ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବରର ଉତ୍ତରରେ ରହିଥିବା ସେଣ୍ଟିନେଲ ଦ୍ବୀପ ଏବେ ଚର୍ଚ୍ଚାରେ ରହିଛି। ନିକଟରେ ଜଣେ 24ବର୍ଷୀୟ ଆମେରିକା ନାଗରିକ କଟକଣା ସତ୍ତ୍ବେ ଦ୍ବୀପକୁ ଯିବାକୁ ଉଦ୍ଯମ କରିଥିଲେ। ଦ୍ବୀପରେ ଦୁନିଆଠାରୁ ଅଲଗା ରହିଥିବା ସେଣ୍ଟିନେଲ ଆଦିବାସୀ ବସବାସ କରନ୍ତି। ବାହାର ଦୁନିଆର ଲୋକଙ୍କ ସଂସ୍ପର୍ଶରେ ଆସିଲେ ଜନଜାତି ଲୋପ ପାଇବାର ଆଶଙ୍କା ରହିଛି। କାରଣ ଥଣ୍ଡା ସର୍ଦ୍ଦି ପରି ମାମୁଲି ସଂକ୍ରମଣ ହେଲେ ବି ଏଠାକାର ଆଦିବାସୀଙ୍କଠାରେ ଏହାକୁ ମୁକାଲିବା କରିବା ଭଳି ପ୍ରତିରୋଧକ ଶକ୍ତି ନାହିଁ। ପୂର୍ବରୁ ମଧ୍ୟ ଘନ ଜଙ୍ଗଲ ତଥା ଦ୍ବୀପରେ ବସବାସ କରୁଥିବା ଅନେକ ଜନଜାତି ବାହାର ଦୁନିଆ ସଂସ୍ପର୍ଶରେ ଆସି ଲୋପ ପାଇଯାଇଛନ୍ତି।
କେମିତି ସେଣ୍ଟିନେଲରେ ପହଞ୍ଚିଲେ ଆମେରିକା ନାଗରିକ ?
ମିଖାଇଲୋ ଭିକ୍ଟୋରୋବିଚ୍ ପୋଲ୍ୟାକୋବ ପ୍ରଥମେ ଆଣ୍ଡାମାନ ପୋର୍ଟବ୍ଲେୟାରରେ ପହଞ୍ଚିଥିଲେ। ସେଠାରୁ ରବରର ଛୋଟ ଡଙ୍ଗା ଦ୍ବାରା ସେଣ୍ଟିନେଲ ଦ୍ବୀପକୁ ଯାଇଥିଲେ। ଯିବା ପୂର୍ବରୁ ସେ ସମୁଦ୍ର ଓ ପବନର ଗତି ନେଇ ବି ଅନୁଧ୍ୟାନ କରିଥିଲେ। ସେଣ୍ଟିନେଲରେ ଜନଜାତିଙ୍କୁ ଦେଖିବା ପାଇଁ ସେ ଘଣ୍ଟାଏରୁ ଅଧିକ ସମୟ ବିତାଇଥିଲେ। ଯାତ୍ରା ସମୟରେ ସେ ଭିଡିଓ ରେକର୍ଡିଂ କରିବା ସହ ବାଲି ନମୁନା ବି ଆଣିଥିଲେ। ତେବେ ଫେରିବା ଆଗରୁ ଦ୍ବୀପରେ କୋଲଡ୍ରିଙ୍କସ ବୋତଲ ଓ ପଇଡ ଛାଡି ଆସିଥିଲେ ମିଖାଇଲୋ। ତାଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଗତବର୍ଷ ଅକ୍ଟୋବରରେ ବି ସେ ସେଣ୍ଟିନେଲ ଯିବାକୁ ଉଦ୍ୟମ କରିଥିଲେ। ତେବେ କାହିଁକି ସେ ଦ୍ବୀପକୁ ଯାଇଥିଲେ, ସେନେଇ ତାଙ୍କୁ ପଚରାଉଚରା କରାଯାଉଛି।
କାହିଁକି ସେଣ୍ଟିନେଲ୍ ପାଇଁ ବିପଦ?
ହଜାର ହଜାର ବର୍ଷ ଧରି ଦୁନିଆରୁ ଅଲଗା ହୋଇ ରହିଛି ସେଣ୍ଟିନେଲ୍। ତେଣୁ ସେଠାକାର ଆଦିବାସୀଙ୍କ ଦେହରେ ଆଧୁନିକ ଦୁନିଆର ମାମୁଲି ଭାଇରସ ସହ ଲଢିବା ପାଇଁ ପ୍ରତିରୋଧକ ଶକ୍ତି ନାହିଁ। ଥଣ୍ଡା, ସର୍ଦ୍ଦି ଭଳି ରୋଗ ଆମକୁ ହେବା ପରେ ଭଲ ହୋଇଯାଉଛି। ହେଲେ ଦ୍ବୀପର ଆଦିବାସୀଙ୍କ ପାଇଁ ଏସବୁ ରୋଗ ବିପଜ୍ଜନକ ହୋଇପାରେ। ବାହାର ଦୁନିଆର ଲୋକ କୌଣସି ସଂକ୍ରମଣ ନେଇ ସେଠାକୁ ଗଲେ ସେଣ୍ଟିନେଲରେ ସଂକ୍ରମଣ ବ୍ୟାପିପାରେ। ସେଠାରେ ନା ଔଷଧ ଅଛି ନା ସ୍ବାସ୍ଥ୍ୟସେବା। ଫଳରେ ପୂରା ସଂପ୍ରଦାୟ ଲୋପ ପାଇବା ଆଶଙ୍କା ରହିଛି। ସେଥିପାଇଁ 1956ରୁ ଭାରତ ସରକାର ଦ୍ବୀପକୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି।
ବାହାର ଲୋକଙ୍କ ସହ ସଂପର୍କ…ମୃତ୍ୟୁ
1880 ମସିହାରେ ଜଣେ ବ୍ରିଟିଶ ଅଧିକାରୀ ସେଣ୍ଟିନେଲର ଆଦିବାସୀଙ୍କ ସଂପର୍କରେ ଅଧିକ ଜାଣିବାକୁ ଉଦ୍ୟମ କରିଥିଲେ। ନୌସେନା ଅଧିକାରୀ ମରିସ ବିଡେଲ୍ ଗବେଷଣା ପାଇଁ ଦ୍ବୀପରୁ ଜୋର ଜବରଦସ୍ତି ଜଣେ ବୃଦ୍ଧ ଦମ୍ପତି ଓ 4ଜଣ ପିଲାଙ୍କୁ ଉଠାଇ ନେଇଥିଲେ। ତେବେ ସଂକ୍ରମଣ ଯୋଗୁଁ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତରବରିଆ ଭାବେ 4ଜଣ ପିଲାଙ୍କୁ ଦ୍ବୀପରେ ଛଡାଗଲା। ତେବେ ସେମାନଙ୍କର ବି ମୃତ୍ୟୁ ହୋଇ ଥାଇପାରେ। ଏହାପରେ ବ୍ରିଟିଶ ସର୍ଭେ ଟିମ୍ ଅନେକ ଥର ସେଣ୍ଟିନେଲ ଦ୍ବୀପର ଆଖପାଖ ଅଞ୍ଚଳକୁ ଯାଇଛନ୍ତି। ତେବେ ତୀର ମାରି ବାହାର ଦୁନିଆର ଲୋକଙ୍କୁ ବିରୋଧ ଦେଖାଛନ୍ତି ଏଠାକାର ଆଦିବାସୀ।
ସେଣ୍ଟିନେଲ ସୁରକ୍ଷା ପାଇଁ ନିୟମ
ଭାରତର ସ୍ବାଧୀନ ହେବା ପରେ ବି ସେଣ୍ଟିନେଲରେ ଗବେଷଣା ପାଇଁ ଅନେକ ଉଦ୍ୟମ ହୋଇଛି। ତେବେ ବାହାର ଦୁନିଆର ଲୋକଙ୍କ ପ୍ରବେଶକୁ ବିରୋଧ କରିଛନ୍ତି ଏଠାକାର ଆଦିବାସୀ। ଅନେକ ଲୋକ ବନ୍ଧୁତା ମିଶନରେ ଯାଇ ମଧ୍ୟ ଫସିଛନ୍ତି। ଏହାପରେ ଭାରତର ସରକାର 1956ରେ ରେଗୁଲେସନ ଆଣିବା ସହ ଏଠାକାର ଲୋକଙ୍କୁ ସ୍ବାଧୀନ ଛାଡିବାକୁ ନିଷ୍ପତ୍ତି ନେଲେ। ଏହାପରଠୁ ସେଣ୍ଟିନେଲକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଦ୍ବୀପକୁ ଗଲେ ଗିରଫଦାରୀ ହେଉଛି। 2018ରେ ଜଣେ ଆମେରିକୀୟ ମିଶନାରୀ ସେଣ୍ଟିନେଲରେ ପହଞ୍ଚିଥିଲେ। ତେବେ ତାଙ୍କୁ ହତ୍ୟା କରି ଦେଇଥିଲେ ସେଠାକାର ଆଦିବାସୀ।
ବାହାର ଦୁନିଆ ସଂପର୍କରେ ଆସି ଆମେରିକା, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆମେରିକାରେ ଅନେକ ଆଦିବାସୀ ସଂପ୍ରଦାୟ ଅତୀତରେ ଲୋପ ପାଇଛି। କଲୋମ୍ବସ ଓ ୟୁରୋପୀୟ ଆମେରିକା ଆସିବା ପରେ ସେମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣ ଯୋଗୁଁ ଅନେକ ଜନଜାତି ଲୋପ ପାଇଥିଲା। ବିଶେଷ କରି ପ୍ରଥମ ଥର କଲୋମ୍ବସଙ୍କ ସଂସ୍ପର୍ଶରେ ଆସି କାରେବିଆନ ଜନଜାତି ତାଇନୋ ଲୋପ ପାଇ ଯାଇଥିଲା।
Comments are closed.