Latest Odisha News

ବଦଳିବ ‘ଆମ ଓଡିଶା, ନବୀନ ଓଡିଶା’ର ନାଁ

ଭୁବନେଶ୍ବର: ପୁଣି ନବୀନଙ୍କ ଆଉ ଏକ ଛାପ ବଦଳିବାକୁ ଯାଉଛି । ପୂର୍ବ ସରକାରର ବହୁ ଚର୍ଚ୍ଚିତ ଯୋଜନା ‘ଆମ ଓଡିଶା, ନବୀନ ଓଡିଶା’ର ନାଁ ବଦଳିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।

ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ‘ଆମ ଓଡିଶା, ନବୀନ ଓଡିଶା’ ନାଁ ବଦଳିବ । ଏହାର ପରିବର୍ତ୍ତେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନାଁ ରହିବ । ଏଥିପାଇଁ ସରକାର ୨ ଦିନ ଭିତରେ ଗାଇଡ୍‌ଲାଇନ୍ ଆଣୁଛନ୍ତି । ଏଥିସହିତ ଗାଁ ଏବଂ ପଞ୍ଚାୟତମାନଙ୍କରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ । ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ମିଳିବ । ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଅଧିନରେ କୌଣସି କାମ ଆରମ୍ଭ ହେବା ପୂର୍ବରୁ ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁର ବିକାଶ ହେବ ବୋଲି ମତ ରଖିଛନ୍ତି ମନ୍ତ୍ରୀ ।

ଏହାସହିତ ବିଜେଡିକୁ ନେଇ ବଡ ବୟାନ ଦେଇଛନ୍ତି ମନ୍ତ୍ରୀ । ପୁଣି ବିଜେଡି ଭାଙ୍ଗିବା କଥା ଦୋହରାଇଛନ୍ତି । ମନ୍ତ୍ରୀ କହିଛନ୍ତି, ବିଜେଡି ଆଉ ବେଶୀ ଦିନ ରହିବ ନାହିଁ, ଦଳ ଭାଙ୍ଗିଯିବ । ଅଭିଜ୍ଞ ଅମର ଶତପଥିଙ୍କ ବୟାନ ଦେଖିଲେ ବିଜେଡିରେ ଆଉ କିଛି ନାହିଁ । ଲୋକ ଅନୁଭବ କରି ବିଜେପିକୁ ସରକାରକୁ ଆଣିଛନ୍ତି । ସେ ଦଳ ରହିବ ନାହିଁ, ଏହା ସ୍ପଷ୍ଟ ଜଣା ପଡ଼ି ଯାଉଛି । ଏଥିସହିତ ସେ ଏହା ବି ଦାବି କରିଛନ୍ତି ଯେ ବିଜେଡି ଭାଙ୍ଗିବା ପରେ ଭାରତୀୟ ଜନତା ପାର୍ଟିରେ ମିଶିବ । କଂଗ୍ରେସକୁ କିଛି ବିଜେଡି ନେତା ମୁହାଁଉଥିବା କଥାକୁ ଖଣ୍ଡନ କରି ମନ୍ତ୍ରୀ କହିଛନ୍ତି, କଂଗ୍ରେସ ସହିତ ନୁହେଁ ବିଜେପିର ବିଜେଡି ଦଳ ମିଶିବ । ଆଉ ଯିଏ ଆମ ଦଳକୁ ଆସିବ, ଆମେ ଗ୍ରହଣ କରିବୁ ବୋଲି ମନ୍ତବ୍ୟ ରଖିଛନ୍ତି ମନ୍ତ୍ରୀ ରବି ନାଏକ ।

Comments are closed.