Latest Odisha News

BREAKING NEWS

ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ ପକ୍ଷରୁ ୧୪୩ ଛାତ୍ରୀଙ୍କୁ ବେଟି ପଢ଼ାଓ ସ୍କଲାରସିପ୍ ପ୍ରଦାନ

ପାରାଦୀପ: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ପାରାଦୀପର ଦକ୍ଷ ଏକାଡେମୀରେ ଆୟୋଜିତ ଏକ ଉତ୍ସବରେ ୧୪୩ ଜଣ ମେଧାବୀ ଛାତ୍ରୀଙ୍କୁ ‘ବେଟି ପଢ଼ାଓ ସ୍କଲାରସିପ୍’ ପ୍ରଦାନ କରାଯାଇଛି । କମ୍ପାନୀର ପ୍ରମୁଖ ସିଏସଆର ପଦକ୍ଷେପର ଏକ ଅଂଶ ଭାବରେ, ଆର୍ଥିକ ଅନଗ୍ରସର ଶ୍ରେଣୀର ଝିଅମାନଙ୍କୁ ସହାୟତା ସ୍ବରୂପ ସେମାନଙ୍କ ଆର୍ଥିକ ପ୍ରତିବନ୍ଧକକୁ ଦୂର କରିବା ଏବଂ ସେମାନଙ୍କୁ ନିଜର ଶିକ୍ଷାଗତ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ଏହି ବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି ପଦକ୍ଷେପ ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରୟାସ ସହ ସମନ୍ୱୟ ରକ୍ଷା କରୁଛି। ଏହି ସ୍କଲାରସିପ୍ ପାଇଥିବା ଛାତ୍ରୀମାନଙ୍କ ମଧ୍ୟରେ ନବମ ଶ୍ରେଣୀଠାରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ଶିକ୍ଷା, ସ୍ନାତକ (ଅଣ୍ଡରଗ୍ରାଜୁଏଟ), ଆଇଟିଆଇ (ଆଇଟିଆଇ), ଡିପ୍ଲୋମା, ଇଞ୍ଜିନିୟରିଂ, ମେଡିକାଲ ଏବଂ ଅନ୍ୟାନ୍ୟ ବୃତ୍ତିଗତ ପାଠ୍ୟକ୍ରମରେ ପଢୁଥିବା ଛାତ୍ରୀଙ୍କ ସମେତ ରାଜ୍ୟ ଓ ଜାତୀୟ ସ୍ତରର କ୍ରୀଡ଼ାବିତ୍‌ମାନେ ଅନ୍ତର୍ଭୁକ୍ତ ଅଛନ୍ତି ।

ଏକ ସ୍ୱତନ୍ତ୍ର ଚୟନ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟତା ଏବଂ ଆବଶ୍ୟକତାକୁ ଭିତ୍ତି କରି ମନୋନୀତ ହୋଇଥିବା ପ୍ରାର୍ଥୀମାନଙ୍କୁ ‘ବେଟି ପଢ଼ାଓ ସ୍କଲାରସିପ୍’ ପ୍ରଦାନ କରାଯାଉଛି। ଏହି ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆ ପ୍ରୋଟିଆନ୍ ଇ-ଗଭ୍ ଟେକ୍ନୋଲୋଜି ସହିତ ସହଭାଗିତା କରିଛି । ପ୍ରୋଟିଆନ୍‌ର ‘ବିଦ୍ୟାସାରଥୀ’ ହେଉଛି ଏକ ଅଗ୍ରଣୀ କର୍ପୋରେଟ୍ ବୃତ୍ତି ପରିଚାଳନା ପ୍ଲାଟଫର୍ମ, ଯାହା ଏଏମ୍/ଏନ୍ଏସ୍ ଇଣ୍ଡିଆ ବୃତ୍ତିର ଆବେଦନ, ଯାଞ୍ଚ, ବଣ୍ଟନ ଏବଂ ଅର୍ଥ ପ୍ରଦାନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ସଫଳତାର ସହ ପରିଚାଳନା କରୁଛି ।

ପାରାଦୀପ ଏଡିଏମ ନିରଞ୍ଜନ ବେହେରା, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଯୋଗ୍ୟ ଛାତ୍ରୀମାନଙ୍କୁ ଏହି ବୃତ୍ତି ପ୍ରଦାନ କରିଥିବାବେଳେ ପାରାଦ୍ୱୀପଗଡ଼ ସରପଞ୍ଚ ସସ୍ମିତା ବେହେରା, ନୂଆଗଡ଼ ସରପଞ୍ଚ ଦେବେନ୍ଦ୍ର ରାଉତ, ଭୂତମୁଣ୍ଡାଇ ସରପଞ୍ଚ ରୋହିତ ଜେନା, ଏଏମ୍/ଏନ୍ଏସ୍ ଇଣ୍ଡିଆର ଓଡ଼ିଶା ଅପରେସନ୍ସ ମୁଖ୍ୟ ୟୁ.ଏସ.ଆର. ରାଜୁ ଏବଂ ଓଡ଼ିଶା ଆସେଟ୍‌ର ଏଚ୍ଆର ଓ ଆଇଆର ବିଭାଗ ମୁଖ୍ୟ ସୁନୀଲା ଦାସଙ୍କ ସମେତ ଏଏମ୍/ଏନ୍ଏସ୍ ଇଣ୍ଡିଆର କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।

ଏହି ଅବସରରେ ନିରଞ୍ଜନ ବେହେରା କହିଛନ୍ତି ଯେ, “ଏଏମ୍/ଏନ୍ଏସ୍ ଇଣ୍ଡିଆର ଏହି ପଦକ୍ଷେପକୁ ମୁଁ ହୃଦୟର ସହିତ ସ୍ୱାଗତ କରୁଛି, ଯାହା ଦ୍ୱାରା ଆମ ପାରାଦ୍ୱୀପ ଅଞ୍ଚଳର ୧୪୩ ଜଣ ଛାତ୍ରୀ ଉପକୃତ ହୋଇଛନ୍ତି । ଏଭଳି ପ୍ରୟାସ କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ସହାୟକ ହେବ ନାହିଁ ବରଂ ଯୁବତୀମାନଙ୍କୁ ସେମାନଙ୍କ ସ୍ୱପ୍ନ ସାକାର କରିବା ପାଇଁ ଅନୁପ୍ରାଣିତ ମଧ୍ୟ କରିବ । କମ୍ପାନୀ ଏହି ଅଞ୍ଚଳର ଲୋକଙ୍କ ପାଇଁ ଆହୁରି ଅନେକ ଗୋଷ୍ଠୀ ଉନ୍ନୟନମୂଳକ ଯୋଜନା କରୁଥିବା ଜାଣି ମୁଁ ଖୁସି ଅନୁଭବ କରୁଛି।”

ୟୁ.ଏସ୍.ଆର୍. ରାଜୁ କହିଛନ୍ତି ଯେ, “ବେଟି ପଢାଓ ଛାତ୍ରବୃତ୍ତି ହେଉଛି ମହିଳା ସଶକ୍ତିକରଣ ଦିଗରେ ଆମର ଏକ ପ୍ରମୁଖ ପଦକ୍ଷେପ । ଏହା ଏହି ଅଞ୍ଚଳର ଯୁବତୀମାନଙ୍କୁ ସେମାନଙ୍କର ଶିକ୍ଷା ଜାରି ରଖିବା ଏବଂ ସେମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଏକ ପ୍ରେରଣା ସ୍ରୋତ ଭାବେ କାର୍ଯ୍ୟ କରୁଛି ।”

‘ବେଟି ପଢ଼ାଓ ସ୍କଲାରସିପ୍’ ପଦକ୍ଷେପ ଅଧୀନରେ, ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ କରାଯାଉଛି । ମାର୍ଚ୍ଚ ୨୦୨୨ରେ ଏହାର ଶୁଭାରମ୍ଭ ପରଠାରୁ, ଏହି କାର୍ଯ୍ୟକ୍ରମ ସାରା ଭାରତରେ ଆର୍ଥିକ ରୂପେ ଅନଗ୍ରସର ୨,୦୦୦ରୁ ଅଧିକ ଛାତ୍ରୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି ।

 

<iframe width=”560″ height=”315″ src=”https://www.youtube.com/embed/xKfk10D9qu4?si=zyZuSt3JKoDGABC-” title=”YouTube video player” frameborder=”0″ allow=”accelerometer; autoplay; clipboard-write; encrypted-media; gyroscope; picture-in-picture; web-share” referrerpolicy=”strict-origin-when-cross-origin” allowfullscreen></iframe>

Leave A Reply

Your email address will not be published.