ନୂଆଦିଲ୍ଲୀ:ଅପରେସନ ସିନ୍ଦୂର ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ପାକିସ୍ତାନ ଏବଂ ନେପାଳ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ସୁରକ୍ଷା ପରିସ୍ଥିତି ଉପରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଅପରେସନ ସିନ୍ଦୂରରେ ଭାରତୀୟ ସେନା ପିଓକେ ଏବଂ ପାକିସ୍ତାନରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି।
ଏହି ବୈଠକରେ ଜମ୍ମୁ-କାଶ୍ମୀର ଏବଂ ଲଦାଖର ଉପରାଜ୍ୟପାଳ ଏବଂ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ରାଜସ୍ଥାନ, ଗୁଜରାଟ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ସିକିମ ସରକାରଙ୍କ ପ୍ରତିନିଧିମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ।
କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ(IB) , ସୀମା ସୁରକ୍ଷା ବାହିନୀ (BSF) ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (CISF) ର ମହାନିର୍ଦ୍ଦେଶକଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ଅମିତ ଶାହ ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟରେ ରାଜ୍ୟମାନଙ୍କ ସୁରକ୍ଷାର ସମୀକ୍ଷା କରିଥିଲେ। କେନ୍ଦ୍ର ସରକାର ଗୁରୁବାର ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିଛନ୍ତି।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କୁ ଅପରେସନ ସିନ୍ଦୂର ଉପରେ ଏକ ରିପୋର୍ଟ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ଏହାପୂର୍ବରୁ ସକାଳେ ଏକ CCS ବୈଠକ କରିଥିଲେ। ସେ କ୍ୟାବିନେଟ ବୈଠକରେ ମଧ୍ୟ ଯୋଗ ଦେଇଥିଲେ। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ନିରୀହ ଭାରତୀୟଙ୍କ ଜୀବନ ଯାଇଥିଲା । ଏବେ ଏହାର କଡା ଜବାବ ଭାରତୀୟ ସେନା ଦେଇଛନ୍ତି । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ହୋଇଥିବା ଅପରେସନ ସିନ୍ଦୂରରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଥିଲା। ଯେଉଁଥିରେ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦର ଗଡ଼ ସାମିଲ ଥିଲା।
Comments are closed.