Latest Odisha News

କନ୍ଦାଉଛି ପିଆଜ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ୱର: ‘ସମୟର ସ୍ୱର’…

ପ୍ରାୟତଃ କିଲୋ ପ୍ରତି ୧୨ରୁ ୧୫ ଟଙ୍କା ରହୁଥିବା ପିଆଜ, ଦୀର୍ଘ ଦୁଇ ମାସ ହେବ ଶହେରୁ ଦେଢ଼ ଶହ ଟଙ୍କା ମଧ୍ୟରେ ଉପର ତଳ ହେଉଛି । ହେଲେ ସେଥିରୁ କମିବାର ନା ଧରୁନି । ବିଚରା ଖାଉଟି ମାନେ ପିଆଜ ଲୁହରେ ହନ୍ତସନ୍ତ ହେଲେଣି । ଆମ ଦେଶରେ ଯଦିଓ ପିଆଜକୁ ଏକ ମୂଖ୍ୟ ମସଲା ଭାବେ ବ୍ୟବହାର କରାଯାଏ, କିନ୍ତୁ ପଖାଳ ବା ରୁଟି ସହିତ ପିଆଜ ହେଉଛି ଗରିବ ଲୋକଙ୍କ ମୂଖ୍ୟ ଖାଦ୍ୟ । କିନ୍ତୁ ସଂପ୍ରତି ପିଆଜ ଦର ଏତେ ଉଚ୍ଚରେ ପହଂଚି ଯାଇଛି ଯେ, ଗରିବ ତ ଛାଡ଼ ଧନୀ ମାନେ ବି ପିଆଜ କିଣିବାକୁ ସାହସ କୁଳେଇ ପାରୁନାହାନ୍ତି ।

ସରକାର ଯେତେ ଯାହା ବ୍ୟବସ୍ଥା କଲେ ବି ଏପର୍ଯ୍ୟନ୍ତ ବି ପିଆଜ ଦର ସନ୍ତୋଷଜନକ ଭାବେ ତଳକୁ ଖସି ପାରିନାହିଁ । ପ୍ରଥମେ ଯେତେବେଳେ ପିଆଜ ଦର ବଢ଼ିବାକୁ ଆରମ୍ଭ କଲା ସରକାର ଚିରାଚରିତ ଭାବେ ରପ୍ତାନୀ ମୂଲ୍ୟ ବୃଦ୍ଧି କରିଦେଲେ । ପିଆଜ ଟନ୍ ପ୍ରତି ରପ୍ତାନୀ ମୂଲ୍ୟ ୮୫୦ ଡଲାର ଧାର୍ଯ୍ୟ କରିଦେଲେ । ଏହାଠାରୁ କମ୍ ମୂଲ୍ୟରେ ରପ୍ତାନୀ ହୋଇପାରିବନି ବୋଲି ନୀୟମ କଲେ । ତଥାପି ବି ଫଳ ନମିଳିବାରୁ ସରକାର ସଂପୂର୍ଣ୍ଣ ଭାବେ ରପ୍ତାନୀ ନିଷେଧ କରିଦେଲେ । ତା’ପରେ ସରକାର ହୋଲ୍ସେଲର ମାନଙ୍କ ଉପରେ ପିଆଜର ଗଚ୍ଛିତ ପରିମାଣ ଉପରେ କଟକଣା ଲଗାଇଲେ । ଏଥିସହିତ ବିଦେଶରୁ ଯଥା ଇଜିପ୍ଟ ଓ ତୁର୍କୀରୁ ବି ପିଆଜ ଆମଦାନୀ କରାଗଲା । ସରକାର ସମୁଦାୟ ୧.୫ ଲକ୍ଷ ଟନ୍ ପିଆଜ ଆମଦାନୀ ପାଇଁ ବ୍ୟବସ୍ଥା କଲେ । ଆମ ଦେଶରେ ଦିନକୁ ପ୍ରାୟ ୫୦ ହଜାର ଟନ୍ ପିଆଜ ବ୍ୟବହାର ହେଉଥିବା ବେଳେ ଏହି ପରିମାଣ କେବଳ ତିନି ଦିନ ପାଇଁ ପିଆଜ ଚାହିଦା ପୁରଣ କରିବା ପାଇଁ ଯଥେଷ୍ଟ ଥିଲା । ସରକାର ପ୍ରଥମେ ହୋଲସେଲର୍ ମାନଙ୍କ ପାଇଁ ପିଆଜର ଗଚ୍ଛିତ ପରିମାଣର ସୀମାକୁ ୫୦ ଟନ୍ ନିର୍ଦ୍ଧାରଣ କରିଥିବା ବେଳେ ରିଟେଲର୍ ମାନଙ୍କ ପାଇଁ ୧୦ ଟନ୍ର ସୀମା ନିର୍ଦ୍ଧାରଣ କଲେ । ତା’ପରେ ଏହି ପରିମାଣ ହୋଲ୍ସେଲର୍ ମାନଙ୍କ ପାଇଁ ୨୫ ଟନ୍ ଓ ରିଟେଲର୍ ମାନଙ୍କ ପାଇଁ ୫ ଟନ୍କୁ ଖସାଇ ଦିଆଗଲା । ପୁଣି ଧିରେ ଧିରେ ରିଟେଲର୍ ମାନଙ୍କ ପାଇଁ ଗଚ୍ଛିତ ରଖିବାର ପରିମାଣ ୨ ଟନ୍କୁ ଖସାଇ ଦିଆଗଲା । ତଥାପି ବି ପିଆଜ ଦର ଖସିଲା ନାହିଁ । ଏବେ ବି ପିଆଜ ଦରକୁ ନେଇ ଖାଉଟି ମାନେ ଆଖିରୁ ଲୁହ ଢ଼ାଳୁଛନ୍ତି । ଏବେ ବି ରୋଷେଇ ଘରେ ପିଆଜର ସଂକଟ ଟଳି ନାହିଁ ।

ଏଠାରେ ପ୍ରଶ୍ନ ଉଠୁଛି, ଯଦି ଦୀର୍ଘ ଦୁଇ ମାସ ହେବ ପିଆଜର ଦର ଏତେ ଉଚ୍ଚରେ ଅଛି, ତେବେ ଏହି ଲାଭ ପିଆଜ ଚାଷୀ ମାନଙ୍କ ପାଖକୁ ଯାଉଛି କି? ଏହାର ସଂକ୍ଷିପ୍ତ ଉତର ହେଉଛି ନା’ । ପିଆଜ ଦର ଆକାଶ ଛୁଇଁଥିବା ବେଳେ ଏହାର ଲାଭ ଆଦୌ ବି ଚାଷୀଙ୍କ ପାଖକୁ ଯାଉନାହିଁ । ମଝିରେ ଥିବା ହୋଲ୍ସେଲର୍ ଓ ବେପାରୀ ମାନେ ହିଁ ଏହାର ଲାଭ ନେଉଛନ୍ତି । ଗତ କିଛି ଦିନ ତଳେ ମହାରାଷ୍ଟ୍ରରେ ଚାଷୀଟିଏ ପିଆଜ କିଲୋ ପ୍ରତି ୮ ଟଙ୍କାରେ ବିକ୍ରି କରୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା । କର୍ଣ୍ଣାଟକର ଚାଷୀ ମାନେ ଅତି କଷ୍ଟରେ ପିଆଜ କିଲୋ ୨୫ରୁ ୩୦ ଟଙ୍କାରେ ବିକ୍ରି କରିଛନ୍ତି, ଯେତେବେଳେ କି ସାରା ଦେଶରେ ପିଆଜ ସତୁରୀ ଟଙ୍କାରେ ବିକ୍ରି ହେଉଥିଲା । ସାଧାରଣତଃ ପିଆଜର ଅମଳ ସମୟରେ ଯେତେବେଳେ ବଜାର ଦର କମ୍ ଥାଏ, ସେତେବେଳେ ଚାଷୀ ମାନେ ବିକ୍ରି କରିଦେଇଥାନ୍ତି । ଯେତେବେଳେ ପିଆଜ ଦର ବଢ଼ିଯାଏ, ସେତେବେଳେ ତାର ସବୁ ଲାଭ ବେପାରୀ ମାନେ ହିଁ ପାଇଥାନ୍ତି । ଏହା ଆମ ଦେଶରେ ବାରମ୍ବାର ଦେଖାଯାଉଛି । ଏଥିରୁ ପ୍ରମାଣ ମିଳୁଛି ଯେ, ପିଆଜ ଦରବୃଦ୍ଧିର ଲାଭ ଚାଷୀ ମାନେ ଆଦୌ ବି ପାଇନାହାନ୍ତି । ଚାଷୀ ମାନେ ଯେତିକି ଦାମ୍ରେ ପିଆଜ ବିକ୍ରି କରିଛନ୍ତି ତା ଠାରୁ ୫ ଗୁଣ ଅଧିକ ଦାମ୍ରେ ବର୍ତମାନ ଖାଉଟି ମାନେ ପିଆଜ କିଣୁଛନ୍ତି । ଦୁର୍ଭାଗ୍ୟର ବିଷୟ ଯେ, ସରକାର ଏପରି ପରିସ୍ଥିତିରେ ବେପାରୀ ମାନଙ୍କ ଚକ୍ରାନ୍ତରୁ ପିଆଜ ଦର କମ୍ କରିବାରେ ଜମା ବି ସଫଳ ହୋଇପାରିନାହାନ୍ତି । ସରକାର ସଂପୂର୍ଣ୍ଣ ଭାବେ ବେପାରୀ ମାନଙ୍କ ପାଖରେ ଆତ୍ମସମର୍ପଣ କରିଦେଇଥିବା ପରି ଜଣାଯାଉଛି । ଅନ୍ୟ ଅର୍ଥରେ ପିଆଜ ଦର ନିୟନ୍ତ୍ରଣ କରିବାରେ ସରକାରଙ୍କ ବିଫଳତା ଓ ଅସହାୟତା ଜଳଜଳ ହୋଇ ଦିଶୁଛି ।

ଆମ ଦେଶର ୫୦ ପ୍ରତିଶତ ପିଆଜ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଉତ୍ପାଦିତ ହୋଇଥାଏ । ଚଳିତ ବର୍ଷ ଉଭୟ ରାଜ୍ୟରେ ଅନିୟମିତ ବର୍ଷା ଯୋଗୁ ପିଆଜ ଉତ୍ପାଦନ ବହୁଳ ଭାବେ ପ୍ରଭାବିତ ହୋଇଛି । ଯାହା ପିଆଜ ଦର ବୃଦ୍ଧିର ଅନ୍ୟ ଏକ କାରଣ । ମହାରାଷ୍ଟ୍ରରେ ଚଳିତ ବର୍ଷ ହାରାହାରି ବୃଷ୍ଟିପାତ ଠାରୁ ୧.୫ ଗୁଣ ଅଧିକ ବୃଷ୍ଟି ହେବାରୁ ପିଆଜ ଆମଦାନୀ ବହୁଳ ଭାବେ ପ୍ରଭାବିତ ହେଲା । ସେହିପରି କର୍ଣ୍ଣାଟକରେ ୪୫ ପ୍ରତିଶତ ପିଆଜ ଚାଷ ଅଂଚଳ ଅନିୟମିତ ବୃଷ୍ଟିପାତ ଯୋଗୁ ନଷ୍ଟ ହୋଇଗଲା । ଫଳରେ ଚାଷୀ ଯେପରି ଆଶା କରିଥିଲେ ସେହି ପରିମାଣରେ ପିଆଜ ଅମଳ କରିପାରିଲେ ନାହିଁ ।

ପିଆଜ ଦର ବୃଦ୍ଧି ଆମ ଦେଶରେ ପ୍ରଥମ ନୁହେଁ । ଗତ କିଛି ବର୍ଷ ହେବ ନିୟମିତ ଭାବେ ବର୍ଷର କିଛି ସମୟ ପିଆଜ ଦର ଆକାଶ ଛୁଇଁ ଯାଉଛି ଓ ଖାଉଟି ମାନେ ଭୀଷଣ ହଇରାଣ ହେଉଛନ୍ତି । ଗୋଟିଏ ପଟେ ଦେଖାଯାଉଛି ଯେ, ବଜାରରେ ପିଆଜର ଅଭାବ ନାହିଁ, କିନ୍ତୁ ପିଆଜର ଦର ବହୁତ ଅଧିକ ହୋଇଯାଉଛି । ଏଥିରୁ ଗୋଟିଏ କଥା ବୁଝି ହେଉଛି ଯେ, ବେପାରୀ ମାନଙ୍କ ଚକ୍ରାନ୍ତ ଯୋଗୁ ହିଁ ପିଆଜ ଦର ମଝିରେ ମଝିରେ ବହୁତ ବଢ଼ି ଯାଉଛି ଓ ଠିକ୍ ସମୟରେ ସରକାର ବି କିଛି କରିପାରୁନାହାନ୍ତି । ଏହି ସମସ୍ୟାରୁ ମୁକୁଳିବାର ଏକମାତ୍ର ଉପାୟ ହେଉଛି, ସ୍ଥାନୀୟ ସ୍ତରରେ ପିଆଜକୁ ଗଚ୍ଛିତ ରଖିବା ପାଇଁ ଶୀତଳ ଭଣ୍ଡାର ଓ ଗୋଦାମର ବ୍ୟବସ୍ଥା କରିବା ଆବଶ୍ୟକ । କାରଣ ପିଆଜର ଅମଳ ସମୟରେ ଅଧିକ ଓ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀ ଶୀଘ୍ର ଶୀଘ୍ର କମ୍ ଦାମ୍ରେ ପିଆଜ ବେପାରୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛି । ସେହି ସମୟରେ ବେପାରୀ ମାନେ ସବୁ ପିଆଜକୁ ଗଚ୍ଛିତ ରଖିଦେଇ ପରବର୍ତୀ ସମୟରେ ପିଆଜ ଦାମ୍କୁ କୃତ୍ରିମ ଭାବେ ଅଧିକରୁ ଅଧିକ ବଢ଼େଇ ଦେଉଛନ୍ତି । ଯାହାର ମାଡ଼ ଖାଉଟି ମାନଙ୍କ ଉପରେ ପଡ଼ୁଛି । ଏହା ଦ୍ୱାରା ଚାଷୀ ଓ ଖାଉଟି ଉଭୟେ କ୍ଷତି ସହୁଛନ୍ତି । କେବଳ ମଝିରେ କେତେ ଜଣ ବେପାରୀ ହିଁ ଲାଭ ଲୁଟୁଛନ୍ତି । କିନ୍ତୁ ଯଦି ଚାଷୀ ପାଖରେ ବା ସ୍ଥାନୀୟ ସ୍ତରରେ ପିଆଜକୁ ଗଚ୍ଛିତ ରଖିବା ପାଇଁ ଶୀତଳ ଭଣ୍ଡାରର ବ୍ୟବସ୍ଥା ହେବ, ତେବେ ପିଆଜ ଅମଳ ସମୟରେ ଚାଷୀ ମାନେ ଶୀଘ୍ର ଶୀଘ୍ର କମ୍ ଦାମ୍ରେ ପିଆଜ ବିକ୍ରି ନକରି ନିଜ ପାଖରେ ଗଚ୍ଛିତ ରଖିବେ ଓ ପରବର୍ତୀ ସମୟରେ ଉପଯୁକ୍ତ ଦାମ୍ରେ ବିକ୍ରି କରିବେ । ଫଳରେ ବେପାରୀ ମାନଙ୍କୁ ମଝିରେ କୃତ୍ରିମ ଅଭାବ ସୃଷ୍ଟି କରିବାକୁ ସୁଯୋଗ ମିଳିବ ନାହିଁ କି ପିଆଜ ମୂଲ୍ୟକୁ ନେଇ ସେମାନେ ଆଉ ଖେଳ ଖେଳିପାରିବେ ନାହିଁ ।

ଭିରଙ୍ଗ, ତିରଣ, ଜଗତ୍ସିଂହପୁର-୭୫୪୧୩୮

Comments are closed.