Latest Odisha News

BREAKING NEWS

ବିଜେଡି ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଲଗାତାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଲେ ନେତା

ଭୁବନେଶ୍ୱର: ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।   ବିଜୁ ବାବୁଙ୍କର ଫଟୋଚିତ୍ରରେ ପ୍ରଥମେ ଶ୍ରଦ୍ଧା ସୁମନ ଅର୍ପଣ ଓ ବନ୍ଦେ ଉତ୍କଳ ଜନନୀ ଗାନ ପରେ ବୈଠକ ଆରମ୍ଭ ହୋଇଥିଲା।

କାର୍ଯ୍ୟକାରିଣୀରେ ବିଭିନ୍ନ ଏଜେଣ୍ଡା ଉପରେ ଦଳର ବରିଷ୍ଠ ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ ଅଭିଭାଷଣ ରଖିଥିଲେ । ଦଳର ସାଂଗଠନିକ ସମ୍ପାଦକ  ପ୍ରଣବ ପ୍ରକାଶ ଦାସଙ୍କ ସଂଚାଳନାରେ ପ୍ରଥମେ ସାଂଗଠନିକ ପ୍ରସ୍ତାବ ଦଳର ବରିଷ୍ଠ ଉପସଭାପତି  ଦେବୀ ପ୍ରସାଦ ମିଶ୍ର ଆଗତ କରିଥିଲେ । ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କର ସମର୍ଥନ ପରେ ଏହା ସର୍ବସମ୍ମତ କ୍ରମେ ପାରିତ ହୋଇଥିଲା । ଏହାପରେ ୧୧ଟି ରାଜନୈତିକ ପ୍ରସ୍ତାବ ଓ ୧୬ଟି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇ ପାରିତ ହୋଇଥିଲା ।

କୋଟି ଓଡିଆଙ୍କର ହୃଦୟର ନେତା ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନେତୃତ୍ୱ ଲଗାତର ଭାବେ ଆଂଚଳିକ ଦଳ ବିଜେଡିକୁ ବିପୁଳ ସଫଳତା ଆଣି ଦେଇଥିବାରୁ କାର୍ଯ୍ୟକାରିଣୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଥିଲା । ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ତଥା ଅଭିନବ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ରୂପାୟନ ପାଇଁ ତଥା ଓଡିଶାର ବିଭିନ୍ନ ପ୍ରାନ୍ତରେ ଯଥା ଶ୍ରୀ ଲିଙ୍ଗରାଜ, ମା ସମଲେଇ, ତାରାତାରିଣୀ ସହିତ ବିଭିନ୍ନ ଉପାସନା ପୀଠ ଓ ଐତିହ୍ୟର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ନେଇଥିବା ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

ଟେକ୍ନୋଲୋଜୀକୁ ଉପଯୋଗ କରି ୫-ଟି ରୂପାନ୍ତରଣରେ ଲୋକାଭିମୁଖୀ ପ୍ରଶାସନ ସହିତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ରୂପାନ୍ତରୀକରଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଂଜୁରୀ କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ନେତୃତ୍ୱରେ ରାଜ୍ୟର ଅଭିବୃଦ୍ଧିର ହାର ବଢିବା, ମୁଣ୍ଡପିଛା ଆୟରେ ବୃଦ୍ଧି ତଥା ଋଣ ଭାର କମିବା ସହିତ ଆର୍ଥିକ ପରିଚାଳନାରେ ସଫଳତା ପାଇଥିବାରୁ ଧନ୍ୟବାଦ ମଧ୍ୟ ଦିଆଯାଇଥିଲା । ୫-ଟି ଉପକ୍ରମରେ ଭିତିଭୂମି ବିକାଶ ଠାରୁ ଆରମ୍ଭ କରି ଆମ ସମ୍ବଳକୁ ମୂଲ୍ୟଯୁକ୍ତ କରିବା ପାଇଁ ବିକାଶର ଧାରାରେ ଆଗରେ ଥିବା ଓଡିଶାକୁ ପୂର୍ଣ୍ଣ ବିକଶିତ ରାଜ୍ୟରେ ରେ ପରିଣତ କରିବା ପାଇଁ ହେଉଥିବା ପ୍ରୟାସକୁ ରାଜ୍ୟ କାର୍ଯ୍ୟକାରିଣୀ ସ୍ୱାଗତ  କରିଥିଲା ।

Comments are closed.