Latest Odisha News

BREAKING NEWS

ନଡ଼ିଆ କହୁଛି କିଏ ପାୱାରଫୁଲ, ଇଣ୍ଡିଆ ନା ଏନଡିଏ !

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ ଲଢେ଼ଇ ହେବ। ଯାହାକୁ ନେଇ ରାଜନୈତିକ ଲଢେଇ ତୀଵ୍ର ହେବାରେ ଲାଗିଛି। ଏଭଳି ସ୍ଥିତିରେ ରାଜସ୍ଥାନରେ ଏନଡିଏ ଓ ଇଣ୍ଡିଆକୁ ନେଇ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି।

ଆଜମେର ଜିଲ୍ଲାର ଗେଟ ବଜାରରେ ଜଣେ ନଡ଼ିଆ ବିକାଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ରକ୍ଷା ବନ୍ଧନ ଅବସରରେ ନଡ଼ିଆ ବିକ୍ରି କରୁଥିବା ଦୋକାନୀ ଅବତାର ସିଂ ଏଥର ଇଣ୍ଡିଆ ଓ ଏନଡିଏ ନାଁ ର ନଡ଼ିଆ ବିକ୍ରି କରିବା ଆରମ୍ଭ କରିଛନ୍ତି।

ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି। ଗତ ୧୦ ବର୍ଷ ହେଲାଣି ଅବତାର ସିଂ ନଡ଼ିଆ ବିକୁଛନ୍ତି। ଦେଶର ରାଜନୀତିରେ ଯେଉଁ ଟ୍ରେଣ୍ଡ ଚାଲିଥାଏ ସେ ରକ୍ଷା ବନ୍ଧନ ସମୟରେ ସେଭଳି ନାଁ ରେ ନଡ଼ିଆ ବିକ୍ରି କରିଥାନ୍ତି।

ଯେଉଁଥିପାଇଁ ତାଙ୍କର ଭଲ ବିକ୍ରି ମଧ୍ୟ ହୁଏ। ଯେଉଁ ଗ୍ରାହକ ଯାହାକୁ ପସନ୍ଦ କରନ୍ତି ସେ ସେହି ନଡ଼ିଆ କିଣନ୍ତି। ଏପରିକି ପୂର୍ବରୁ ଅବତାର ସିଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, କଂଗ୍ରେସ ନେତା ସଚିନ ପାଇଲଟଙ୍କ ସମେତ କଂଗ୍ରେସ ଓ ବିଜେପିର ବହୁ ନେତାଙ୍କ ନାଁ ରେ ମଧ୍ୟ ନଡ଼ିଆ ବିକିଛନ୍ତି।

ଯାହାକୁ ନେଇ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ତେଣୁ ରାଖୀ ଅବସରରେ ଅବତାର ସିଂଙ୍କ ନଡିଆର ମୂଲ୍ୟ ଏନଡିଏ ପାଇଁ ୩୦ ଟଙ୍କା ଓ ଇଣ୍ଡିଆ ନଡିଆର ମୂଲ୍ୟ ୨୫ ଟଙ୍କା ରହିଛି।

ଗୋଟିଏ ପଟେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ତାତି ଦେଖିବାକୁ ମିଳିଥିବା ବେଳେ ଆଗକୁ ଦେଶର ସାଧାରଣ ନିର୍ବାଚନ ଆସୁଛି। ଏଭଳି ସ୍ଥିତିରେ ଅବତାର ସିଂଙ୍କ ଏନଡିଏ ଓ ଇଣ୍ଡିଆ ନଡିଆ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ସେପଟେ ରାତି ପାହିଲେ ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ହେବାକୁ ଥିବାରୁ ଏହି ନଡ଼ିଆ ପ୍ରସଙ୍ଗକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.