Latest Odisha News

BREAKING NEWS

‘ଉଲ୍‌ଗୁଲାନ’ର ଅନ୍ୟତମ ମହାନାୟକ ବୀର ସୁରେନ୍ଦ୍ର ସାଏ…

ଲେଖକ ଡଃ ସୁଜିତ କୁମାର ପୃଷେଠ

 

୧୮୫୭ ଅକ୍ଟୋବର ମାସର ମଧ୍ୟଭାଗ ।

ବେଳା ନଇଁ ଆସୁଛି । ଅସ୍ତଗାମୀ ସୂର୍ଯ୍ୟଙ୍କ ଲୋହିତ ଆଭାରେ ମହାନଦୀର ସ୍ୱଚ୍ଛ ପାଣି ଝଲସୁଥାଏ । ସକାଳେ ଅସରାଏ ବର୍ଷା ହୋଇ ସମ୍ବଲପୁର ସହରକୁ ପରିଷ୍କାର କରିଦେଇଥାଏ । ମହାନଦୀର ପାଣି ଯେତେ କ୍ଷୀପ୍ର ବେଗରେ ବୋହିଯାଉଥାଏ, ଠିକ୍ ସେମିତି ସମ୍ବଲପୁର ବାସିନ୍ଦାଙ୍କ ମନରେ ଖୁବ୍ ବ୍ୟଗ୍ରତା । କିଛିଦିନ ପରେ ସମ୍ବଲପୁର ଅଞ୍ଚଳର ମହାନ୍ ଗଣପର୍ବ ନୂଆଖାଇର ଲଗ୍ନ ସମଲେଇ ମନ୍ଦିରରେ ନିର୍ଘଣ୍ଟ ହୋଇସାରିଛି । ଜନଜୀବନ ପର୍ବଣମୁଖା; ଅଥଚ ସମସ୍ତଙ୍କ ମନରେ ଏକ ଦବି ରହିଥିବା ଏକ ଅକୁହା ଏବଂ ଅଣଉଚ୍ଚାରିତ ଉଦବିଗ୍ନତା । ଦୂରରୁ ଜଣେ କାହାର ‘ମାନ୍ଦଲ’ର ସ୍ୱର ପରିବେଶକୁ ଏକ ଅଦ୍ଭୁତପୂର୍ବ ମୋଡ଼ ଦେଇଥାଏ । ହଠାତ୍ ଜଣେ କେହି ଉଚ୍ଚସ୍ୱରରେ ରଡ଼ି ଛାଡ଼ିଲା “ସୁରେନ୍ଦ୍ର ଆଏଲା ନ ହୋ…” । ପୁଣି ସେଇଟା କହି କହି ଏପଟରୁ ସେପଟ ଦୌଡ଼ି ପଳାଇଲା ।

ସମଗ୍ର ପରିବେଶରେ ଏକ ଅଦ୍ଭୁତ ଶିହରଣ ଖେଳିଗଲା ଅଚାନକ ଭାବେ । ସମସ୍ତେ ସ୍ତମ୍ଭୀଭୂତ । ଉପସ୍ଥିତ ସମସ୍ତେ ପରସ୍ପରକୁ ନିଶବ୍ଦରେ ଦେଖାଚୁହାଁ ହେଲେ । ସମସ୍ତଙ୍କ ଆଖିରେ ଅନାଗତ ଭବିଷ୍ୟତର ଉଜ୍ଜ୍ୱଳ ପ୍ରତିଛବି ଅଥଚ ମନରେ ଅବିଶ୍ୱାସ ଏବଂ ବିରାଟ ପ୍ରଶ୍ନବାଚୀ ।

କିଛି ସମୟପରେ, ସମସ୍ତେ ନିଜ ନିଜ ଜୀବନର ଏକ ଅଭୁଲା ଏବଂ ଐତିହାସିକ ମୂହୁର୍ତ୍ତକୁ ସାମ୍ନା କଲେ । ସମସ୍ତେ ଦେଖିଲେ, ଗୋଟିଏ ଧୂସର ରଙ୍ଗର ଘୋଡ଼ାରୁ ଜଣେ ଦୀର୍ଘକାୟ, ବଳିଷ୍ଠ ଶରୀର ଏବଂ ଲମ୍ବା ଓ ଘନ କେଶଧାରୀ ଜଣେ ଓହ୍ଲାଇଲେ । ଡାହାଣ ହାତରେ ଗୋଟିଏ ‘ଡ଼େଉଁରିଆ’ ବନ୍ଧା ହୋଇଛି । ହାତରେ ଗୋଟିଏ ଲମ୍ବା ଖଣ୍ଡା । ଅସ୍ତଗାମୀ ସୂର୍ଯ୍ୟଙ୍କ ଶେଷ ଉଜ୍ଜ୍ୱଳ କିରଣରେ ଲମ୍ବା ଖଣ୍ଡାଟି ଚିକ୍‌ଚିକ୍ କରୁଥାଏ । ଘୋଡ଼ାରୁ ଓହ୍ଲାଇ ମାଟିରେ କପାଳ ଲଗାଇଲେ, ଦୁଇ ହାତ ଯୋଡ଼ି ମୁଣ୍ଡିଆ ମାରିଲେ । ମୁଣ୍ଡିଆ ମାରି ଉଠିଲା ପରେ ମୁହଁ ଉପରୁ କେଶକୁ ହଟାଇଲେ । ସୂର୍ଯ୍ୟଙ୍କ ଲୋହିତ ଆଭାରେ ମୁହଁଟି ଝଲସି ଉଠିଲା । ଲମ୍ବା ନିଶ ସହ ଉଦ୍ଦାମ ଆଖି । ହାତ ଯୋଡ଼ି ଗମ୍ଭୀର ସ୍ୱରରେ କହିଲେ, “ଜୁହାର୍ …. !” ମାଁ ସମଲେଇ …..ମୁଇଁ ସୁରେନ୍ଦ୍ର ସାଏ… ।”

ଉପସ୍ଥିତ ସମସ୍ତଙ୍କ ଦେହରେ ସତେ ଯେମିତି ବିଜୁଳି ଖେଳିଗଲା । ଅଦ୍ଭୁତପୂର୍ବ ଉଚ୍ଛ୍ୱାସ ଏବଂ ପ୍ରାଣଭରା ସ୍ୱରରେ ସମବେତ ଜନତା ଚିତ୍କାର କଲେ । “ଜଏ ମାଁ ସମଲେଇ….ସୁରେନ୍ଦ୍ର ସାଏ କି ଜୟ….”

ହଜାରିବାଗ ଜେଲରେ ୧୨ବର୍ଷ କଟାଇବା ପରେ ନାଟକୀୟ ଢଙ୍ଗରେ ଜେଲରୁ ମୁକୁଳି ସମ୍ବଲପୁରରେ ୧୮୫୭ରେ ପହଞ୍ଚି ‘ଉଲ୍‌ଗୁଲାମ’ର ମହାନାୟକର ଭୂମିକା ନେଇଥିଲେ । ସେ ଥିଲେ ବୀର ସୁରେନ୍ଦ୍ର ସାଏ । ୧୮୦୯ରେ ସମ୍ବଲପୁର ପାଖରେ ଥିବା ଖଣ୍ଡାରେ ଭୂମିଷ୍ଠ ହୋଇ ମାତ୍ର ୧୮ ବର୍ଷ ବୟସରେ ୧୮୨୭ରେ ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ସଶସ୍ତ୍ର ସଂଗ୍ରାମ ମଧ୍ୟ କରିଥିଲେ । ସମ୍ବଲପୁର ରାଜଗାଦି ପାଇଁ ନିଜର ହକ୍ ପାଇଁ ଗଭୀର ସମ୍ମାନ । ଏତଦବ୍ୟତୀତ ସୁରେନ୍ଦ୍ର ସାଏଙ୍କ ପାଖରେ ଥିଲା ଅଦମ୍ୟ ସାହସ ଏବଂ ଅବଦମିତ ଶୌର୍ଯ୍ୟ । ଉତ୍ତମ ରଣକୌଶଳ ସାଙ୍ଗକୁ ବିଚକ୍ଷଣ ନୀତି ଦ୍ୱାରା ବୀର ସୁରେନ୍ଦ୍ର ସାଏ ଇଂରେଜମାନଙ୍କୁ ଭୀତତ୍ରସ୍ତ କରି ରଖିଥିଲେ । ଡୋକ୍ଟ୍ରିନ୍ ଅଫ ଲାପ୍ସ ଦ୍ୱାରା ଇଂରେଜମାନେ ରାଣୀ ମୋହନକୁମାରୀଙ୍କ ରାଜଗାଦିରେ ଇଂରେଜମାନେ ସମ୍ବଲପୁର ରାଜଗାଦିରେ ବସିଗଲା ପରେ ବୀର ସୁରେନ୍ଦ୍ର ସାଏ ଆରମ୍ଭ କରିଦେଲେ ସଶସ୍ତ୍ର ସଂଗ୍ରାମ ।

୧୦ ମେ ୧୮୫୭ର ସୀପାହୀ ବିଦ୍ରୋହ ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟପର୍ବ । ଏହାର ୩୦ ବର୍ଷ ପୂର୍ବେ ପୂର୍ବଭାରତର ଏକ ଅଖ୍ୟାତ ଉପତ୍ୟକାରେ ସ୍ୱାଧୀନ ସଂଗ୍ରାମର ଲେଲିହାନ ଶିଖା ଜଳେଇଥିଲେ ବୀର ସୁରେନ୍ଦ୍ର ସାଏ । ଭାରତୀୟ ମୁକ୍ତି ସଂଗ୍ରାମର ଏକ ଶୌର୍ଯ୍ୟମୟ ଅଧ୍ୟାୟ ସଂଗଠିତ ହୋଇଥିଲା ଓଡ଼ିଶା ମାଟିରେ ସମ୍ବଲପୁର ଭୂଇଁରେ । ତତ୍କାଳୀନ ଜମିଦାର ତଥା ଗୌନ୍ତିଆ ମାନଙ୍କ ସହ ‘ବିଂଝାଲ’ ଏବଂ ଅନ୍ୟ ଆଦିବାସୀ ସଂପ୍ରଦାୟର ଅକୁଣ୍ଠ ସମର୍ଥନ ପାଇଥିଲେ ବୀର ସୁରେନ୍ଦ୍ର ସାଏ । ତତ୍କାଳୀନ ଇଂରେଜ ସାମରିକ ଅଧିକାରୀ କ୍ୟାପଟେନ ଲେଘଙ୍କ ଅନୁସାରେ “ବୀର ସୁରେନ୍ଦ୍ର ସାଏ ଦୁର୍ଦ୍ଦାନ୍ତ ଯୋଦ୍ଧା” । ବୀର ସୁରେନ୍ଦ୍ର ସାଏ ସିଂଘୋଡ଼ା ଘାଟୀ (ବର୍ତ୍ତମାନର ଓଡ଼ିଶା-ଛତିଶଗଡ଼ ସୀମାନ୍ତ), ଝାରଘାଟୀ ଏବଂ ବୀରଘାଟୀ ଇତ୍ୟାଦିକୁ ସମ୍ପୂର୍ଣ୍ଣ ଭାବେ ନିଜ ଅକ୍ତିଆରରେ ରଖି ବସ୍ତୁତଃ ଇଂରେଜମାନଙ୍କୁ ଦୂରେଇ ରଖିବାରେ ସମର୍ଥ ହୋଇଥିଲେ । ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱପୂର୍ଣ୍ଣ ଲଢେଇରେ ସମର୍ଥନ ଦେଇଥିଲେ ସାଧାରଣ ଜନତା । ଡେବର୍ ବନ୍ଦୋବସ୍ତ ଲାଗୁ ହେବାପରେ ସାଧାରଣ ପ୍ରଜାଙ୍କ ଠାରୁ ୫ ଗୁଣ ଅଧିକ କର ଆଦାୟ ହେବା ଯୋଗୁଁ ଇଂରେଜ ସରକାରଙ୍କ ବିରୋଧରେ ପ୍ରବଳ ଜନ ଆକ୍ରୋଶ ଥିଲା ।

ବୀର ସୁରେନ୍ଦ୍ର ସାଏଙ୍କ ଧମନୀରେ ବହୁଥିଲା ଶୌର୍ଯ୍ୟ । କ୍ୟାପଟେନ କଥବର୍ଣ୍ଣଙ୍କ ସୈନ୍ୟମାନେ ବୀର ସୁରେନ୍ଦ୍ର ସାଏଙ୍କ ଅତର୍କିତ ଆକ୍ରମଣର ସମ୍ମୁଖୀନ ହୋଇ କ୍ଷତାକ୍ତ ହୋଇ ଥିଲେ । ସେମାନଙ୍କର ଚିକିତ୍ସା ପାଇଁ ଇଂରେଜ ଡାକ୍ତର ଡଃ ମୁରଙ୍କ ହେନସନ୍ ଆସିଲା ବେଳେ ବୀର ସୁରେନ୍ଦ୍ର ସାଏଙ୍କ ସୈନ୍ୟ ହତ୍ୟା କରିଥିଲେ ଡଃ ମୁରଙ୍କୁ ଏବଂ ହେନସନ୍ କୌଣସିମତେ ଖସିଯାଇ ପ୍ରାଣବିକଳରେ ସମ୍ବଲପୁର ଜଙ୍ଗଲରେ ଘୁରି ବୁଲିଥିଲେ । ପରବର୍ତ୍ତୀ ସମୟରେ କ୍ୟାପଟେନ ଉଡ୍ କୁଦୋପାଲିରେ ବୀର ସୁରେନ୍ଦ୍ର ସାଏ ଏବଂ ତାଙ୍କ ଭାଇ ଛବିଳ ସାଏଙ୍କ ଆକ୍ରମଣ କଲାପରେ ବୀର ସୁରେନ୍ଦ୍ର ସାଏଙ୍କ ରଣକୌଶଳରେ କ୍ୟାପଟେନ୍ ଉଡ୍ ନିହତ ହୋଇଥିଲେ । ଭାରତୀୟ ମୁକ୍ତି ସଂଗ୍ରାମର ଅନନ୍ୟ ଅଂଶ ହେଲେ ବୀର ସୁରେନ୍ଦ୍ର ସାଏ, ସେ ଇଂରେଜ ମାନଙ୍କ ସହ ଅଦମ୍ୟ ସାହସର ସହିତ ଯୁଦ୍ଧ କରିଥିଲେ ।

୧୮୫୭ର ସିପାହୀ ବିଦ୍ରୋହର ଦାବାନଳ ଯେତେବେଳେ ନିର୍ବାପିତ ହୋଇସାରିଲା ପୂର୍ବ ଭାରତର ଏକ ଅନନ୍ୟ ଭୂମି ସମ୍ବଲପୁର ଏବଂ ଆଖପାଖ ଅଞ୍ଚଳରେ ଭାରତୀୟ ମୁକ୍ତି ସଂଗ୍ରାମର ଲେଲିହାନ ଶିଖାକୁ ଜ୍ୱଳନ୍ତ କରିରଖିଥିଲେ ବୀର ସୁରେନ୍ଦ୍ର ସାଏ । ଭାରତୀୟ ମୁକ୍ତି ସଂଗ୍ରାମକୁ ଦୀର୍ଘଦିନ ଧରି ସଶସ୍ତ୍ର ସଂଗ୍ରାମ ଦ୍ୱାରା ଏକାକୀ ଭାବେ ଜୀବନ୍ତ ରଖି ଇଂରେଜମାନଙ୍କୁ ଅଥୟ ଏବଂ ଆତଙ୍କିତ ରଖିଥିଲେ ବୀର ସୁରେନ୍ଦ୍ର ସାଏ । ଭାରତୀୟ ମୁକ୍ତି ସଂଗ୍ରାମର ଏହି ଜାଜ୍ଜ୍ୱଲ୍ୟମାନ ଗାଥାର ଶ୍ରେୟର ଏକମାତ୍ର ହକ୍‌ଦାର୍ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ । ତାଙ୍କ ସଂଗ୍ରାମୀ ସାଥୀ ଘେଁସ ଜମିଦାର ମାଧୋ ସିଂହ, ହଟେ ସିଂହ ତଥା ବୀର ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏ, ଉଦ୍ଦାନ୍ତ ସାଏ; ଅନ୍ୟତମ ସହଯୋଗୀ ମିଟୁ କୁଆଁର, କୁବ୍ୱେଲ ସିଂହଙ୍କ ବୀରତ୍ୱପୂର୍ଣ୍ଣ ଲଢେଇ ଓଡ଼ିଆ ଜାତିର ଗୌରବମୟ ଏବଂ ଶୌର୍ଯ୍ୟପୂର୍ଣ୍ଣ ପରିଚିତି ପାଇଁ ଅନବଦ୍ୟ ଅବଦାନ ଦେଇଛି ।

ବୀର ସୁରେନ୍ଦ୍ର ସାଏ ବନ୍ଦୀ ହୋଇଥିଲେ ଜୀବନର ଅଧିକାଂଶ ସମୟ । ଅସୀରଗଡ଼ରେ ଶେଷ ସମୟ ପର୍ଯ୍ୟନ୍ତ ବୀର ସୁରେନ୍ଦ୍ର ସାଏଙ୍କ ପରିଚୟ ଥିଲା ଜଣେ ଉଦ୍ଦାମ ସ୍ୱଭାବର ଯୋଦ୍ଧା ଭାବେ । କିଛି ମତ ଅନୁଯାୟୀ, ଜୀବନର ଶେଷ ସମୟରେ ବୀର ସୁରେନ୍ଦ୍ର ସାଏ ଦୃଷ୍ଟିଶକ୍ତିି ହରେଇଥିଲେ ଏବଂ ପରବର୍ତ୍ତୀ ସମୟରେ ପ୍ରାଣତ୍ୟାଗ କରିଥିଲେ । ଏପରିକି ଅନ୍ୟ ମତ ଅନୁଯାୟୀ, ବୀର ସୁରେନ୍ଦ୍ର ସାଏ ନିଜ ଜଙ୍ଘରେ ‘ପଥରଲସା’ ରଖିଥିଲେ ଏବଂ ତାକୁ ଖାଇ ସ୍ୱଇଚ୍ଛାରେ ପ୍ରାଣତ୍ୟାଗ କରିଥିଲେ । ବୀର ସୁରେନ୍ଦ୍ର ସାଏଙ୍କ ଶରୀର ଗୁରୁତ୍ୱପୂର୍ଣ୍ଣ କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମାଁ ର ସମ୍ମାନ ପାଇଁ, ନିଜର ସ୍ୱାଭିମାନ, ହକ୍ ଏବଂ ଅନ୍ୟାୟ ବିରୋଧରେ ବୀର ସୁରେନ୍ଦ୍ର ସାଏଙ୍କ ଜୀବନ ତମାମ କରିଥିବା ‘ଉଲ୍ ଗୁଲାନ’ ।

(ଲେଖକ ନୂଆଦିଲ୍ଲୀସ୍ଥିତ ‘ଭାରତୀୟ ଲୋକ ପ୍ରଶାସନ ସଂସ୍ଥାନ’ର ଜଣେ ଅଧ୍ୟାପକ)

ସମ୍ପର୍କ: prusethsujit@gmail.com

Comments are closed.