Latest Odisha News

BREAKING NEWS

ବୈଶାଖ ଶୁକ୍ଳ ତୃତୀୟା -ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା

ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଦିବସ (ଦିନଟି) ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା ନାମରେ ପରିଚିତ । ପୌରାଣିକ ଗ୍ରନ୍ଥ ଅନୁଯାୟୀ, ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି, ଦିନ ଯେ କୌଣସି ଶୁଭ କାର‌୍ୟ୍ୟ କରାଗଲେ \’ଅକ୍ଷୟ ଫଳ\’ ପ୍ରାପ୍ତ ହୋଇଥାଏ । ଏହି କାରଣରୁ ଏହାକୁ ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା କୁହାଯାଏ । ମୁହୂର୍ତ୍ତ ଜ୍ୟୋତିଷ ଅନୁସାରେ ଅକ୍ଷୟ ତୃତୀୟା ଦିବସ ର ପ୍ରତ୍ୟେକ ମୁହୂର୍ତ, ସ୍ୱୟଂସିଦ୍ଧ ହୋଇଥାଏ । ଅକ୍ଷୟ ତୃତିୟା ଦିନ ଭଗବାନ ନର-ନାରାୟଣ ସହିତ ପର୍ଶୁରାମ ଏବଂ ହୟଗ୍ରୀବ ଅବତାର ଗ୍ରହଣ କରିଥିଲେ । ବଦ୍ରୀ-ନାରାୟଣ କପାଟ ଏହି ଦିନ ଖୋଲିଥାଏ । ମା ଗଙ୍ଗା ମଧ୍ୟ ଏହି ଦିନ ମର୍ତ୍ୟରେ ଅଵତରଣ କରିଥିଲେ ।

ସର୍ବତ୍ର ଶୁକ୍ଳ ପୁଷ୍ପାଣି ପ୍ରଶସ୍ତଓନି ସଦାର୍ଚନେ ।
ଦାନକାଳେ ଚ ସର୍ବତ୍ର ମନ୍ତ୍ର ମେତ ମୁଦିରୟେତ ।।

ଅର୍ଥାତ, ପ୍ରତ୍ୟେକ ମାସର ତୃତୀୟା ତିଥିରେ ଶ୍ୱେତ ପୁଷ୍ପ ଦ୍ୱାରା ପୂଜନ ତଥା ଅର୍ଚନା ସର୍ବଦା ପ୍ରସଂଶାଭାଜନ ହୋଇଥାଏ ।
अस्यां तिथौ क्षयमुर्पति हुतं न दत्तं ।
तेनाक्षयेति कथिता मुनिभिस्तृतीया ।
उद्दिश्य दैवतपितृन्क्रियते मनुष्यैः ।
तत् च अक्षयं भवति भारत सर्वमेव ।। – मदनरत्न
अर्थ : (श्रीकृष्ण कहते हैं) हे युधिष्ठिर, इस तिथि पर किए गए दान व हवन का क्षय नहीं होता; इसलिए मुनियों ने इसे ‘अक्षय तृतीया’ कहा है । देवता व पितरों को उद्देशित कर इस तिथि पर जो कर्म किए जाते हैं, वे सर्व अक्षय (अविनाशी) होते हैं ।
ଅକ୍ଷିମୁଠି ଅନୁକୂଳ:-
ଓଡ଼ିଆ ସଂସ୍କୃତି ଅନୁଯାୟୀ, ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର‌୍ୟ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ (ଗୌଣି ବା ଗଉଣି ଶସ୍ୟାଦିର ପରିମାଣ ମାପିବା ନିମନ୍ତେ ବ୍ୟବହାର କରାଯାଇଥାଏ । ଏହା ବେତ ବା ପିତଳରେ ତିଆରି କରାଯାଇଥାଏ) ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।
ଶ୍ରୀଜୀଉମାନଙ୍କର ରଥ ନିର୍ମାଣର ଶୁଭାନୁକୂଳ:-
ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠଲାଗିଥାଏ । ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହିକାର‌୍ୟ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ ।
ପବିତ୍ର ଚନ୍ଦନ ଯାତ୍ରା ଆରମ୍ଭ :-
ଫାଇଲ୍ ଫଟୋ

ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର‌୍ୟ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର‌୍ୟ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର‌୍ୟ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।

ଅକ୍ଷୟ ତୃତୀୟା ବ୍ରତ:-
ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତିହୁଏ । ଏହାକୁ ବ୍ରତ ରୂପେ ପାଳନ କରାଯାଏ । ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭକରି ଆଠବର୍ଷରେ ଉଦଯାପନ କରନ୍ତି । ଏହିଦିନ ଜଳଦାନ କଲେ କି ପୁଣ୍ୟଫଳ ମିଳେ ସେ ସଂପର୍କରେ ଚମତ୍କାର ଉପାଖ୍ୟାନଟି ଏହିପରି- ପୁରାକାଳରେ ଜଣେ ପାପୀ ବ୍ରାହ୍ମଣ ଥିଲା । ସେ ତା’ ଜୀବନରେ କିଛି ଦାନ ଧର୍ମକାର‌୍ୟ୍ୟ କରି ନଥିଲା । ଥରେ ତା’ ଗୃହକୁ ଅନ୍ୟ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳଭିକ୍ଷା କଲା । ପାପୀ ବ୍ରାହ୍ମଣ ତାକୁ ଜଳ ନଦେଇ ନିଷ୍ଠୁର ଭାବେ ଗୃହରୁ ବିତାଡିତ କଲା ସମୟରେ ସୁଶିଳା ନାମ୍ନୀ ତା’ର ସ୍ତ୍ରୀ ଆସି ସ୍ୱାମୀକୁ ସେ କାର‌୍ୟ୍ୟରୁ ନିବୃତ୍ତ କଲା ଓ ତୃଷାର୍ତ୍ତକୁ ଜଳଦାନ କଲା । କିଛି ବର୍ଷ ପରେ ପାପୀ ବ୍ରାହ୍ମଣର ମୃତ୍ୟୁ ହେଲା । ଯମଦୂତମାନେ ଆସି ତାକୁ ବାନ୍ଧି ନେଇଗଲେ । ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲା । ଯମଦୂତମାନେ ତାହାକୁ ତିରଷ୍କାର କରି କହିଲେ- ନିଜ ଜୀବନରେ କେବେ ଜଳଦାନ ନକରି ଜଳଭିକ୍ଷା କରୁଛୁ କିପରି, ପାପୀ ? ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ରାହ୍ମଣକୁ ଜଳଦାନ କଲେ । ଦୂତମାନେ ଆଶ୍ଚର‌୍ୟ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ – ଏହି ବ୍ରାହ୍ମଣ ସାରା ଜୀବନ ପାପକର୍ମ କରିଥିଲେ ସୁଦ୍ଧା ଅକ୍ଷୟତୃତୀୟା ଦିନ ଏହାର ସ୍ତ୍ରୀ ତୃଷାର୍ତ୍ତ ବ୍ରାହ୍ମଣକୁ ଜଳଦାନ କରିଥିଲା । ସ୍ତ୍ରୀର ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି । ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ । ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜବପନ କରୁଥିଲେ । ଭୂମିକର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି । ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଉଛି ।
Leave A Reply

Your email address will not be published.