Latest Odisha News

BREAKING NEWS

ଜଣେ ସୈନିକ ପାଇଁ ହଜାରେ କୋଟିର ବିମାନ ଉଡ଼ାଇଲା ଆମେରିକା !

ଓ୍ବାଶିଂଟନ୍: ନିଜ ସୈନିକଙ୍କ ଜୀବନ ବଞ୍ଚାଇବା ପାଇଁ କୌଣସି ବି ସ୍ତରକୁ ଯାଇପାରେ ଆମେରିକା। ଶତ୍ରୁ ପକ୍ଷ ହାତରେ ଯେମିତି କୌଣସି ଗୋପନୀୟ ତଥ୍ୟ ନଲାଗିବ, ସେଥିପାଇଁ ନିଜର କୋଟି କୋଟି ଟଙ୍କାର ଅତ୍ୟାଧୁନିକ ବିମାନକୁ ନିଜେ ହିଁ ବୋମାରେ ଉଡ଼ାଇ ଦେଇଛି ଆମେରିକା ସେନା। ଇରାନ ଭିତରେ ପଶି ଆମେରିକାର ଏହି ଦୁଃସାହସିକ ରେସ୍କ୍ୟୁ ମିଶନ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।

ଜଣେ ଏୟାରମ୍ୟାନ୍‌ଙ୍କ ଜୀବନର ମୂଲ୍ୟ, ୧୦୦ ମିଲିୟନ୍ ଡଲାରର ବିମାନଠାରୁ ବି ଅଧିକ ! ଇରାନ ସୀମା ଭିତରେ ଫସି ରହିଥିବା ନିଜର ଜଣେ ବାହାଦୂର କର୍ଣ୍ଣଲଙ୍କୁ ଉଦ୍ଧାର କରିବା ପାଇଁ ଆମେରିକା ସେନା ରଚିଥିଲା ଏକ ମାଷ୍ଟର ପ୍ଲାନ୍। ଇରାନ ସେନା ଆମେରିକାର ଏକ F-15E ଷ୍ଟ୍ରାଇକ୍ ଇଗଲ୍ ବିମାନକୁ ଖସାଇ ଦେବା ପରେ, ଦୁଇଜଣ ଏୟାରମ୍ୟାନ୍ ନିଖୋଜ ହୋଇଯାଇଥିଲେ। ସେମାନଙ୍କୁ ଖୋଜିବା ପାଇଁ ଆରମ୍ଭ ହୋଇଥିଲା ‘ହାଇ-ଭୋଲଟେଜ୍’ ରେସ୍କ୍ୟୁ ଅପରେସନ୍।

ଇରାନର ଇସଫାହାନ ପ୍ରାନ୍ତର ମରୁଭୂମିରେ ଏକ ଅସ୍ଥାୟୀ ଏୟାରଷ୍ଟ୍ରିପ୍‌ରେ ଓହ୍ଲାଇଥିଲା ଆମେରିକାର ଲକ୍‌ହିଡ୍ ମାର୍ଟିନ୍ C-130 ଟ୍ରାନ୍ସପୋର୍ଟ ବିମାନ। କିନ୍ତୁ ଦୁର୍ଭାଗ୍ୟବଶତଃ, ନରମ ବାଲିରେ ଫସିଯିବା କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ବିମାନଗୁଡ଼ିକ ଆଉ ଉଡ଼ିବା ଅବସ୍ଥାରେ ନଥିଲେ। ସେପଟେ ଇରାନ ସେନା ମାଡ଼ି ଆସୁଥିଲା। ସମୟ ଖୁବ୍ କମ୍ ଥିଲା।

ଶତ୍ରୁ ଦେଶ ହାତରେ ଯେମିତି ଆମେରିକାର ଗୋପନୀୟ ଯୋଗାଯୋଗ ଏବଂ ନେଭିଗେସନ୍ ଟେକ୍ନୋଲୋଜି ନଲାଗେ, ସେଥିପାଇଁ ଆମେରିକା କମାଣ୍ଡୋମାନେ ଏକ କଠୋର ନିଷ୍ପତ୍ତି ନେଇଥିଲେ। ନିଜର ୧୦୦ ମିଲିୟନ୍ ଡଲାରରୁ ଅଧିକ ମୂଲ୍ୟର ବିମାନକୁ ସେମାନେ ନିଜେ ହିଁ ବୋମା ମାରି ଧ୍ୱଂସ କରିଦେଇଥିଲେ। ଯେମିତି ଓସାମା ବିନ୍ ଲାଡେନକୁ ମାରିବା ସମୟରେ ପାକିସ୍ତାନରେ ନିଜର ହେଲିକପ୍ଟରକୁ ଉଡ଼ାଇ ଦେଇଥିଲା ଆମେରିକା, ଠିକ୍ ସେହିଭଳି ପ୍ରୋଟୋକଲ୍ ଏଠାରେ ମଧ୍ୟ ଆପଣାଯାଇଥିଲା।

ଏହି ଅପରେସନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, “ସେହି ସୈନିକ ଜଣକ ଅତ୍ୟନ୍ତ ବାହାଦୂର ଥିଲେ, ଗୁରୁତର ଆହତ ହୋଇଥିଲେ ମଧ୍ୟ ସେ ନିଜର କର୍ତ୍ତବ୍ୟ ଶେଷ କରିଛନ୍ତି।” ଖାଲି ସେତିକି ନୁହେଁ, ଇରାନ ସେନାକୁ ଭ୍ରମିତ କରିବା ପାଇଁ CIA ପକ୍ଷରୁ ଏକ ଗୁଜବ ମଧ୍ୟ ପ୍ରଚାର କରାଯାଇଥିଲା, ଯାହା ଫଳରେ ଆମେରିକା ସେନା ସୁରକ୍ଷିତ ଭାବେ ନିଜ ସୈନିକଙ୍କୁ ବାହାର କରି ଆଣିବାରେ ସଫଳ ହୋଇଥିଲା।

ଆମେରିକାର ଏହି ପଦକ୍ଷେପ ସ୍ପଷ୍ଟ କରିଛି ଯେ, ନିଜର ଜଣେ ସୈନିକଙ୍କ ପାଇଁ ସେ କୋଟି କୋଟି ଟଙ୍କାର ସମ୍ପତ୍ତିକୁ ମଧ୍ୟ ବଳି ଦେଇପାରେ। ମଧ୍ୟପ୍ରାଚ୍ୟରେ ଏହି ଘଟଣା ଏବେ ଯୁଦ୍ଧର ନିଆଁକୁ ଆହୁରି ତେଜିଛି।

Leave A Reply

Your email address will not be published.