Latest Odisha News

BREAKING NEWS

ଜଣେ ଓଡ଼ିଆ ଥିଲା…

୨୦୧୭ରେ ସତ୍ୟଭାମାପୁରସ୍ଥିତ ମଧୁବାବୁଙ୍କ ଜନ୍ମସ୍ଥାନକୁ ଯାଇଥିଲି ଓ ଲେଖିଥିଲି,” ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଏକ ତୀର୍ଥସ୍ଥଳୀ । ଏଠାକୁ  ଆସି ମୁଁ ଧନ୍ୟ ହେଇଛି ।”
ନ’ଅଙ୍କ ଦୁର୍ଭିକ୍ଷ ପରେ ପାଉଁଶତଳୁ ଯେଉଁ ଓଡ଼ିଶାର ପୁନର୍ଜନ୍ମ ହୋଇଥିଲା ତାହାର ପୁରୋଧା ଥିଲେ ଉତ୍କଳଗୌରବ ମଧୁସୂଦନ ଦାସ । ୧୯୦୩ ରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରି ଜାତୀୟ ଜୀବନର ପ୍ରାଣପ୍ରତିଷ୍ଠା କରିବାଠୁଁ ଆରମ୍ଭ କରି ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଗୁଡିକର ଏକତ୍ରୀକରଣ ପାଇଁ ତାଙ୍କର ପ୍ରୟାସ ଫଳରେ ତାଙ୍କ ମୃତ୍ୟୁର ଦୁଇବର୍ଷ ପରେ ୧୯୩୬ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠିତ ହୋଇଥିଲା ।
ମୂଳରୁ କଂଗ୍ରେସ ସହିତ ଜଡ଼ିତ ହୋଇଥିଲେ ସୁଦ୍ଧା ଏହା ମାଧ୍ୟମରେ ଭାଷା-ଭିତ୍ତିକ ପ୍ରଦେଶ ଗଠନ ସମ୍ଭବ ନୁହେଁ ବୋଲି ଅନୁଭବ କରି ଉତ୍କଳ ସମ୍ମିଳନୀ ଗଠନ କରିଥିଲେ । କଂଗ୍ରେସର ଅସହଯୋଗ ନୀତିର ବିରୋଧ କରି ସେ ବିହାର-ଓଡ଼ିଶାର ସ୍ୱାୟତ୍ତ ଶାସନ ବିଭାଗର ମନ୍ତ୍ରୀ ହୋଇଥିଲେ । ଅବଶ୍ୟ ପରେ (୧୯୨୩ ମାର୍ଚ୍ଚ ୮ ତାରିଖରେ) ଇସ୍ତଫା ଦେଇଥିଲେ ଯେତେବେଳେ ମନ୍ତ୍ରୀମାନେ ଅବୈତନିକ ଭାବେ କାର୍ଯ୍ୟ କରିବାକୁ ସେ ଦେଇଥିବା ପ୍ରସ୍ତାବ ସରକାରଙ୍କ ଦ୍ଵାରା ଖାରଜ ହୋଇଥିଲା । ଏପରିକି ସାଇମନ କମିସନକୁ କଂଗ୍ରେସ ବହିଷ୍କାର କରିଥିବାବେଳେ ମଧୁବାବୁଙ୍କ ପ୍ରେରଣାରେ ଓଡ଼ିଆ-ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଏକ ଦାବିପତ୍ର ଦିଆଯାଇଥିଲା ।
ଏଇଥିରୁ ଜଣାପଡେ ଯେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ ତାଙ୍କ ଜୀବନର ମିଶନ ଥିଲା । ସେଥିପାଇଁ ସେ ଯେକୋୖଣସି ବିରୋଧର ସମ୍ମୁଖୀନ ହେବାକୁ ଓ ଯେକୌଣସି ମୁଲ୍ୟଦେବାକୁ ପ୍ରସ୍ତୁତ ଥିଲେ ।
୧୮୮୭ ମସିହାରେ ମଧୁବାବୁ କଟକରେ ସ୍ବପାର୍ଜିତ ଅର୍ଥରେ Orissa Art Wares ପ୍ରତିଷ୍ଠା କରି ତାରକସି ଓ  ଅନ୍ୟାନ୍ୟ ସୂକ୍ଷ୍ମକଳାର ବିକାଶ ପାଇଁ ଅବଦାନ ରଖିଥିଲେ । ୧୯୦୫ ମସିହାରେ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା କରି ଚମଡାରୁ ଜୋତା ଉତ୍ପାଦନ କରି ସ୍ବଦେଶୀ ଶିଳ୍ପର ପୁନରୁଦ୍ଧାର କରିଥିଲେ ଓ ଲୋକଙ୍କୁ କର୍ମଯୋଗାଣ    ପାଇଁ ପଦକ୍ଷେପ ନେଇଥିଲେ । କିନ୍ତୁ ଜୋତାରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ  ହେଲେ ତାହାକୁ ନଷ୍ଟ କରିଦିଆଯାଉଥିଲା । ମଧୁବାବୁ ଚାହୁଁଥିଲେ ଯେ ତ୍ରୁଟିପୂର୍ଣ୍ଣ ଜୋତା ବାହାରକୁ ଯୋଗାଇ ଉତ୍କଳର ବଦନାମ ନ ହେଉ । ଏହି କଠୋର ନିଷ୍ଠାପରତା ଯୋଗୁଁ କାରଖାନାର ବହୁତ କ୍ଷତି ହେଲା ଓ ଶେଷରେ ଏଥିପାଇଁ ଋଣଗ୍ରସ୍ତ ହୋଇ ମଧୁବାବୁଙ୍କୁ ଅଦାଲତରେ ଛିଡ଼ାହୋଇ ନିଜକୁ ଦେବାଳିଆ ବୋଲି ଘୋଷଣା କରିବାକୁ ପଡ଼ିଥିଲା । ସୁରେନ୍ଦ୍ର ମହାନ୍ତିଙ୍କ କାଳଜୟୀ ପୁସ୍ତକ ‘କୁଳବୃଦ୍ଧ’ରେ ସନ୍ନିବେଶିତ ହୋଇଥିବା ମଧୁବାବୁଙ୍କ ବେବାଳିଆ ଘୋଷଣା ପାଇଁ ଦରଖାସ୍ତଟି ପଢି ମୋ ଆଖିରୁ ଲୁହ ବହିଗଲା ।
ମଧୁବାବୁଙ୍କ ବ୍ୟକ୍ତିଗତ ଜୀବନ ଥିଲା ଦୁଃଖପୂର୍ଣ୍ଣ । ୧୮୪୮ ଅପ୍ରେଲ ୨୮ରେ ସତ୍ୟଭାମାପୁରରେ ଜନ୍ମିତ ମଧୁବାବୁ କଟକସ୍ଥିତ ରେଭେନ୍ସା କଲେଜିଏଟ ସ୍କୁଲରୁ ୧୮୬୪ ମସିହାରେ ଏଣ୍ଟ୍ରାନ୍ସ (ମାଟ୍ରିକ୍ୟୁଲେସନ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ।
ତାଙ୍କ ପିତା ଉଚ୍ଚଶିକ୍ଷା ପାଇଁ ଅର୍ଥ ଦେଇନପାରିବାରୁ ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ କିଛିକାଳ ଶିକ୍ଷକତା କରିଥିଲେ l କିନ୍ତୁ ଉଚ୍ଚଶିକ୍ଷା ପାଇଁ ଉଚ୍ଚାକାଂକ୍ଷା ଯୋଗୁଁ କଲିକତା ଯାଇ ବହୁ ଘାତପ୍ରତିଘାତ ମଧ୍ୟରେ ସେ ୧୮୬୮ ରେ ଏଫ.ଏ. ପାସ୍ କଲେ । ୧୮୭୦ ମସିହାରେ କଲିକତା ବିଶ୍ବବିଦ୍ୟାଳୟରୁ ବି. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇ ‘ପ୍ରଥମ ଓଡ଼ିଆ ଗ୍ରାଜୁଏଟ’ ହେବାର ସୌଭାଗ୍ୟ ଅର୍ଜନ କଲେ । ୧୮୭୩ ରେ ସେ ଏମ୍. ଏ. ପାସ୍ କଲେ । ଏହାପରେ ସେ ସୌଦାମିନୀ ନାମ୍ନୀ ଜଣେ ବଙ୍ଗୀୟ ଖ୍ରୀଷ୍ଟିଆନ୍ କନ୍ୟାଙ୍କୁ ବିବାହ କଲେ । କାରଣ ଏହାପୂର୍ବରୁ ୧୮୬୯ ରେ ସେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିଲେ ଓ  ଏଥିରେ ମର୍ମାହତ ହୋଇ ତାଙ୍କ ପିତା ତାଙ୍କୁ ‘ତ୍ୟାଜ୍ୟପୁତ୍ର’ ଘୋଷଣା କରିଥିଲେ ।ଏଠାରେ କହିବା ପ୍ରାସଙ୍ଗିକ ଯେ ମଧୁବାବୁ ଖ୍ରୀଷ୍ଟିଆନ ହେଲାପରେ ମଧ୍ୟ ତାଙ୍କ ଗ୍ରାମକୁ ଯାଇ ମାତା ପାର୍ବତୀ ଦେବୀଙ୍କୁ ଦେଖାକରୁଥିଲେ ।   ମାତ୍ର ସ୍ନେହମୟୀ ମାଆ ତାଙ୍କର ବିଧର୍ମୀ ପୁତ୍ରକୁ ସାକ୍ଷାତ କଲାପରେ ପୋଖରୀରେ ମୁଣ୍ଡଧୋଇ ଗାଧୋଇସାରି ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ୨୦୧୭ ମସିହାରେ ସତ୍ୟଭାମାପୁର ଗାଁ ମୁଣ୍ଡରେ ସେଇ ବାଲିପୋଖରୀ ଓ ପୋଖରୀ ପାଖରେ ମଧୁବାବୁ ନିର୍ମାଣ କରିଥିବା ଅଟ୍ଟାଳିକାକୁ ଦେଖି ଅଶ୍ରୁସଜଳ ସ୍ମୃତି ନେଇ ସେଠାରୁ ଫେରିଥିଲି ।
କିନ୍ତୁ ତାଙ୍କର ବୈବାହିକ ଜୀବନ ଅତି ସଂକ୍ଷିପ୍ତ ଥିଲା । ୧୮୭୮ ମସିହାରେ ସୌଦାମିନୀଙ୍କ ଅକାଳ ବିୟୋଗ ସହିତ ତାଙ୍କର ବୈବାହିକ ଜୀବନରେ ଯବନିକା ପଡିଥିଲା । ଆଶ୍ଚର୍ଯ୍ୟର କଥା ଯେ ସୌଦାମିନୀଙ୍କର ଫଟୋଟିଏ ବି ନ ଥିଲା ସ୍ମୃତିଚାରଣ ପାଇଁ  ।  ପ୍ରସଂଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ଶୈଳବାଳା ଦାସ (ପୂର୍ବରୁ ହାଜରା) ଥିଲେ ତାଙ୍କର  ପାଳିତାକନ୍ୟା ।
୧୮୭୮ରେ ସେ ବି.ଏଲ. ପାସ୍ କରିବା ଯୋଗୁଁ ଆଇନବୃତ୍ତିରେ ଯୋଗଦେବାକୁ କ୍ଷେତ୍ର ପ୍ରସ୍ତୁତ ହେଲା  । କଲିକତାରେ ଆଇନ ପ୍ରାକ୍ଟିସ୍ ଛାଡି ୧୮୮୧ରେ କଟକ ଫେରି ତାଙ୍କ ଜୀବନକୁ ସାର୍ଥକ କରିବାକୁ ଥିବା କର୍ମରେ ନିଜକୁ ନିୟୋଜିତ କଲେ ।
ମଧୁବାବୁ କଟକରେ ଓକିଲାତି ଆରମ୍ଭ କଲାବେଳେ ଅଣଓଡ଼ିଆ ଓକିଲଙ୍କ ପ୍ରବଳ ପ୍ରତିପତ୍ତିକୁ ଅତିକ୍ରମ କରି ସଫଳତା ହାସଲ କରିଥିଲେ । ବହୁ ସଫଳ ମାମଲା ସେ ଲଢ଼ିଥିଲେ ,ମାତ୍ର ପୁରୀ ରାଜମାତା ସୂର୍ଯ୍ୟମଣି ପାଟମହାଦେଇଙ୍କୁ ଆଇନ ସହାୟତା ଦେଇ ପୁରୀ ରାଜାଙ୍କୁ ବଂଶାନୁକ୍ରମେ ଶ୍ରୀମନ୍ଦିରର ସୁପରିଣ୍ଟେଣ୍ଡେଣ୍ଟ ହିସାବରେ ସରକାରୀ ସ୍ୱୀକୃତି ହାସଲ କରିଥିଲେ । ଏହି ମାମଲା ତାଙ୍କୁ ଓଡ଼ିଶାରେ ଯଥେଷ୍ଟ ଲୋକପ୍ରିୟତା ଆଣିଦେଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅପ୍ରେଲ ୨୮ ତାରିଖ (ମଧୁବାବୁଙ୍କ ଜନ୍ମଦିନ) ସମ୍ପ୍ରତି ‘ଆଇନଜୀବୀ ଦିବସ’ ଭାବରେ ପାଳିତ ହେଉଛି ।
କିନ୍ତୁ ମଧୁବାବୁଙ୍କ କାର୍ଯ୍ୟକଳାପ ଖାଲି ଆଇନ ବୃତ୍ତିରେ ସୀମିତ ନ ଥିଲା । ଓଡ଼ିଶାରେ ଜାତୀୟ ଜୀବନକୁ ଜୀବନ୍ୟାସ ଦେବାକୁ ସେ କଟକରେ ଓଡିଶା ଆସୋସିଏସନ ବା ଉତ୍କଳ ସଭା ପ୍ରତିଷ୍ଠା କରିଥିଲେ ଯାହାର ତିନିବର୍ଷ ପରେ ୧୮୮୫ରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ହେଲା । ଏହି ‘ସଭା’ର ପ୍ରତିନିଧିମାନେ ଜାତୀୟ କଂଗ୍ରେସର ଅଧିବେଶନରେ ଯୋଗ ଦେଉଥିଲେ ।
ମଧୁବାବୁ ୧୮୯୬ରୁ ୧୯୧୨ ମସିହା ପର୍ଯ୍ୟନ୍ତ ବଙ୍ଗପ୍ରଦେଶର ବ୍ୟବସ୍ଥାପକ ଥିଲେ ।୧୯୧୨ ମସିହାରେ ବିହାର-ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ହେବାରୁ ୧୯୧୩ ଜାନୁୟାରୀ ୨୦ ତାରିଖରେ ସେ ବିହାର-ଓଡ଼ିଶା କାଉନସିଲର ସଭ୍ୟ ଭାବେ ଶପଥ ନେଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ ଇମ୍ପେରିଆଲ ଲେଜିସଲେଟିଭ କାଉନସିଲର ସଭ୍ୟ ଭାବରେ ପ୍ରଥମ ଓଡ଼ିଆ ଭାବରେ ନିର୍ବାଚିତ ହୋଇଥିଲେ ।
ମଧୁବାବୁ ନାରୀଶିକ୍ଷାର ପ୍ରସାର ପାଇଁ କଟକରେ ଏକ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
ସାମ୍ବାଦିକତା କ୍ଷେତ୍ରରେ ମଧୁବାବୁଙ୍କ ଅବଦାନ ହେଉଛି ୧୯୧୭ ମସିହାରେ   The Oriya ନାମକ ଏକ ଇଂରାଜୀ ପତ୍ରିକାର ପ୍ରକାଶନ ।
ମଧୁବାବୁ ମଧ୍ୟ ‘ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ’ । ୧୮୯୭ରେ ବିଲାତ ଯାତ୍ରା କରି ଓଡ଼ିଆ ହସ୍ତଶିଳ୍ପର ଏକ ପ୍ରଦର୍ଶନୀର ଆୟୋଜନ କରିଥିଲେ । ଓଡ଼ିଶାର ଗୌରବ ବୃଦ୍ଧି କରିବାରେ ତାଙ୍କର ଅବଦାନ ପରିପ୍ରେକ୍ଷୀରେ ‘ଉତ୍କଳ ଦୀପିକା’ ମଧୁବାବୁଙ୍କୁ ‘ଉତ୍କଳଗୌରବ’ ବୋଲି ଆଖ୍ୟା ଦେଇଥିଲା । ପରବର୍ତ୍ତୀ ସମୟରେ ଏହି ସମ୍ମାନ ସାର୍ବଜନୀନ ସ୍ୱୀକୃତି ଲାଭକଲା ।
୮୫ ବର୍ଷ ବୟସରେ ୧୯୩୪ ମସିହା ଫେବ୍ରୁଆରୀ ୩ ତାରିଖ ରାତି ୧ ଘଣ୍ଟା ୧୫ ମିନିଟରେ ମଧୁବାବୁ ଶେଷ ନିଶ୍ୱାସ ତ୍ୟାଗ କଲେ । ମୃତ୍ୟୁଶଯ୍ୟାରେ ତାଙ୍କର ଶେଷକଥା ଥିଲା: “ମୁଁ ତ ଯାଉଛି; ମନେରଖିଥିବ  ଜଣେ ଓଡ଼ିଆ ଥିଲା ।”
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.