Latest Odisha News

BREAKING NEWS

ଅଧାବାଟରେ ପଡିଛି ବାଇକ, ବ୍ୟାଗ ଆଉ ଚପଲ: ହେଲେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ପତ୍ତା ମିଳୁନି

କେନ୍ଦ୍ରାପଡ଼ା:ପୁଣି ଜଣେ ଘରୋଇ କମ୍ପାନୀର କର୍ମଚାରୀ ନିଖୋଜ । ଫାଇନାନ୍ସ  କମ୍ପାନୀର ଏହି କର୍ମଚାରୀ ଜଣକ ଆଜି କଲେକ୍ସନ ସାରି ଫେରୁଥିବା ବେଳେ ନିଖୋଜ ହୋଇଯାଇଛନ୍ତି ।   ତାଙ୍କ ଫୋନ୍ ନଲାଗିବାରୁ ଥାନାରେ ଅଭିଯୋଗ କରିଛନ୍ତି ଫାଇନାନ୍ସ କର୍ମଚାରୀ କର୍ତୃପକ୍ଷ ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଏହି କର୍ମଚାରୀଙ୍କ ନାମ ସ୍ୱାଗତ ସମାଲ ।  ତାଙ୍କର ଘର ମହାକାଳପଡ଼ା ଥାନା ରାଜଗଡ଼ ଗାଁରେ । ସବୁଠୁ ବେଶି ଚିନ୍ତା ବଢାଇଛି,  ତନ୍ତିଆପାଳ ସାମୁଦ୍ରିକ ଥାନା ନିକଟ ଡାକବଙ୍ଗଳା ପାଖରେ ତାଙ୍କ ବାଇକ୍, ଚପଲ, ବ୍ୟାଗ୍ ଏବଂ ଲାପଟପ୍ ପଡ଼ି ରହିଛି । ହେଲେ ସେ କୁଆଡେ ଗଲେ କିଛି ପତା ମିଳୁନି ।  ସ୍ୱାଗତ ଫାଇନାନ୍ସ କମ୍ପାନୀ ପକ୍ଷରୁ  ୨ ଲକ୍ଷ ୬୫ ହଜାର ଟଙ୍କା କଲେକ୍ସନ କରି ଆଣୁଥିଲେ ।  ଅନ୍ୟାନ୍ୟ ସାମଗ୍ରୀ ସହ  ରାସ୍ତାରେ ତାଙ୍କର ବ୍ୟାଗଟି ପଡିଛି । ହେଲେ ସେଥିରେ  ଟଙ୍କା ନଥିବା ଜଣାଯାଇଛି ।

ସେ କୁଆଡେ ଗଲେ ଏବଂ ଡାକବଙ୍ଗଳା ପାଖରେ ତାଙ୍କ ବାଇକ୍, ଚପଲ, ବ୍ୟାଗ୍ ଏବଂ ଲାପଟପ୍ କହିଁକି ପଡିଛି ସେ ନେଇ ତନାଘନା ଚାଲିଛି । ଅନ୍ୟପକ୍ଷେ ସ୍ଥାନୀୟ ଲୋକେ ଏହି ବାଇକ୍‌ଟି ସ୍ୱାଗତଙ୍କର ଚିହ୍ନିଥିଲେ ଏବଂ ଏ ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ସ୍ୱାଗତଙ୍କୁ ଫୋନ୍ କରିଥିଲେ। ହେଲେ ସ୍ୱାଗତଙ୍କ ଫୋନ୍‌ ସୁଇଚଅଫ୍ ଆସିଥିଲା।

ପରିବାର ଲାେକେ ସ୍ୱାଗତଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି । ସ୍ୱାଗତଙ୍କ ବଡ ଭାଇ ସାର୍ଥକ କହିଛନ୍ତି, ଆମର କାହାସହିତ ସେପରି କିଛି ଶତ୍ରୁତା ନାହିଁ । ତେଣୁ କିଏ  ଅପହରଣ କରିଛି ସେ ନେଇ କିଛି କହି ପାରି ନ ଥିଲେ ହେଁ ଯେପରି ଅବସ୍ଥାରେ ଗାଡି, ଚପଲ ପଡିଛି ସେଥିରୁ ଅପହରଣ କରାଯାଇଥିବା ଆମେ ଭାବୁଛି ବୋଲି ସେ କହିଛନ୍ତି । ପରିବାର ଲୋକେ ତନ୍ତିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନାଥାଉ କି, ନିଟକରେ ଜଣେ କାନାରା ବ୍ୟାଙ୍କ ଶାଖା ପରିଚାଳକ ତପନ କୁମାର ସାହୁ ନିଖୋଜ ହୋଇ ଯାଇଥିଲେ । ତିନି ଦିନ ଧରି ବହୁ ଖୋଜାଖୋଜି ପରେ ଶେଷରେ  ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାରୁ  ତାଙ୍କୁ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.