ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…
ରାସ୍ତାରେ ଯାଉଥିବା ସମୟରେ ଦୁଇପଟେ ପଡ଼ୁଥିବା ଗାଁ’ ଗୁଡ଼ିକର ଆରମ୍ଭ ମୁଣ୍ଡରେ ‘ବାହ୍ୟ ମଳମୁକ୍ତ ଗ୍ରାମ’ ଲେଖାଥିବା ଗୋଟିଏ ସିମେଂଟ ଫଳକ ସମସ୍ତଙ୍କ ନଜରରେ ପଡ଼ୁଥିବ ନିଶ୍ଚୟ । ପ୍ରାୟ ଚାରି ଫୁଟ୍ ଉଚ୍ଚର ଏହି ସିମେଂଟ ଫଳକ ଅଧିକାଂଶ ଗାଁ’ର ଆରମ୍ଭ ମୁଣ୍ଡରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା ଭଳି ସ୍ଥାନରେ ତିଆରି ହୋଇଛି ଓ ସେଥିରେ ସୁନ୍ଦର ସୁନ୍ଦର ଅକ୍ଷରରେ ଲେଖା ହୋଇଥାଏ ‘ବାହ୍ୟ ମଳମୁକ୍ତ ଗ୍ରାମ ଆପଣଙ୍କୁ ସ୍ୱାଗତ ଜଣାଉଛି’ । ତା ତଳକୁ ଥାଏ ଗାଁ’ର ନାମ ଓ ସବିଶେଷ ବିବରଣୀ । ଏମିତି ଏକାଧିକ ଗାଁ ଆମ ନଜରରେ ବି ପଡ଼ିଥିଲା ଓ ସ୍ୱଭାବିକ ଭାବେ ଏହା ଆମକୁ ବି ଖୁବ୍ ଉତ୍ସାହିତ କରିଥିଲା ।
ଯାହା ହେଉ ଆମ ରାଜ୍ୟ ତଥା ଦେଶ ନାଁ’ରେ ବାହାରେ ମଳ ତ୍ୟାଗ କରିବାକୁ ନେଇ ଯେଉଁ କଳଙ୍କ ଥିଲା, ସେଥିରୁ ଆମେ ମୁକ୍ତ ହେଉଛୁ ବୋଲି ଗୋଟିଏ ଆଶ୍ୱସ୍ତି ବି ପାଉଥିଲୁ । ତଥାପି ବି ମନ ଭିତରେ ଥିବା ଆଶଙ୍କାକୁ ଦୂର କରିବା ପାଇଁ ଓ ଆଶାକୁ ଆହୁରି ମଜବୁତ୍ କରିବା ପାଇଁ ରାୟଗଡ଼ା
ଜିଲ୍ଲାର ବିଷମକଟକ ବ୍ଲକ୍ର ଓ ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ୍ର ମୋଟ୍ ଚାରୋଟି ଗାଁ ଭିତରକୁ ପରୀକ୍ଷାମୂଳକ ଭାବେ ପଶିଥିଲୁ ଆମେ । କିନ୍ତୁ ଭିତରକୁ ଯାଇ ଦେଖିଲୁ, ବାହାର ବୋର୍ଡ଼ର ଲେଖା ଓ ଗାଁ’ର ପରିସ୍ଥିତି ଜମାରୁ ବି ମେଳ ଖାଉନାହିଁ । ଅର୍ଥାତ୍ ଗାଁ’ ଗୁଡ଼ିକ ଆଦୌ ବି ବାହ୍ୟ ମଳମୁକ୍ତ ନୁହେଁ । ଅର୍ଥାତ୍ ଗାଁ’ର ପ୍ରାୟ ନବେ ପ୍ରତିଶତ ଲୋକ ବାହାରକୁ ହିଁ ମଳତ୍ୟାଗ କରିବାକୁ ଯାଉଛନ୍ତି । ତାହେଲେ ଏହି ଗାଁ’ ଗୁଡ଼ିକୁ ବାହ୍ୟ ମଳମୁକ୍ତ ବୋଲି ଘୋଷଣା କରାଗଲା କିପରି? ଏହା କେବଳ କାଗଜ କଲମରେ ବି ଘୋଷଣା ହୋଇନି, ଗାଁ ଆରମ୍ଭରେ ବଡ଼ ସିମେଂଟ ଫଳକରେବି ଏହା ଘୋଷଣା କରାଯାଇଛି । କିନ୍ତୁ ଯେ କେହି ବି ଗାଁ ଭିତରକୁ ପ୍ରବେଶ କଲାମାତ୍ରେ ବୁଝିପାରିବ ଯେ, ଏହା ଆଦୌ ବି ବାହ୍ୟ ମଳମୁକ୍ତ ନୁହେଁ । ଏହା କେବଳ ଗୋଟିଏ କିମ୍ବା ଦୁଇଟି ଗାଁ’ର କାହାଣୀ ନୁହେଁ, ଘୋଷଣା ହୋଇଥିବା ଅଧିକାଂଶ ଗାଁ’ ଗୁଡ଼ିକର ବାସ୍ତବ ପରସ୍ଥିତି ଏହିପରି । ତା’ପରେ ଆମେ ବୁଝିଲୁ ଯେ, ଯେଉଁ ଗାଁ’ ଗୁଡ଼ିକୁ ବାହ୍ୟ ମଳମୁକ୍ତ ବୋଲି ଘୋଷଣା କରାଯାଇଛି, ସେସବୁ ଗାଁ’ରେ ସମସ୍ତଙ୍କ ଘରେ ଶୌଚ୍ଚାଳୟ ତିଆରି ହୋଇଛି । ସମସ୍ତଙ୍କ ଘରେ ଶୌଚ୍ଚାଳୟ ତିଆରି ହୋଇଥିବା ଆଧାରରେ ସେଇ ସବୁ ଗାଁ’କୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇଛି । ଏହା ଦିନ ଦିପ୍ରହରରେ କୁହାଯାଉଥିବା ଏକ ଅର୍ଦ୍ଧସତ୍ୟ । ଆମେ ଦେଖିଲୁ, ସେହିସବୁ ଗାଁ’ର ପ୍ରତ୍ୟେକ ଘରେ ତ ଶୌଚ୍ଚାଳୟ ତିଆରି ହୋଇଛି, କିନ୍ତୁ ସେ ଶୌଚ୍ଚାଳୟ ଗୁଡ଼ିକ ଭିତରେ କେଉଁଠି ଜାଳେଣୀ କାଠ ରହୁଛି ତ, କେଉଁଠି କୁକୁଡ଼ାମାନେ ରହୁଛନ୍ତି ଓ କେଉଁଠି ତାହାକୁ ବାସନ ଧୋଇବା ପାଇଁ ବ୍ୟବହାର କରାଯାଉଛି । ପ୍ରାୟ ନବେ ପ୍ରତିଶତ ଶୌଚ୍ଚାଳୟ ମଳତ୍ୟାଗ ପାଇଁ ବ୍ୟବହାର ହେଉନି । ଲୋକମାନେ ତାଙ୍କ ଚିରାଚରିତ ଅଭ୍ୟାସ ଅନୁସାରେ ବାହାରକୁ ଅର୍ଥାତ୍ ରାସ୍ତା କଡ଼କୁ, ନଦୀ କୂଳକୁ କି ନିକଟସ୍ଥ ପଡ଼ିଆକୁ ମଳତ୍ୟାଗ ପାଇଁ ଯାଉଛନ୍ତି । କିନ୍ତୁ ଗାଁ ଆରମ୍ଭରେ ଫଳକ ମରାଯାଇଛି ବାହ୍ୟ ମଳମୁକ୍ତ ଗାଁ । ଏହା ଠାରୁ ବଳି ଦୁର୍ଭାଗ୍ୟର କଥା କ’ଣ ଥାଇପାରେ! ୨୦୧୪ରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆରମ୍ଭ ହେଲାବେଳେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ୨୦୧୯ ଅକ୍ଟୋବର ୨ ସୁଦ୍ଧା ଭାରତକୁ ସଂପୂର୍ଣ୍ଣ ଭାବେ ବାହ୍ୟ ମଳମୁକ୍ତ କରାଯିବ । ସେହି ହିସାବରେ ଦ୍ରୁତ ଗତିରେ ଶୌଚାଳାୟ ନିର୍ମାଣ କାମ ବି ଆଗେଇ ଚାଲିଲା । ସ୍ୱଚ୍ଛ ଭାରତ ମିଶନ୍ ତଥା ଭାରତକୁ ବାହ୍ୟ ମଳମୁକ୍ତ କରିବାର ସଂପୂର୍ଣ୍ଣ କାମକୁ କେବଳ ଶୌଚ୍ଚାଳୟ ନିର୍ମାଣ ଉପରେ ହିଁ କେନ୍ଦ୍ରିତ କରାଗଲା ।
୨୦୧୪ରୁ ୨୦୧୯, ଷାଠିଏ ମାସ ମଧ୍ୟରେ ୧୧ କୋଟି ଶୌଚାଳୟ ନିର୍ମାଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଅର୍ଥାତ୍ ୨୦୧୯ ଅକ୍ଟୋବର ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତର ୯୯ ପ୍ରତିଶତ ଗ୍ରାମ ବାହ୍ୟ ମଳମୁକ୍ତ ହୋଇଛି । ସେଦିନ ସେ ଭାରତକୁ ବାହ୍ୟ ମଳମୁକ୍ତ ବୋଲି ଘୋଷଣା କରିଛନ୍ତି । ସରକାରୀ ତଥ୍ୟ ଅନୁସାରେ ଆମ ଦେଶର ୫୫୪୨୦୯ଟି ଗାଁ’କୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇଛି ।
ଏଥିମଧ୍ୟରୁ କେବଳ ୨୦୧୮- ୧୯ରେ ୨୦୭୩୦୦ଟି ଗାଁ’କୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇଛି । ସମୁଦାୟ ୧୦୨୮୬୭୨୭୧ଟି ଘରେ ଶୌଚ୍ଚାଳୟ ନିର୍ମାଣ କରାଯାଇଛି ବୋଲି ସରକାରୀ ତଥ୍ୟ କହୁଛି । ଗତ ବିଧାନସଭାରେ ପଂଚାୟତିରାଜ ମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ଆମ ରାଜ୍ୟ ଓଡ଼ିଶାରେ ୪୬୭୮୫ଟି ଗାଁ’କୁ ବାହ୍ୟ ମଳମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି । ତଥ୍ୟକୁ ନିରୀକ୍ଷଣ କଲେ ବୁଝିହେଉଛି ଯେ, ସରକାରଙ୍କ ଅନୁସାରେ ଆମ ରାଜ୍ୟ ଓଡ଼ିଶାର ସମସ୍ତ ଗାଁ ଓ ଆମ ଦେଶ ଭାରତର ସମସ୍ତ ଗାଁ’ ବାହ୍ୟ ମଳମୁକ୍ତ ହୋଇଛି । ସରକାରଙ୍କ ଏହି ଘୋଷଣା କେତେ ବଡ଼ ମିଛ, ଆମେ ନିଜ ନିଜ ଗାଁ ଓ ପଡ଼ୋଶୀ ଗାଁ’କୁ ଦେଖି ନିଶ୍ଚୟ ବୁଝିପାରିବା । ଏହା ସତ୍ୟ ଯେ, ଶୌଚ୍ଚାଳୟ ନିର୍ମାଣ ହୋଇଛି, କିନ୍ତୁ ତାହା ବ୍ୟବହାର ହେଉନାହିଁ । ଲୋକମାନେ ଏବେ ବି ବାହାରେ ମଳତ୍ୟାଗ କରୁଛନ୍ତି । ସରକାର ବୁଝିବା କଥା ଯେ, ଶୌଚ୍ଚାଳୟ ନିର୍ମାଣର ଅର୍ଥ ନୁହେଁ ଯେ, ବାହାରେ ମଳତ୍ୟାଗ ବନ୍ଦ ହେବା । ବାହାରେ ମଳତ୍ୟାଗ ବନ୍ଦ ହେବା ଏକ ଅଭ୍ୟାସର ବିଷୟ ।
ଏହାକୁ ଦୂର କରିବା ପାଇଁ ହେଲେ ଲୋକମାନଙ୍କର ଅଭ୍ୟାସ ଓ ବ୍ୟବହାରର ପରିବର୍ତନ ପାଇଁ କାମ କରିବାକୁ ହେବ । ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ଏବଂ ସ୍ୱଚ୍ଛ ଭାରତ ମିଶନ ଅନୁସାରେ ବାହ୍ୟ ମଳମୁକ୍ତ ଗାଁ’ର ଅର୍ଥ ଗାଁ’ ଚତୁଃପାଶ୍ୱର୍ରେ ଖୋଲା ଆକାଶ ତଳେ ଆଦୌ ବି ମଳ ପଡ଼ୁନଥିବ ଏବଂ ଗାଁ’ର ପ୍ରତ୍ୟେକ ପରିବାର ନିରାପଦ ଓ ସ୍ୱଚ୍ଛ ଶୌଚାଳୟ ବ୍ୟବହାର କରୁନଥିବେ । ଏବେ ସରକାର ବିଚାର କରିବା କଥା ଯେଉଁ
ସବୁ ଗାଁ’କୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇଛି, ସେମାନେ ଏହିସବୁ ମାନଦଣ୍ଡ ପୁରଣ କରୁଛନ୍ତି କି? ଯଦି ନାଁ, ତାହେଲେ ସେହି ସବୁ ଗାଁ’କୁ ବାହ୍ୟ ମଳମୁକ୍ତ ଘୋଷଣା କରାଗଲା କିପରି? ସରକାରଙ୍କ ନୀୟମ ଅନୁସାରେ ପ୍ରଥମେ ଗ୍ରାମସଭାରେ ଗାଁ’ ନିଜକୁ ବାହ୍ୟ ମଳମୁକ୍ତ ଘୋଷଣା କରିବେ । ତା’ପରେ ତିନି ମାସ ମଧ୍ୟରେ ସେହି ଗାଁ’ରେ ବାହାର ଲୋକ କିମ୍ବା ପ୍ରଶାସନ ଦ୍ୱାରା ପ୍ରଥମ ପର୍ଯ୍ୟାୟର ଏକ ନିରୀକ୍ଷଣ କରାଯିବ । ଏହାର ଛଅ ମାସ ପରେ ଦ୍ୱିତୀୟ ପର୍ଯ୍ୟାୟର ନିରୀକ୍ଷଣ କରାଯିବ । ତା’ପରେ ସେହି ଗାଁ’କୁ ବାହ୍ୟ ମଳମୁକ୍ତ ଘୋଷଣା କରାଯିବା କଥା । କିନ୍ତୁ ଦେଖାଯାଉଛି ଯେ, ଅନେକ କ୍ଷେତ୍ରରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିରୀକ୍ଷଣ କରାଯାଉନାହିଁ । ଯଦି ବି ନିରୀକ୍ଷଣ କରାଯାଉଛି, ତାହା ଅତ୍ୟନ୍ତ ଉପରଠାଉରିଆ ଭାବେ
ହେଉଛି ନଚେତ୍ କେବଳ କାଗଜ କଲମରେ ହିଁ ହେଉଛି । ପରିଣାମ ସ୍ୱରୁପ ଗାଁ’ରେ ତ ବାହ୍ୟ ମଳମୁକ୍ତର ବୋର୍ଡ଼ ଲାଗିଯାଉଛି କିନ୍ତୁ ଗାଁ ଲୋକମାନେ ଯେମିତି କୁ ସେମିତି ବାହାରେ ହିଁ ମଳତ୍ୟାଗ କରୁଛନ୍ତି । ତଥ୍ୟ ଅନୁସାରେ ଓଡ଼ିଶାରେ ମାତ୍ର ୫୮% ଗ୍ରାମର ପ୍ରଥମ ପର୍ଯ୍ୟାୟ ନିରୀକ୍ଷଣ ହୋଇଥିବା
ବେଳେ ବିହାରରେ ୫୧% ଗ୍ରାମର ପ୍ରଥମ ପର୍ଯ୍ୟାୟ ନିରୀକ୍ଷଣ ହୋଇଛି । ସ୍ୱଚ୍ଛ ଭାରତ ମିଶନର ତଥ୍ୟ ଅନୁସାରେ ଓଡ଼ିଶାରେ ସେପ୍ଟେମ୍ବର ୨୬, ୨୦୧୯ ସୁଦ୍ଧା ୨୩୯୦୨ଟି ଗ୍ରାମରେ ପ୍ରଥମ ପର୍ଯ୍ୟାୟ ନିରୀକ୍ଷଣ ହୋଇଥିବା ବେଳେ ସେପ୍ଟେମ୍ବର ୩୦ ସୁଦ୍ଧା ନିରୀକ୍ଷଣ ହୋଇଥିବା ଗାଁ’ ସଂଖ୍ୟା ୩୭୦୦୮ରେ ପହଂଚିଥିଲା । ଅର୍ଥାତ ମାତ୍ର ଚାରି ଦିନ ମଧ୍ୟରେ ପାଖାପାଖି ୧୩୦୦୦ ଗାଁ’ର ପ୍ରଥମ ପର୍ଯ୍ୟାୟ ନିରୀକ୍ଷଣ କରାଯାଇଥିଲା । ଏଥିରୁ
ବୁଝାପଡ଼ୁଛି ଯେ, କେତେ ଆନ୍ତରିକତାର ସହିତ ନିରୀକ୍ଷଣ କାର୍ଯ୍ୟ କରାଯାଇଛି! ସ୍ୱଚ୍ଛ ଭାରତ ମିଶନ୍ର ନିଜସ୍ୱ ତଥ୍ୟ ଅନୁସାରେ ସମଗ୍ର ଦେଶରେ ମାତ୍ର ୨୪% ଗାଁ’ରେ ହିଁ ଦ୍ୱିତୀୟ ପର୍ଯ୍ୟାୟର ନିରୀକ୍ଷଣ ହୋଇଛି, ଯାହା କି ବାହ୍ୟ ମଳମୁକ୍ତ ଗ୍ରାମ ଘୋଷଣା କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମୁଦାୟ
ଘଟଣାରୁ ଗୋଟିଏ କଥା ବୁଝାପଡ଼ୁଛି ଯେ, ପ୍ରକୃତ ଅର୍ଥରେ ଗାଁ’କୁ ବାହ୍ୟ ମଳମୁକ୍ତ କରିବା ଅପେକ୍ଷା ବାହ୍ୟ ମଳମୁକ୍ତ ଘୋଷଣା କରିବାରେ ସରକାର ଅଧିକ ତତ୍ପର ପ୍ରକାଶ କରୁଛନ୍ତି । ଯାହା ନିଶ୍ଚିତ ଭାବେ ଭବିଷ୍ୟତରେ ବୁମେରାଂ ହୋଇ ଫେରିଆସିବ । ଏହା ସତ୍ୟ ଯେ, ବାହାରେ ମଳତ୍ୟାଗ କରିବା ଏକ ଲଜ୍ଜାକର ବିଷୟ । ଏଥିପାଇଁ ଆମ ଗାଁ’ ଗୁଡ଼ିକୁ ତଥା ଦେଶକୁ ବାହ୍ୟ ମଳମୁକ୍ତ କରିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଓ ବର୍ତମାନ ସମୟର ଆହ୍ୱାନ । କିନ୍ତୁ ଏହାକୁ କେବଳ ଅନ୍ୟକୁ ଦେଖାଇବା ପାଇଁ ବା କାଗଜ କଲମରେ କରିଲେ ହେବନାହିଁ । ଏଥିପାଇଁ ନିଷ୍ଠାପର ଭାବେ ସରକାରୀ କଳକୁ ଲାଗିବାକୁ ପଡ଼ିବ । ଏହି ନିଷ୍ଠାକୁ କେବଳ ଶୌଚ୍ଚାଳୟ ନିର୍ମାଣରେ ସିମୀତ ନରଖି ଲୋକମାନଙ୍କର ଅଭ୍ୟାସ ଓ ବ୍ୟବହାରରେ ବି ପରିବର୍ତନ କରିବାକୁ ପଡ଼ିବ । ସରକାରଙ୍କ ସହିତ ଲୋକମାନେ ମଧ୍ୟ ଏଥିପାଇଁ ଆଗେଇ ଆସିବାକୁ ପଡ଼ିବ ।
ଭିରଙ୍ଗ ତିରଣ, ଜଗତ୍ସିଂହପୁର- ୭୫୪୧୩୮
ମୋ- ୯୪୩୮୪୬୮୪୭୪
Comments are closed.