Latest Odisha News

ଜୁଲାଇ ୨୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ଦେଶର ହଜାର ହଜାର ହିନ୍ଦୁ ତୀର୍ଥଯାତ୍ରୀଙ୍କ ଲାଗି ଖୁସି ଖବର  । ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଚଳିତବର୍ଷର ଅମରନାଥ ଯାତ୍ରା  । ମାତ୍ର ୧୪ ଦିନ ଲାଗି ଶ୍ରଦ୍ଧାଳୁଙ୍କୁ ଏହି ସୁବିଧା ପ୍ରଦାନ କରିବାକୁ ଯୋଜନା କରିଛନ୍ତି ଜାମ୍ମୁ-କାଶ୍ମୀର ସରକାର  । କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ଜୁଲାଇ ୨୧ରୁ ଅଗଷ୍ଟ ୩ ମଧ୍ୟରେ ଶ୍ରଦ୍ଧାଳୁମାନେ ଏହି ଯାତ୍ରା କରିପାରିବେ  । ଅନ୍ୟପଟେ ଯାତ୍ରାଲାଗି କିଛିଟା ସର୍ତ୍ତ ମଧ୍ୟ ରଖାଯାଇଛି  । କେବଳ ୧୪ କିଲୋମିଟରର କମ୍ ରାସ୍ତା ବେଲଟାଲ ଟ୍ରାକ୍ ଦେଇ ଯାତ୍ରୀମାନେ ଅମରନାଥ ଯାଇପାରିବେ  । ଚିରାଚରିତ ୪୫ କିଲୋମିଟର ଲମ୍ବର ପାହାଲଗମ୍ ରାସ୍ତା କିନ୍ତୁ ଏହି ସମୟରେ ବନ୍ଦ ରହିବ  । ଅମରନାଥ ଯାତ୍ରା ଲାଗି ଏହି ଦୁଇଟି ହିଁ ରାସ୍ତା ରହିଛି  ।

ଭୂପୃଷ୍ଠରୁ ୩ ହଜାର ୮୮୦ ମିଟରେ ଉଚ୍ଚରେ ଅବସ୍ଥିତ ଦେଶର ପ୍ରମୁଖ ଧର୍ମସ୍ଥଳୀ ବା ଶୈବପୀଠ ଅମରନାଥ  । ପ୍ରତିବର୍ଷ ଜୁଲାଇ ଓ ଅଗଷ୍ଟରେ ଶ୍ରଦ୍ଧାଳୁମାନଙ୍କୁ ଏହି ଧାର୍ମିକସ୍ଥଳୀକୁ ଯିବାଲାଗି ଅନୁମତି ଦିଆଯାଇଥାଏ  । ଚଳିତବର୍ଷ ଜୁନ ୨୩ରୁ ଅଗଷ୍ଟ ୩, ଶ୍ରାବଣ ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ଯାତ୍ରାଲାଗି ଅନୁମତି ଦେବାକୁ ଫେବୃଆରୀ ମାସରୁ ନିଷ୍ପତ୍ତି ହୋଇସାରିଥିଲା  । କିନ୍ତୁ କରୋନା ଜନିତ ଲକ୍ ଡାଉନ୍ ସବୁ କିଛି ଓଲଟ ପାଲଟ କରିଦେଇଛି  । ଏକ ବୈଠକରେ ଜାମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁ, ମୁଖ୍ୟ ଶାସନ ସଚିବ ବି.ଭି.ଆର ସୁବ୍ରମଣ୍ୟମ୍, ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ପ୍ରମୁଖ ସଚିବ ବିପୁଲ ପାଠକ୍ ଏବଂ ପୋଲିସ ଡିଜି ଦିଲବାଗ ସିଂହଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି  । ହିନ୍ଦୁ ଶ୍ରଦ୍ଧାଳୁମାନଙ୍କ ଭକ୍ତି ଏବଂ ଭାବାବେଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି  । ଗତବର୍ଷ ମଧ୍ୟ ଆତଙ୍କବାଦୀ ଆକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରାର ଅବଧିକୁ କମାଯାଇଥିଲା  ।

Leave A Reply

Your email address will not be published.