Latest Odisha News

BREAKING NEWS

ଶିଶୁ ଯତ୍ନ ଓ ସୁରକ୍ଷା କ୍ଷେତ୍ରରେ ଡିଜିଟାଲାଇଜେସନ, ‘ଆମରି ଶିଶୁ ୱେବ ପୋର୍ଟାଲ୍‌’ ଲୋକାର୍ପଣ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଠାରେ ଶିଶୁମାନଙ୍କ ଯତ୍ନ, ସୁରକ୍ଷା ଓ ପୁନର୍ବାସ ସେବାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆମରି ଶିଶୁ ୱେବ ପୋର୍ଟାଲ୍ ଲୋକାର୍ପଣ କରିଛନ୍ତି। ଏହି ୱେବ ପୋର୍ଟାଲ, ଶିଶୁ ସୁରକ୍ଷା ୟୁନିଟ(DCPU), ଶିଶୁ କଲ୍ୟାଣ କମିଟି (CWCs), କିଶୋର ନ୍ୟାୟ ବୋର୍ଡ (JJBs), ଶିଶୁ ଯତ୍ନ ପ୍ରତିଷ୍ଠାନ(CCI) ଏବଂ ଅନ୍ୟାନ୍ୟ ସେବା ପ୍ରଦାନକାରୀ ଓ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ସୁଗମ ସମନ୍ଵୟ ସକ୍ଷମ କରିବ ଉପମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ଏହି ପୋର୍ଟାଲ ମାଧ୍ୟମରେ ରାଜ୍ୟରେ ଶିଶୁ କଲ୍ୟାଣ, ଶିଶୁ ପୋଷଣ ଓ ଶିଶୁ ସୁରକ୍ଷା କ୍ଷେତ୍ରର କାର୍ଯ୍ୟଶୈଳୀରେ ସୁଧାର ଆସିବ। ଡିଜିଟାଲି ଅପଡେଟ ତଥ୍ୟ ସାହାଯ୍ୟରେ ଶିଶୁ ସ୍ଵାସ୍ଥ୍ୟ ଓ ପୋଷଣ ସଠିକ ଭାବେ ଟ୍ରାକ ହୋଇପାରିବ। ଏହି ୱେବ ପୋର୍ଟାଲ୍ ମାଧ୍ୟମରେ ପୋଷଣ ଟ୍ରାକର ଓ ଚାଇଲ୍ଡ ହେଲ୍ପଲାଇନ ଲାଇନ ନମ୍ବର ୧୦୯୮ର ସମନ୍ଵୟ ମଧ୍ୟ ରହିପାରିବ। ଆମରି ଶିଶୁ ୱେବ ପୋର୍ଟାଲ ହେଲା www.aamarisishu.odisha.gov.in। ଏହାଦ୍ୱାରା ଶିଶୁ ଯତ୍ନ ଓ ସୁରକ୍ଷା ସହ ଜଡ଼ିତ ତଥ୍ୟ ବିଶ୍ଳେଷଣ ସହଜ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଏହି ପୋର୍ଟାଲ୍ ମିଶନ ବାତ୍ସଲ୍ୟ, ଯଶୋଦା, ଆଶୀର୍ବାଦ ଭଳି ଯୋଜନାଗୁଡିକର ଅଦ୍ୟତନ ତଥ୍ୟ ବିଷୟରେ ଜନସାଧାରଣଙ୍କୁ ଅବଗତ କରେଇପାରିବ ବୋଲି ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ସହ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଉପସ୍ଥିତ ଥିଲେ।

Comments are closed.