Latest Odisha News

BREAKING NEWS

ମିଲ୍କମେଡ ଡବାରେ ଫସିଲା ଗୋଧୀର ମୁହଁ

ଭୁବନେଶ୍ଵର: ମିଲ୍କମେଡ ଡବାରେ ଫସିଲା ଗୋଧୀର ମୁହଁ । ମୁହଁ ବାହାର କରିପାରୁନଥିବାରୁ ଛାଟିପିଟି ହେଉଛି ଗୋଧୀ । ଭୁବନେଶ୍ୱର ବଡଗଡ ଅଞ୍ଚଳରେ ଥିବା ମେଘେଶ୍ଵର କଲୋନୀରେ ଦେଖିବାକୁ ମିଳିଛି ଏହି ଘଟଣା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୋଧୀଟିକୁ ଉଦ୍ଧାର କରିଥିଲେ ସ୍ନେକ୍ ହେଲ୍ପ ଲାଇନ । ଗୋଧୀର ବେକରୁ କୌଶଳ ପୂର୍ବକ ଡବାଟିକୁ ବାହାର କରି ଶେଷରେ ତାକୁ ଉଦ୍ଧାର ହୋଇଥିବା ସ୍ଥାନରେ ଛଡାଯାଇଛି ।

ମେଘେଶ୍ଵର କଲୋନୀରେ ରହୁଥିବା ଶାଶ୍ଵତ ନନ୍ଦଙ୍କ ଘର ସାମ୍ନାରେ ଥିବା ପ୍ଲଟଟି କିଛି ଦିନ ହେବ ଖାଲି ପଡ଼ିଥିବା ବେଳେ ଆଜି ସକାଳେ ସେଇ ଖାଲି ପ୍ଲଟରେ ଏକ ବଡ ଗୋଧୀ ଟିଏ ମୁଣ୍ଡ ଭିତରେ ଏକ ଟିଣ ଡବା ଭର୍ତ୍ତି କରି ଏପଟ ସେପଟ ହେବା ଶାଶ୍ଵତ ଙ୍କ ପରିବାର ଦେଖିବାକୁ ପାଇଥିଲେ । ଗୋଧୀଟି ମୁଣ୍ଡରୁ ଟିଣ ଡବାଟିକୁ ବାହାର କରି ପାରୁନଥିବାରୁ କଲବଲ ହେଉଥିଲା । ଏହା ଦେଖି ଶାଶ୍ଵତ ବ୍ୟସ୍ତ ହୋଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଖବର ଦେଇଥିଲେ । ଖବର ପାଇଁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ ବରାଳ ଘଟଣା ସ୍ଥଳରେ ପହଞ୍ଚି ଗୋଧୀ ଟିକୁ ଧରିଲେ ସତ, ହେଲେ ତା ମୁଣ୍ଡରୁ ଟିଣ ଡବାକୁ ଆସ୍ତେ ଭିଡ଼ିଲେ ମଧ୍ୟ ତାହା ବାହାରିଲା ନାହିଁ । ବଳ ପ୍ରୟୋଗ କରି ଭିଡ଼ିଲେ କାଳେ ଗୋଧୀର ବେକ ବା ମୁଣ୍ଡ ଖଣ୍ଡିଆ ହୋଇଯିବ, ସେଇ ଆଶଙ୍କାରେ ଆଉ ଭିଡା ଭିଡି ନକରି ସ୍ନେକ ହେଲ୍ପ ଲାଇନ ଅଫିସ କୁ ନେଇ ଆସିଥିଲେ ।

ସେଠାରେ ମେଟାଲ୍ କଟର ସାହାଯ୍ୟରେ ଟିଣ ଡବାର ଧାରକୁ କାଟିବା ପରେ ଗୋଧୀର ମୁଣ୍ଡରୁ ଟିଣ ଡବାଟି ବାହାରି ଆସିଥିଲା । ସେଇ ଟିଣ ଡବାଟି ଏକ ପରିତ୍ୟକ୍ତ ମିଲ୍କମେଡ ଟିଣ ବୋଲି ଜଣା ପଡିଥିଲା ।  ମିଲ୍କମେଡ କୁ ବ୍ୟବହାର କଲା ପରେ କେହି ଲୋକ ଫିଙ୍ଗି ଦେଇଛନ୍ତି, ଏବଂ ଗୋଧୀଟି ତା ଭିତରେ ମୁଣ୍ଡ ପୁରେଇ ଦେବା ପରେ ଆଉ ବାହାର କରିବା ପାଇଁ ସକ୍ଷମ ହୋଇ ନଥିଲା । ଗୋଧୀର ବେକରୁ ଡବାଟିକୁ କାଢିବା ପରେ ବେକ ସ୍ଥାନରେ ହୋଇଥିବା ସାମାନ୍ୟ କ୍ଷତ ସ୍ଥାନରେ ବେଟାଡିନ୍ ଲୋସନ ଲଗେଇବା ପରେ, ଯେଉଁ ସ୍ଥାନରୁ ଗୋଧୀଟିକୁ ଉଦ୍ଧାର କରା ଯାଇଥିଲା ସେଇ ସ୍ଥାନରେ ହିଁ ଗୋଧୀଟିକୁ ଛାଡ଼ି ଦେଇଥିଲେ ଅରୁଣ ।

ଏନେଇ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ” ଗୋଧୀଟି ଯଦି ଅଧିକ ଦିନ ପର୍ଯ୍ୟନ୍ତ କୌଣସି ମତେ ଟିଣଟିକୁ ମୁଣ୍ଡରୁ ବାହାର କରିପାରି ନ ଥାଆନ୍ତା, ତେବେ ଖାଦ୍ୟ ଏବଂ ପାନୀୟ ଅଭାବରୁ ଦୁର୍ବଳ ହୋଇଥାନ୍ତା । ବେକରେ ଖଣ୍ଡିଆ ଅଧିକ ହେବା ଫଳରେ ଜୀବାଣୁ ସଂକ୍ରମଣ ମଧ୍ୟ ତା ଜୀବନ ପ୍ରତି ବିପଦ ସୃଷ୍ଟି କରି ଥାଆନ୍ତା । ସର୍ବୋପରି ନିଜର ଶତ୍ରୁ ମାନଙ୍କୁ ଦେଖି ନପାରି ଜୀବନ ବଞ୍ଚେଇ ବାକୁ ସକ୍ଷମ ହୋଇ ନପାରି ଶେଷରେ କେଉଁ କୁକୁର, ବିଲୁଆ, ଆଦିଙ୍କ ଶୀକାର ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ଥିଲା” ।

Leave A Reply

Your email address will not be published.