ନିର୍ମାଣ ହୋଇଯିବ ଯାହା ଏକ ରେକର୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ।

ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ଲଗାତର ଦୁଇଟି ଆର୍ଥିକ ବର୍ଷରେ ସଡ଼କ ନିର୍ମାଣର ଟାର୍ଗେଟ ପୂରା କରିବାରେ ବିଫଳ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ସବୁଠାରୁ ଦ୍ରୁତ ଗତିରେ ସଡ଼କ ନିର୍ମାଣ ରେକର୍ଡ କରାଯାଇଥିଲା। ଏହି ବର୍ଷ ୧୩,୨୯୮ କିମିର ଲମ୍ବା ରାସ୍ତା ନିର୍ମାଣ ହୋଇଥିଲା। ଅର୍ଥାତ ନିର୍ଦ୍ଧାରିତ ଅବଧି ଭିତରେ ଦୈନିକ ୩୬.୪ କିମି ରାସ୍ତା ନିର୍ମାଣ ହୋଇଛି।

Comments are closed.