ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଦୀର୍ଘତମ ଅମ୍ରିତସର-ଜାମନଗର ଏକ୍ସପ୍ରେସୱେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଆସନ୍ତା ବର୍ଷ ଏହା ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମଙ୍ଗଳବାର ଦିଲ୍ଲୀ-ମୁମ୍ବାଇ ଏବଂ ଅମ୍ରିତସର-ଜାମନଗର ଏକ୍ସପ୍ରେସୱେର ନୂତନ ବିଭାଗର ଉଦଘାଟନ କରିଛନ୍ତି । ଏହି ସମୟ ମଧ୍ୟରେ ମୋଦି ୭୪.୬ କିଲୋମିଟର ଲମ୍ବା ଚାରି ଲେନ ବିଶିଷ୍ଟ ଡାଙ୍ଗିୟାୱାସ୍-ନାଗପୁର ରାଜପଥ ମଧ୍ୟ ଉଦଘାଟନ କରିଥିଲେ ।
ଏହି ବିଭାଗ ଯୋଧପୁର ରିଙ୍ଗ ରୋଡ୍-୧ ର ଏକ ଅଂଶ, ବର୍ତ୍ତମାନ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ର ଏକ ବିଭାଗ ସର୍ବସାଧାରଣଙ୍କ ପାଇଁ ଖୋଲା ଅଛି । ଏହାର ମୋଟ ଲମ୍ବ ୨୮ କିଲୋମିଟର । ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହା ମଧ୍ୟ ବହୁତ ଲାଭଦାୟକ ହେବ ।
ଅମ୍ରିତସର-ଜାମନଗର ଏକ୍ସପ୍ରେସୱେ ଭାରତର ଦ୍ୱିତୀୟ ଦୀର୍ଘତମ ଏକ୍ସପ୍ରେସୱେ ହେବ, ଯାହା ଚାରୋଟି ରାଜ୍ୟର ସଂଯୋଗକୁ ସୁଦୃଢ କରିବ । ଏହାର ନିର୍ମାଣରେ ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଗୁଜୁରାଟ ରାଜ୍ୟ ଉପକୃତ ହେବେ । ଭାରତ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏହାକୁ ଭାରତମାଲା ପ୍ରକଳ୍ପ ଅଧୀନରେ ନିର୍ମାଣ କରୁଛି । ଏହି ରାଜପଥର ୯୧୫ କିମି ଅଂଶ ଗ୍ରୀନ୍ ଫିଲ୍ଡ ଆଲାଇନମେଣ୍ଟ ଆଧାରରେ ନିର୍ମାଣ ହେବ, ଯେଉଁଥିରେ ୪ ରୁ ୬ ଲେନ୍ ରହିବ । ଅବଶିଷ୍ଟ ଅଂଶକୁ ଜାତୀୟ ରାଜପଥରୁ ନବୀକରଣ କରାଯାଉଛି । ଏହାର ନିର୍ମାଣ କାର୍ଯ୍ୟ ୨୦୧୯ରେ ଆରମ୍ଭ ହୋଇଥିଲା । ଆସନ୍ତା ବର୍ଷ ସୁଦ୍ଧା ଏକ୍ସପ୍ରେସ-ୱେ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ବିଶ୍ୱାସ କରାଯାଉଛି ।
ଏକ୍ସପ୍ରେସୱେରେ ଦୁର୍ଘଟଣାକୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିରେ ଉନ୍ନତ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ସ୍ଥାପନ କରାଯାଉଛି । ବର୍ତ୍ତମାନ ରାଜପଥରେ ଘଣ୍ଟା ପ୍ରତି ୧୨୦ କିମି ରୁ ଅଧିକ ବେଗରେ ଗାଡି ଚଳାଇବାକୁ ଅନୁମତି ନାହିଁ । ପ୍ରତ୍ୟେକ କିଲୋମିଟରରେ ଜରୁରୀକାଳୀନ କଲ୍ ବକ୍ସ ତିଆରି କରାଯିବ । ଦୁର୍ଘଟଣା କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚିବ। ବର୍ତ୍ତମାନ ଦୂରତା ୧୪୩୦ କିମି ଥିବାବେଳେ, ଏକ୍ସପ୍ରେସୱେ ନିର୍ମାଣ ସହିତ ଅମ୍ରିତସର ଏବଂ ଜାମନଗର ମଧ୍ୟରେ ଦୂରତା ମାତ୍ର ୧୨୫୬ କିମି କୁ ହ୍ରାସ ପାଇବ । ପୂର୍ବରୁ ୨୬ ଘଣ୍ଟା ଲାଗୁଥିବାବେଳେ ଏହା ହ୍ରାସ ପାଇ ୧୩ ଘଣ୍ଟା ର ସମୟ ଲାଗିବ ।
୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ
ଏହି ଏକ୍ସପ୍ରେସୱେ ରାଜସ୍ଥାନ, ଗୁଜୁରାଟ, ପଞ୍ଜାବ, ହରିୟାଣାର ଅନେକ ଜିଲ୍ଲା ଦେଇ ଯିବ । ଏହା ବ୍ୟତୀତ ଏହା ଦିଲ୍ଲୀ-କାଟ୍ରା ଏକ୍ସପ୍ରେସୱେ ସହିତ ମଧ୍ୟ ସଂଯୋଗ ହେବ । ଏହା ମଧ୍ୟ ଦେଶର ଏକ ଦୀର୍ଘ ଅର୍ଥନୈତିକ କରିଡର ହେବ । ରାଜସ୍ଥାନରେ ଏହା ୬୩୬ କିଲୋମିଟର ଅତିକ୍ରମ କରିବ । ୧୨୫୬ କିଲୋମିଟର ଲମ୍ବା ଏକ୍ସପ୍ରେସୱେ ନିର୍ମାଣ ପାଇଁ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ରାସ୍ତା କଡରେ ଇଣ୍ଡଷ୍ଟ୍ରିଆଲ୍ ୟୁନିଟ୍ ଗଠନ କରିବାକୁ ଅନୁମତି ଦିଆଯିବ । ଯେଉଁଥିପାଇଁ ଚାରିଟି ରାଜ୍ୟରେ ରୋଜଗାରର ସୁଯୋଗ ମଧ୍ୟ ଉପଲବ୍ଧ ହେବ ।