ନୂଆଦିଲ୍ଲୀ: ଦିଲ୍ଲୀ ଭଜନପୁରାରେ ଫୁଟିଲା ଗୁଳି । ଆମାଜନର ମ୍ୟାନେଜରଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ମୃତକ ହରପ୍ରିତ ସିଂ ବୋଲି ଜଣାପଡିଛି । ସେ ତାଙ୍କ ମାମୁଁ ଗୋବିନ୍ଦଙ୍କ ସହ ବାଇକରେ ଯାଉଥିବାବେଳେ ଭଜନପୁରା ଅଞ୍ଚଳରେ ଗୁଳିମାଡ ହୋଇଛି । ଘଟଣା ସ୍ଥଳରେ ହରପ୍ରିତଙ୍କ ମୃତ୍ୟୁ ଘଟିଥିବା ବେଳେ ମାମୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ ବାଇକରେ ମାମୁଙ୍କ ସହ ହରିପ୍ରିତ କେଉଁଆଡେ ଯାଉଥିଲେ । ଏହି ସମୟରେ ଭଜନପୁରାର ୮ ନମ୍ବର ଗଳିରେ ବାଇକକୁ ରାସ୍ତା ଦେବାକୁ ନେଇ ୫ ଜଣ ଯୁବକଙ୍କ ସହ ହରପ୍ରିତ ଓ ତାଙ୍କ ମାମୁଙ୍କ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକମାନେ ଉଭୟଙ୍କ ଉପରକୁ ଆଖିବୁଜା ଗୁଳି ମାରିଥିଲେ । ହରିପ୍ରିତଙ୍କ ମୁଣ୍ଡରେ ଗୁଳି ବାଜିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଡିଏସପି କହିଛନ୍ତି, ଘଟଣା ସ୍ଥଳରୁ ପୋଲିସ କିଛି ସିସିଟିଭି ଭିଡିଓ ପାଇଛି । ଯେଉଁଥିରେ ଗୁଳି ମାରିବା ପରେ ଦୁର୍ବୃତ୍ତମାନେ ଦୌଡୁଥିବାରୁ ରେକର୍ଡ ହୋଇଛି । ଗାଡିକୁ ରାସ୍ତା ଦେବାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା ।
ଅନ୍ୟପେଟ ଉତ୍ତର-ପୂର୍ବ ଦିଲ୍ଲୀର ମାୟା ଗ୍ୟାଙ୍ଗ ଉପରେ ଏହି ହତ୍ୟାକାଣ୍ଡର ଅଭିଯୋଗ ଲଗାଯାଉଛି । ଏହି ଗ୍ୟାଙ୍ଗ ଉତ୍ତର-ପୂର୍ବ ଦିଲ୍ଲୀରେ ଆକ୍ଟିଭ ଅଛି । ଗ୍ୟାଙ୍ଗ ଲିଡର ସମୀର ଓରଫ ମାୟା ଡନ ହେବା ଆଶାରେ ଇନଷ୍ଟାଗ୍ରାମରେ ଆକ୍ଟିଭ ରହୁଛି । ସେ ମାରଣାସ୍ତ୍ର ସହ ନିଜ ଫଟୋ ଓ ଭିଡିଓ ସେୟାର କରୁଛି । ପୋଲିସର ସୂଚନା ଅନୁସାରେ ମାୟାର ବୟସ ୧୯ ବର୍ଷ । ସେ ନାବାଳକ ଥିବା ବେଳେ ତା’ ଉପରେ ୩ଟି ମାମଲା ରୁଜୁ ହୋଇସାରିଥିଲା । ଯେଉଁଥିରେ ଏକ ହତ୍ୟା ମାମଲା ବି ରହିଛି । ଅଭିଯୁକ୍ତଙ୍କ ଠିକଣା ମିଳିସାରିଛି । ଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି ।
Comments are closed.