ମୁମ୍ବାଇ: ଭଗବାନ ଏବଂ ଭକ୍ତଙ୍କ ସମ୍ପର୍କକୁ ଆଧାର କରି ଅକ୍ଷୟ କୁମାର ଓ ପଙ୍କଜ ତ୍ରିପାଠୀଙ୍କ ‘ଓଏମଜି ୨’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ଥିଲା । ଏହି ଫିଲ୍ମଟି ଅକ୍ଷୟ ଏବଂ ପରେଶ ରାୱଲଙ୍କ ଅଭିନୀତ ୨୦୧୨ ମସିହାର ହିଟ୍ ଫିଲ୍ମ ‘ଓଏମଜି – ଓ ମାଇଁ ଗଡ଼’ର ସିକ୍ୱେଲ ଅଟେ । ୧୧ ବର୍ଷ ପରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ସିକ୍ୱେଲ୍ ବଡ ପରଦାରେ ଆସିବା ପୂର୍ବରୁ ଆଇନଗତ ଅସୁବିଧାରେ ଛନ୍ଦି ହୋଇପଡ଼ିଥିଲା । ଏହାସତ୍ତ୍ୱେ ‘ଓଏମଜି ୨’ ଦର୍ଶକଙ୍କ ପ୍ରଶଂସା ଲାଭ କରୁଛି । ଏ ସାର୍ଟିଫିକେଟ୍ ପାଇବା ସହ ଫିଲ୍ମଟି ବକ୍ସ ଅଫିସରେ ଭଲ ରୋଜଗାର ବି କରୁଛି । ନିକଟରେ ଫିଲ୍ମକୁ ନେଇ ଏହାର ନିର୍ଦ୍ଦେଶକ ଅମିତ ରାୟ ଚମକାଇ ଦେଲା ଭଳି ମନ୍ତବ୍ୟ ଦେଇଛନ୍ତି ।
ନିକଟରେ ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ଅମିତ ରାୟ କହିିଛନ୍ତି ଯେ, ଫିଲ୍ମ ଓଏମଜି ୨ ପାଇଁ ମୁଁ ‘ୟୁଏ’ ସାର୍ଟିଫିକେଟ୍ ପାଇବା ଲାଗି ସିବିଏଫସି ସଦସ୍ୟଙ୍କ ସାମ୍ନାରେ ହାତ ଯୋଡ଼ିଛି । ୟୁଏ ସାର୍ଟିଫିକେଟ୍ ଦେବା ପାଇଁ ସେନ୍ସରସିପ୍ ବୋର୍ଡକୁ ଥରେ ନୁହେଁ, ଏକାଧିକ ଥର ଅନୁରୋଧ କରିଛି । ଯେତେବେଳେ ଫିଲ୍ମର ଟିଜର ସାର୍ଟିଫିକେଟ୍ ପାଇଁ ଯାଇଥିଲା, ସେନ୍ସର ବୋର୍ଡ ତାଙ୍କୁ ଏକ ସଟ୍ କାଟିବାକୁ କହିଥିଲେ ଯାହା ୨୦୧୨ ରିଲିଜ୍ ‘ଓଏମଜି’ ରେ ଆସିଥିଲା । ନିର୍ମାତାମାନେ ତାଙ୍କ କଥାମାନି ଏହି ସଟ୍କୁ ବାଦ ଦେବାକୁ ବାଧ୍ୟ ହୋଇଥିଲେ । ତାଙ୍କର ପ୍ରତ୍ୟେକ ନିୟମକୁ ଆମେ ମାନିଥିଲୁ ।
ଏହି ଫିଲ୍ମରେ ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀଙ୍କ ସହ ଅଭିନେତ୍ରୀ ୟାମି ଗୌତମ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମର ପ୍ରଭାବ କେବଳ ଲୋକଙ୍କ ଉପରେ ନୁହେଁ ସମାଜ ଉପରେ ମଧ୍ୟ ଦେଖାଯାଉଛି । ଏହା ରିଲିଜ୍ ହେବା ପୂର୍ବରୁ ସେନ୍ସର ବୋର୍ଡ ଏଥିରେ ୨୭ ଟି କଟ୍ କରି ଏହାକୁ ଏ ସାର୍ଟିଫିକେଟ୍ ଦେଇଥିଲା । କିନ୍ତୁ ଦର୍ଶକ ଏହାକୁ ବହୁତ ଭଲ ପାଇବା ଦେଇଥିଲେ । ଏହି ଫିଲ୍ମଟି ୧୪୨.୯୭ ଟଙ୍କା ବ୍ୟବସାୟ କରିଛି ।
Comments are closed.