ଭୁବନେଶ୍ୱର: କଉଡ଼ି ବା କପର୍ଦ୍ଦକ ହେଉଛି ସାମୁଦ୍ରିକ ଜୀବର ଶକ୍ତ କୋଷ ବିଶେଷ। ଏହା ‘ଧନ’ ଓ ‘ମୂଲ୍ୟ’ କୁ ମଧ୍ୟ ସୂଚାଇଥାଏ।
ପ୍ରାଚୀନ କାଳରେ ଏହା ଦେଶ ବିଦେଶରେ ମୁଦ୍ରା ରୂପେ ବ୍ୟବହୃତ ହେଉଥିଲା। ଓଡ଼ିଶାର କେଶରୀ ବଂଶର ରାଜାମାନଙ୍କ ରାଜତ୍ୱ କାଳରେ ଏବଂ ତା ପୂର୍ବରୁ ମୁଦ୍ରାରୂପେ କଉଡ଼ିର ପ୍ରଚଳନ ରହିଥିଲା। ଭାରତ ମହାସାଗରରୁ କଉଡ଼ି ସଂଗ୍ରହ କରା ଯାଉଥିଲା ସାଧାରଣ ପ୍ରଜାମାନେ କର ସ୍ୱରୂପ କଉଡ଼ି ଦେଉଥିଲେ ଓ ରାଜ ଭଣ୍ଡାରରେ କଉଡ଼ି ଗଚ୍ଛିତ ହୋଇ ରହୁଥିଲା।
୧୮୪୫ ମସିହାର ଏକ ପ୍ରତିକୃତି, ଯେଉଁଥିରେ ଜଣେ ଆରବ ବଣିକଦ୍ୱାରା କଉଡ଼ିକୁ ପଇସା ହିସାବରେ ବ୍ୟବହାର କରିବାର ପ୍ରଦର୍ଶିତ ହୋଇଛି।
ଗୋଟିଏ କଉଡ଼ିକୁ ଏକ କଡ଼ା, ୪ଟି ବା ୪ କଡ଼ାକୁ ଏକ ଗଣ୍ଡା, ୫ କଡ଼ାକୁ ଅର୍ଦ୍ଧଦାମୁଡ଼ି, ୧୦ କଡ଼ାକୁ ଦାମୁଡ଼ି, ୫ ଗଣ୍ଡାକୁ ବୋଡ଼ି ବା ଛଦାମ, ୨୦ ଗଣ୍ଡାକୁ ପଣ ଓ ଷୋଳ ପଣକୁ କାହାଣ ଭାବରେ ପୂର୍ବରୁ ଗଣା ଯାଉଥିଲା।
ପୂର୍ବକାଳରେ ଗୃହସ୍ଥମାନେ ଚୋର ଭୟରୁ ରକ୍ଷା ପାଇବାକୁ କଉଡ଼ିକୁ ମାଠିଆରେ ଭରି ମାଟିତଳେ ପୋତି ରଖୁଥିଲେ। ଆଜି କାଲି ବି କୂଅ ପୋଖରୀ ଖୋଳିବା ବେଳେ କଉଡ଼ିଭରା କଳସୀ ମିଳିବାର ଦୃଷ୍ଟାନ୍ତ ରହିଛି।
ପୁରାତନ କାଳରେ ହାଟ ବଜାରରେ କଉଡ଼ିର ଦୋକାନ ରହୁଥିଲା। ପଇସାକୁ ପଣେ (କୋଡ଼ିଏ ଗଣ୍ଡା ବା ୮୦ ଗୋଟି) କଉଡ଼ି ମିଳୁଥିଲା।
ଇଂରେଜ ଶାସନ ବେଳକୁ କଉଡ଼ିର ବ୍ୟବହାର କ୍ରମଶଃ କମି ଅଧଲା, ପାହୁଲାର ପ୍ରଚଳନ ଆସି ଯାଇଥିଲା ଓ ପରବର୍ତ୍ତୀ କାଳରେ ମୁଦ୍ରା ହିସାବରେ କଉଡ଼ିର ପ୍ରଚଳନ ବନ୍ଦ ହୋଇଗଲା।
Comments are closed.