Latest Odisha News

BREAKING NEWS

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ…

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥ ଏବେ ସମ୍ପୂର୍ଣ୍ଣ ଅସୁସ୍ଥ । ଜ୍ୱର ଜର୍ଜରିତ ଦେହରେ ଖଇ ଫୁଟୁଛି । ଯନ୍ତ୍ରଣାସିକ୍ତ ମହାପ୍ରଭୁଙ୍କ ଅଙ୍ଗ ଅଙ୍ଗରେ ହେଉଛି ଦରଜ । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରଧାମରେ ରହି ତାଙ୍କର ମାନବୀୟ ଲୀଳା ମାଧ୍ୟମରେ ଏ ସଂସାରରେ ଦୁଃଖ, ଯନ୍ତ୍ରଣା, ଜରା ଓ ବ୍ୟାଧିକୁ ସମ୍ମୁଖୀନ ହେବା ନିଶ୍ଚିତ ବୋଲି ଜଣାଇ ଦେଉଛନ୍ତି । ନିଜେ ମଧ୍ୟ ଜ୍ୱରରେ ପୀଡ଼ିତ ହୋଇ ଔଷଧ ସେବନ କରିବା ପରେ ହିଁ ରୋଗ ଉପଶମ ହେବ ମହାପ୍ରଭୁଙ୍କର । ଆଜି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ତାହା ପୂର୍ବରୁ ଅଣସର ପିଣ୍ଡିରେ ରହିଥିବା ଶ୍ରୀଜୀଉମାନଙ୍କ ଓଦା ଅଙ୍ଗବସ୍ତ୍ର ସବୁକୁ ବାହାର କରିଦିଆଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ଲାଗି ଅଣସର ପିଣ୍ଡିରେ ଚାଲିଛି ଗୁପ୍ତସେବା ।

ମହାପ୍ରଭୁଙ୍କର ଦଇତାପତି ସେବକମାନେ ଶ୍ରୀଜୀଉମାନଙ୍କ ସୁସ୍ଥତା ଆଣିବାକୁ ଲାଗିପଡ଼ିଛନ୍ତି ଅନବରତ । ରାତି/ଦିନ ୨୪ ଘଣ୍ଟା ଚାଲିଛି ମହାପ୍ରଭୁଙ୍କ ସେବା । ମହାପ୍ରଭୁ ଆରାମରେ କିପରି ଶୟନ କରିବେ ଏବଂ ଯନ୍ତ୍ରଣା କିପରି ଲାଘବ ହେବ ସେନେଇ ପତିମହାପାତ୍ର ମହାପ୍ରଭୁଙ୍କ ଉପଚାର କରୁଛନ୍ତି ।

ମହାପ୍ରଭୁଙ୍କ ରୋଗ ଉପଶମ ଲାଗି ପୁରୀ ବଡ଼ଓଡ଼ିଆ ମଠରେ ପ୍ରସ୍ତୁତ ହୋଇଛି ଏହି ଫୁଲୁରୀ ତେଲ । ପ୍ରସ୍ତୁତ ହୋଇଥିବା ଏହି ତୈଳକୁ ପବିତ୍ରତାର ସହିତ ଏକ ପଟୁଆରରେ ସଜ୍ଜିତ କରି ଶ୍ରୀମନ୍ଦିର ମଧ୍ୟକୁ ଅଣାଯିବ । ଅଣସର ପିଣ୍ଡିରେ ଶ୍ରୀଉମାନଙ୍କ ଅଙ୍ଗରେ ଲାଗି ହେବ ଏହି ଅଦ୍ଭୁତ ତୈଳ । ଯେଉଁ ତୈଳରେ ରହିଛି ଜ୍ୱର ଉପଶମ ହେବାର ଅମାପ ଶକ୍ତି । ଶ୍ରୀମନ୍ଦିର ମୁଖ୍ୟ ବୈଦ୍ୟଙ୍କ ସମସ୍ତ ପରାମର୍ଶକୁ ମାନି ଦଇତାପତି ସେବକମାନେ ଏହି ଉପଚାର କରିବେ ।

ସାଧାରଣତଃ ଏହି ଫୁଲୁରୀ ତେଲରେ ବେଲ, ଖଣିବଥୁ, ଗମ୍ଭାରୀ, ଶାଳପର୍ଣ୍ଣି, ଲବାଙ୍ଗ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଗୋଘୃତ, ନବାତ, ଖୁଆସର ଏବଂ ଫଣଫଣା ରସରେ ମିଶ୍ରଣ ହୋଇ ପ୍ରସ୍ତୁତ ହୋଇଥାଏ ।

ତେବେ ଏକାଦଶୀ ଦିନ ମହାପ୍ରଭୁଙ୍କୁ ଦିଆଯାଉଥିବା ଦଶମୂଳ ମୋଦକ ଦଶଟି ଚେରମୂଳିକୁ ନେଇ ପ୍ରସ୍ତୁତ ହୋଇଥାଏ ।

ଯେଉଁ ବୈଦ୍ୟମାନେ ଏହି ମହାଷୌଧୀକୁ ପ୍ରସ୍ତୁତ କରିଥାଆନ୍ତି ସେମାନେ ସମସ୍ତ ରୀତି ନୀତି ଅନୁସାରେ ନିଜକୁ ପ୍ରସ୍ତୁତ କରି ଏହି ଫୁଲୁରୀ ତେଲ ଏବଂ ଦଶମୂଳ ମୋଦକ ପ୍ରସ୍ତୁତ କରିଥାଆନ୍ତି ।

ଫୁଲୁରୀ ତୈଳର ଏହି ମହାଷୌଧୀ ସେବନ କରିବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ନବଯୌବନ ପ୍ରାପ୍ତ ହୁଅନ୍ତି । ଆସନ୍ତା ଜୁଲାଇ ୨ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନବଯୌବନ ଦର୍ଶନ କରିପାରିବେ କୋଟି କୋଟି ଶ୍ରଦ୍ଧାଳୁ ଓ ଭକ୍ତଗଣ ।

Leave A Reply

Your email address will not be published.