Latest Odisha News

BREAKING NEWS

ମଦର ଡେରୀ ପରେ କ୍ଷୀରର ମୂଲ୍ୟ ବୃଦ୍ଧି କଲା ଅମୂଲ, ଜାଣନ୍ତୁ କେତେ ବଢିଲା

ନୂଆଦିଲ୍ଲୀ: ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିବାର ଗୋଟିଏ ଦିନ ପରେ ଅମୂଲ ମଧ୍ୟ ଗୁରୁବାରଠାରୁ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ଘୋଷଣା କରିଛି । କ୍ଷୀରର ଏହି ମୂଲ୍ୟ ବୃଦ୍ଧି ଅମୂଲ ଷ୍ଟାଣ୍ଡାର୍ଡ, ଅମୂଲ ବଫେଲୋ ମିଲ୍କ, ଅମୂଲ ଗୋଲ୍ଡ, ଅମୂଲ ସ୍ଲିମ୍ ଆଣ୍ଡ୍ ଟ୍ରିମ୍, ଅମୂଲ ଚାୟ ମାଜା, ଅମୂଲ ତାଜା ଏବଂ ଅମୂଲ ଗାଈ କ୍ଷୀର ଉପରେ ଲାଗୁ ହୋଇଛି । ମଦର ଡେରୀ ଦ୍ୱାରା ସମାନ ମୂଲ୍ୟ ବୃଦ୍ଧି ପରେ ଅମୂଲର ଏହି ପଦକ୍ଷେପ ଆସିଛି । ମଦର ଡେରୀ ମଧ୍ୟ ଏପ୍ରିଲ ୩୦ ତାରିଖରୁ କ୍ଷୀର ମୂଲ୍ୟ ପ୍ରତି ଲିଟର ୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ନୂଆ ମୂଲ୍ୟ ଜାଣନ୍ତୁ

ରିପୋର୍ଟ ଅନୁଯାୟୀ, ଅମୂଲର ଏହି ମୂଲ୍ୟ ବୃଦ୍ଧି ପରେ, ୧ ଲିଟର ଅମୂଲ ବଫେଲୋ ମିଲ୍କ ଏବେ ପୂର୍ବ ୭୧ ଟଙ୍କା ପରିବର୍ତ୍ତେ ୭୩ ଟଙ୍କାରେ ଉପଲବ୍ଧ ହେବ । ୫୦୦ ମିଲି ବଫେଲୋ ମିଲ୍କ ୩୬ ଟଙ୍କା ପରିବର୍ତ୍ତେ ୩୭ ଟଙ୍କାରେ କିଣିବାକୁ ପଡିବ । ସେହିପରି, ୧ ଲିଟର ଅମୂଲ ଗୋଲ୍ଡର ମୂଲ୍ୟ ୬୫ ଟଙ୍କା ପରିବର୍ତ୍ତେ ୬୭ ଟଙ୍କାକୁ ବୃଦ୍ଧି ପାଇଛି । ଏବେ ଏହାର ୫୦୦ ମିଲି ପ୍ୟାକେଟ ପାଇଁ ୩୩ ଟଙ୍କା ପରିବର୍ତ୍ତେ ୩୪ ଟଙ୍କା ଦେବାକୁ ପଡିବ । ୧ ଲିଟର ଟି ସ୍ପେଶାଲ୍ ଅମୂଲ କ୍ଷୀରର ମୂଲ୍ୟ ଏବେ ୬୧ ଟଙ୍କା ପରିବର୍ତ୍ତେ ୬୩ ଟଙ୍କା ହୋଇଛି । ୫୦୦ ମିଲିଲିଟିର ର ଶକ୍ତି କ୍ଷୀର ଏବେ ୩୦ ଟଙ୍କା ପରିବର୍ତ୍ତେ ୩୧ ଟଙ୍କାରେ ଉପଲବ୍ଧ ହେବ ।

୧ ଲିଟର ଅମୂଲ ତାଜା କ୍ଷୀର ଏବେ ୫୩ ଟଙ୍କା ପରିବର୍ତ୍ତେ ୫୫ ଟଙ୍କାରେ ଉପଲବ୍ଧ ହେବ। ଏହାର ୫୦୦ ମିଲିଲିଟର କ୍ଷୀର ମଧ୍ୟ ୨୭ ଟଙ୍କାରୁ ୨୮ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ୫୦୦ ମିଲିଲିଟର ଗାଈ କ୍ଷୀର ୨୮ ଟଙ୍କାରୁ ୨୯ ଟଙ୍କାକୁ ବୃଦ୍ଧି ପାଇଛି । ଏହା ସହିତ, SNT କ୍ଷୀର ଏବେ ୨୪ ଟଙ୍କା ପରିବର୍ତ୍ତେ ୨୫ ଟଙ୍କାରେ ଉପଲବ୍ଧ ହେବ ।

ମଦର ଡେରୀ ଏବଂ ଅମୂଲ ଦ୍ୱାରା ମୂଲ୍ୟ ବୃଦ୍ଧି ଘୋଷଣା ପରେ, ଦେଶର ଅନ୍ୟ ଦୁଗ୍ଧ କମ୍ପାନୀଗୁଡ଼ିକ ମଧ୍ୟ ସେମାନଙ୍କ ଉତ୍ପାଦର ମୂଲ୍ୟ ବୃଦ୍ଧି ଘୋଷଣା କରିବାର ସମ୍ଭାବନା ରହିଛି । ଏହାର ଅର୍ଥ ହେଉଛି ସାରା ଦେଶର ଲୋକଙ୍କ ଘରର ବଜେଟ୍ ବୃଦ୍ଧି ପାଇବାକୁ ଯାଉଛି ।

 

Comments are closed.