Latest Odisha News

BREAKING NEWS

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦ଟି ବ୍ଲକ ପାଇଁ ୩୮.୪୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୮ଟି ଜିଲ୍ଲାର ୧୦ଟି ବ୍ଲକ ପାଇଁ ୩୮.୪୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ବ୍ଲକ ଗୁଡିକ ମଧ୍ୟରେ ବରଗଡ ଜିଲ୍ଲାର ବରପାଲୀ, ପୁରୀ ଜିଲ୍ଲାର ବ୍ରହ୍ମଗିରି, ରାୟଗଡା ଜିଲ୍ଲାର କାଶିପୁର, ସମ୍ବଲପୁର ଜିଲ୍ଲାର ବାମରା, କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଓ କୋଟପାଡ, କେନ୍ଦୁଝର ଜିଲ୍ଲାର ପାଟଣା, କଳାହାଣ୍ଡି ଜିଲ୍ଲାର କାରଲାମୁଣ୍ଡା, ମୟୁରଭଞ୍ଜ ଜିଲ୍ଲାର ଉଦଳା ଓ ରାଇରଙ୍ଗପୁର ବ୍ଲକ ରହିଛି ।

ଆଜି ମୁଖ୍ୟମନ୍ତ୍ରୀ ବରପାଲୀ ବ୍ଲକର ୨୩ଟି ପଞ୍ଚାୟତ ପାଇଁ ୩.୯୧ କୋଟି ଟଙ୍କାରେ ୨୨୯ଟି ପ୍ରକଳ୍ପ, ବ୍ରହ୍ମଗିରି ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୫.୬୩ କୋଟି ଟଙ୍କାରେ ୩୬୯ଟି ପ୍ରକଳ୍ପ, କାଶିପୁର ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୫କୋଟି ଟଙ୍କାରେ ୨୧୩ଟି ପ୍ରକଳ୍ପ, ବାମରା ବ୍ଲକର ୧୭ଟି ପଞ୍ଚାୟତ ପାଇଁ ୩.୭୧ କୋଟି ଟଙ୍କାରେ ୧୬୮ଟି ପ୍ରକଳ୍ପ, ଲକ୍ଷ୍ମୀପୁର ବ୍ଲକର ୧୩ଟି ପଞ୍ଚାୟତ ପାଇଁ ୩.୪୧ କୋଟି ଟଙ୍କାରେ ୧୭୫ଟି ପ୍ରକଳ୍ପ, କୋଟପାଡ ବ୍ଲକର ୧୭ଟି ପଞ୍ଚାୟତ ପାଇଁ ୪.୩୪ କୋଟି ଟଙ୍କାରେ ୧୫୮ଟି ପ୍ରକଳ୍ପ, ପାଟଣା ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୪.୮୦ କୋଟି ଟଙ୍କାରେ ୧୦୪ଟି ପ୍ରକଳ୍ପ, କାରଲାମାଣ୍ଡା ବ୍ଲକର ୧୨ଟି ପଞ୍ଚାୟତ ପାଇଁ ୨.୪୦ କୋଟି ଟଙ୍କାରେ ୧୩୯ଟି ପ୍ରକଳ୍ପ, ଉଦଳା ବ୍ଲକର ୧୨ଟି ପଞ୍ଚାୟତ ପାଇଁ ୩କୋଟି ଟଙ୍କାରେ ୯୫ଟି ପ୍ରକଳ୍ପ ଓ ରାଇରଙ୍ଗପୁର ବ୍ଲକର ୯ଟି ପଞ୍ଚାୟତ ପାଇଁ ୨.୨୫ କୋଟି ଟଙ୍କାରେ ୯୬ଟି ପ୍ରକଳ୍ପ । ଏହିପରି ସମୁଦାୟ ୧୦ଟି ବ୍ଲକର ୧୭୧ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୮.୪୫ କୋଟି ଟଙ୍କାରେ ୧୭୪୬ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୭୫ଟି ବ୍ଲକର ୩୮୮୮ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ୩୫୮୫୮ଟି ପ୍ରକଳ୍ପ ପାଇଁ ୮୮୨.୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ସୂଚନାଯୋଗ୍ୟ ଯେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରିବା ସହ ଏହି କାର୍ଯ୍ୟକ୍ରମରେ ପ୍ରାୟ ଦେଢ ଲକ୍ଷରର ଅଧିକ ଲୋକ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୂହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ, ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.