ରାୟଗଡା: ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ଆଜି ବିଜୁ ଜନତା ଦଳ ପକ୍ଷରୁ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ତଥା ୫-ଟି ଚେୟାରମ୍ୟାନ ଭିକେ ପାଣ୍ଡିଆନ ଭିସି ମାଧ୍ୟମରେ ଏଗାର ୧୧ଟି ବ୍ଲକର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନ ଭିସି ମାଧ୍ୟମରେ ଜିଲ୍ଲା ପାଇଁ ୯୧ କୋଟି ଟଙ୍କାର ୨ ହଜାର ୬୧୩ଟି ପ୍ରକଳ୍ପ କାମର ଶୁଭାରମ୍ଭ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଆଦିବାସୀ ମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ଉନ୍ନୟନ ଅଧ୍ୟକ୍ଷା ଅନୁସୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ସୁଜାତା ମୁଟିକା ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନ ଙ୍କୁ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ଵଧା ଦେବ ସିଂ, ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁରଙ୍କ ସମେତ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକରୀ, ତହସିଲଦାର ଏବଂ ନିର୍ବାଚିତ ପ୍ରତିନିଧି ଯୋଗଦେଇଥିଲେ ।
ଅନ୍ୟପଟେ ଏହି କାର୍ଯ୍ୟକ୍ରମକୁ ବିଜେପି ପକ୍ଷରୁ ନିନ୍ଦା କରାଯାଇଠି । ଏହା ଏକ ଧୂଆଁ ବାଣ ଏବଂ ଯେଉଁ ରାଜ୍ୟରେ ମହିଳା ଏବଂ ସାମ୍ବାଦିକ ସୁରକ୍ଷିତ ନୁହନ୍ତି ସେଠି ଏଭଳି ଯୋଜନା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ତଥା ବରିଷ୍ଠ ବିଜେପି ନେତା ପ୍ରମୋଦ କୁମାର ସାହୁ ।
Comments are closed.