Latest Odisha News

BREAKING NEWS

ପାକିସ୍ତାନ ହାତରୁ ଖସିଯିବ ବଲୁଚିସ୍ତାନ !

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିବା ବେଳେ ଡବଲ୍ ଚ୍ୟାଲେଞ୍ଜର ସାମନା କରୁଛି ପଡୋଶୀ ଦେଶ । ଭାରତ ଲଗାତର ଜବାବି ଆକ୍ରମଣ କରୁଛି ତ ବଲୁଚିସ୍ତାନ ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ହୋଇଛି । ବଲୁଚିସ୍ତାନର ବିଦ୍ରୋହୀ ପାକିସ୍ତାନ ସେନାକୁ ଟାର୍ଗେଟ୍ କରିଛନ୍ତି । ବଲୁଚ ଲିବରେସନ୍ ଆର୍ମି ବଲୁଚିସ୍ତାନର ରାଜଧାନୀ କ୍ବେଟାରେ ପାକିସ୍ତାନୀ ସେନାର ଅନେକ ପୋଷ୍ଟ କବଜା କରିଥିବା ଦାବି କରୁଛି । ସହରର ଅନେକ ସ୍ଥାନରେ ପାକ୍ ସେନା ନିୟନ୍ତ୍ରଣ ହରାଇଛି । ଏପରିକି ଗ୍ୟାସ ପାଇପଲାଇନକୁ ଉଡାଇ ଦେଇଥିବା କହିଛି । ସେପଟେ ପାକିସ୍ତାନଠାରୁ ଅଲଗା ହୋଇ ସ୍ବତନ୍ତ୍ର ବଲୁଚିସ୍ତାନକୁ ମାନ୍ୟତା ଦେବାକୁ ଜାତିସଂଘରେ ଦାବି କରିଛନ୍ତି ବଲୁଚିସ୍ତାନର ଜଣାଶୁଣା ଲେଖକ ମୀର ୟାର ବଲୁଚ ।

ପାକିସ୍ତାନ ସେନାକୁ ବଲୁଚିସ୍ତାନରୁ ଚ୍ୟାଲେଞ୍ଜ

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଦେଖା ଦେଇଥିବା ବେଳେ ପାକ୍ ସେନାକୁ ନିଜ ଦେଶରୁ ହିଁ ବଡ଼ ଚ୍ୟାଲେଞ୍ଜର ସାମନା କରିବାକୁ ପଡୁଛି । ବଲୁଚିସ୍ତାନର ବିଦ୍ରୋହୀ ବିଏଲଏ ଲଗାତର ପାକିସ୍ତାନ ସେନା ଉପରେ ଆକ୍ରମଣ କରୁଛି । ସେହିପରି ଖୈବର ଫଖତୁନଖ୍ବାରେ ତହରିକ-ଏ-ତାଲିବାନ ପାକିସ୍ତାନ ସେନାକୁ ଟାର୍ଗେଟ୍ କରୁଛି । ଗତ କିଛିଦିନ ମଧ୍ୟରେ ଟିଟିପି ଆକ୍ରମଣରେ ଅନେକ ପାକିସ୍ତାନୀ ସେନା ଯବାନଙ୍କ ଜୀବନ ଯାଇଛି । ଦିନକ ତଳେ ବିଏଲଏ ପାକିସ୍ତାନୀ ସେନା ଉପରେ ବଡ ଧରଣର ହମଲା କରିଥିଲା । ରିମୋଟ୍ କଣ୍ଟ୍ରୋଲ ଆଇଇଡି ବିସ୍ଫୋରଣରେ ୧୨ ପାକିସ୍ତାନୀ ସେନୀ ଯବାନଙ୍କ ମୃତ୍ୟୁ ହୋଇଥିଲା ।

ବଲୁଚିସ୍ତାନକୁ ମାନ୍ୟତା ଦେଉ ଜାତିସଂଘ

ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ଚରମରେ ରହିଥିବା ବେଳେ ଲୋକତାନ୍ତ୍ରିତ ଗଣରାଜ୍ୟ ବଲୁଚିସ୍ତାନକୁ ମାନ୍ୟତା ଦେବାକୁ ଜାତିସଂଘ ନିକଟରେ ଦାବି ହୋଇଛି । ସମର୍ଥନ ଦେବା ପାଇଁ ସମସ୍ତ ଜାତିସଂଘ ସଦସ୍ୟଙ୍କ ବୈଠକ ଡାକିବାକୁ କହିଛନ୍ତି ଜଣାଶୁଣା ବଲୁଚ ଲେଖକ ମୀର ୟାର ବଲୁଚ । ଖୁବ୍ ଶୀଘ୍ର ଆତଙ୍କବାଦୀ ପାକିସ୍ତାନର ପତନ ହେବ । ନିଜ ସ୍ବାଧୀନତା ପାଇଁ ବଲୁଚିସ୍ତାନ ଦାବି କରିଛି । ଏହାସହ ଭାରତ ସରକାରଙ୍କୁ ନୂଆଦିଲ୍ଲୀରେ ବଲୁଚ ଦୂତାବାସ ଖୋଲିବାକୁ ଅନୁମତି ଦେବାକୁ ଅପିଲ୍ କରିଛନ୍ତି । ଏନେଇ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ।

ଅଲଗା ହେବ ବଲୁଚିସ୍ତାନ !

ମୀର ୟାର ବଲୁଚ ଜାତିସଂଘକୁ ବଲୁଚିସ୍ତାନକୁ ଶାନ୍ତି ସେନା ପଠାଇବାକୁ ନିବେଦନ କରିଛନ୍ତି । ପାକିସ୍ତାନୀ ସେନା କବଜାରୁ ବଲୁଚିସ୍ତାନର ଅଞ୍ଚଳ, ଆକାଶମାର୍ଗ ଓ ସମୁଦ୍ର ଅଞ୍ଚଳ ଖାଲି କରାଯାଉ । ଏହାସହ ପାକ୍ ସେନାକୁ ସମସ୍ତ ହତିଆର ଓ ସଂପତ୍ତି ବଲୁଚିସ୍ତାନରେ ଛାଡି ଯିବା ପାଇଁ କୁହାଯାଉ । ସେନା, ପୋଲିସ, ସେନାର ଗୁଇନ୍ଦା ସଂସ୍ଥା, ଆଇଏସଆଇ ତଥା ପ୍ରଶାସନରେ ଥିବା ଅଣ-ବଲୁଚ କର୍ମଚାରୀଙ୍କୁ ବଲୁଚିସ୍ତାନ ଛାଡିଦେବା ଉଚିତ୍ ବୋଲି ସେ କହିଛନ୍ତି । ଶୀଘ୍ର ବଲୁଚିସ୍ତାନର ନିୟନ୍ତ୍ରଣ ସ୍ବାଧୀନ ଦେଶର ନୂଆ ସରକାରଙ୍କୁ ଦିଆଯିବ । ସ୍ବାଧୀନ ବଲୁଚିସ୍ତାନ ସରକାରଙ୍କ ରାଜକୀୟ ସମାରୋହ କରାଯିବ । ଏଥିରେ ଯୋଗ ଦେବାକୁ ସେ ବନ୍ଧୁ ଦେଶଙ୍କୁ ନିମନ୍ତ୍ରଣ ବି କରିଛନ୍ତି ।

ପାକିସ୍ତାନରେ ବଲୁଚିସ୍ତାନ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଜୋରଦାର ହୋଇଥିବା ବେଳେ ୧୯୭୧ର ପୁନରାବୃତ୍ତି ହୋଇପାରେ ବୋଲି କୁହାଯାଉଛି । ବାଂଲାଦେଶ ପରି ବଲୁଚିସ୍ତାନ ପାକିସ୍ତାନଠାରୁ ଅଲଗା ଭୋଇ ସ୍ବତନ୍ତ୍ର ଦେଶ ମାନ୍ୟତା ଦେବାକୁ ଜାତିସଂଘକୁ ନିବେଦନ କରିଛି । ସେହିପରି ପାକ୍ ଅଧିକୃତ କାଶ୍ମୀରରେ ବି ପାକିସ୍ତାନ ସରକାରଙ୍କ ବିରୋଧରେ ପ୍ରବଳ ଅସନ୍ତୋଷ ରହିଛି ।

Comments are closed.