ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବିଧାନସଭାରେ ମୁସଲମାନଙ୍କ ପାଇଁ ସଂରକ୍ଷଣ ବିଲ୍ ପାସ୍ କରାଇଛନ୍ତି ରାଜ୍ୟ କଂଗ୍ରେସ ସରକାର । ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ବାଦ୍ ବି ଆଜି କର୍ଣ୍ଣାଟକ ସରକାର ମୁସଲିମମାନଙ୍କୁ ଦେଇଥିବା ପ୍ରତିଶ୍ରୁତିରେ ଦତାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ୪ ପ୍ରତିଶତ ରିଜରଭେସନ ସମ୍ବନ୍ଧିତ ବିଲ୍ ପାସ୍ କରାଇଛନ୍ତି । ଯାହାକୁ ନେଇ ଏବେ ବିରୋଧୀ ବିଜେପି ହଙ୍ଗାମା ସୃଷ୍ଟି କରିଛି । କଂଗ୍ରେସ ସରକାରଙ୍କ ଏପରି ପଦକ୍ଷେପ ଅସାମ୍ବିଧାନିକ ବୋଲି ସମ୍ବୋଧନ କରିଛି ।
ତେବେ ଆଜି କର୍ଣ୍ଣାଟକ ବିଧାନସଭାରେ ହନି ଟ୍ରାପ୍ ଦୁର୍ନୀତି ବିଶୃଙ୍ଖଳାରେ ବିରୋଧୀ ବିଜେପି ଆଲୋଚନା ଦାବି କରିଥିବା ବେଳେ, ରାଜ୍ୟ ସରକାର ସାଧାରଣ ଚୁକ୍ତିନାମାରେ ମୁସଲମାନମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଥିବା ଏକ ବିଲ୍ ପାସ୍ କରିଛନ୍ତି । ଯାହାକୁ ଅସମ୍ବିଧାନିକ କହି ଏନେଇ ଆଇନଗତ ଭାବରେ ଚ୍ୟାଲେଞ୍ଜ କରିବାକୁ ଚେତାବନୀ ଦେଇଛି ବିରୋଧୀ ବିଜେପି ।
ଯାହାର ପ୍ରତିବାଦରେ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଶାସକ ସିଦ୍ଧରମୈୟା ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । ଏଥିସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ ମଧ୍ୟ ଚଢି ବିରୋଧ କରିଥିଲେ । ଏହାପରେ ବିରୋଧୀ ବିଜେପି ସଦସ୍ୟମାନେ ମୁସଲମାନଙ୍କ ସଂରକ୍ଷଣ ବିଲକୁ ଚିରି ବାଚସ୍ପତି ଉପରକୁ ଫୋପାଡିଥିଲେ ।
ଯାହାକୁ ନେଇ ବିଜେପି କହିଛି, ହନି ଟ୍ରାପ୍ ଦୁର୍ନୀତି ଉପରେ ଆଲୋଚନା କରିବା ପରିବର୍ତ୍ତେ, ମୁଖ୍ୟମନ୍ତ୍ରୀ ୪ ପ୍ରତିଶତ ମୁସଲିମ ବିଲ୍ ଉପସ୍ଥାପନ କରିବାରେ ବ୍ୟସ୍ତ ରହିଲେ, ତେଣୁ ଆମେ ପ୍ରତିବାଦ କଲୁ । ସରକାରୀ ବିଧାୟକମାନେ ମଧ୍ୟ କାଗଜପତ୍ର ଚିରି ଆମ ଉପରେ ପୁସ୍ତକ ଫିଙ୍ଗିଥିଲେ ବୋଲି ପାଲଟା ଅଭିଯୋଗ କରିଛି ବିଜେପି । ଏଥିସହିତ ଆମେ କାହାକୁ କ୍ଷତି ପହଞ୍ଚାଇ ନାହୁଁ ବୋଲି ସଫେଇ ଦେଇଛି ।
ସେପଟେ କଂଗ୍ରେସ, ସଂରକ୍ଷଣକୁ ସଂଖ୍ୟାଲଘୁଙ୍କ ପାଇଁ ସାମାଜିକ ନ୍ୟାୟ ଏବଂ ଆର୍ଥିକ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଏକ ପଦକ୍ଷେପ ବୋଲି କହିଥିବା ବେଳେ ବିରୋଧୀ ବିଜେପି ଏହାକୁ ତୁଷ୍ଟୀକରଣ ରାଜନୀତିରେ ଲିପ୍ତ ଥିବା ଅଭିଯୋଗ କରିଥିଲା । ପୂର୍ବରୁ ମଧ୍ୟ ଏହି ବିଲକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଚିଠି ଲେଖିଥିଲା ବିରୋଧୀ ବିଜେପି । ଏହି ବିଳକୁ ପରିତ୍ୟାଗ କରିବା ପାଇଁ ପରାମର୍ଶ ଦେଇଥିଲା । ହେଲେ ତା ସତ୍ତ୍ବେ ମଧ୍ୟ ଏହି ବିଲ ବିଧାନସଭାରେ ପାରିତ ହେବା ପରେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛି ବିଜେପି ।
ତେବେ କହିରଖୁଛୁ, କର୍ଣ୍ଣାଟକ ସରକାରଙ୍କ ଦ୍ବାରା ପାରିତ ହୋଇଥିବା ସଂରକ୍ଷଣ ବିଲର ବ୍ୟବସ୍ଥା ଅନୁଯାୟୀ, ମୁସଲିମ ଠିକାଦାରମାନେ ସରକାରୀ ଟେଣ୍ଡରରେ ୪ ପ୍ରତିଶତ କୋଟା ପାଇବେ, ଯାହା ସେମାନଙ୍କୁ ସାର୍ବଜନୀନ ଚୁକ୍ତି ପାଇଁ ଅଧିକ ପ୍ରଭାବଶାଳୀ ଭାବରେ ପ୍ରତିଯୋଗିତା କରିବାକୁ ସକ୍ଷମ କରିବ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, ଏହି ପଦକ୍ଷେପ ଅନ୍ତର୍ଭୁକ୍ତ ବିକାଶ ଏବଂ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ସହିତ ସମନ୍ୱିତ ।